ବ୍ରହ୍ମପୁର : ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ

0
290

ବ୍ରହ୍ମପୁର, ୨୦/୧୦- ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଯାଇଛି ଏକ ନିଆରା ବିବାହ ଉତ୍ସବ । ବିନା ଯୌତୁକ, ଜାତି,ଜାତକ, କର୍ମକାଣ୍ଡରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସହରର କମାପଲ୍ଲୀ ସ୍ଥିତ ବୈଦ୍ୟନାଥେଶ୍ୱର ମନ୍ଦିରର କଲ୍ୟାଣ ମଣ୍ଡପରେ ଉଭୟ ପରିବାରର ଉପସ୍ଥିତି ସହ ମାନବବାଦୀ ହେତୁବାଦୀ ସଙ୍ଗଠନର ସହଯୋଗରେ ଏହି ବିବାହ ସମାପନ ହୋଇଥିଲା । ପ୍ରଥମେ ଉଭୟ ନବଦମ୍ପତି ରକ୍ତଦାନ କରିସାରିବା ପରେ କେବଳ ବିଧବା ମହିଳାଙ୍କ ଠାରୁ ଫୁଲ ମାଳ ଗ୍ରହଣ କରି ପରସ୍ପରକୁ ପିନ୍ଧାଇଥିଲେ । ଏହି ଅବସରରେ ଏକ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ଏଭଳି ବିନା ଯୌତୁକ, ଜାତି, ଜାତକ,କର୍ମକାଣ୍ଡରେ ଅନୁଷ୍ଠିତ ହୋଇଥିବା ବିବାହକୁ ସମାଜର ଅନ୍ୟ ଯୁବକ ଯୁବତୀ ମାନଙ୍କ ନିମନ୍ତେ ଏକ ପ୍ରେରଣା ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

କନ୍ଧମାଳ ଜିଲ୍ଲା ଫୁଲବାଣୀର ବର ବିପ୍ଳବ କୁମାରଙ୍କ ସହ ବ୍ରହ୍ମପୁର ଗୋଇଲୁଣ୍ଡିର ଅନିତାଙ୍କ ସହ ବିନା ଯୌତୁକ, ଜାତି, ଜାତକ,କର୍ମକାଣ୍ଡରେ ବିବାହ ସମ୍ପନ୍ନ ହୋଇଛି । ଉଭୟ ପରିବାରର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଉଭୟ ବର ଓ କନ୍ୟା ପ୍ରଥମେ ରକ୍ତଦାନ କରିଥିଲେ । ଏହାସହ ଅନ୍ୟାମାନଙ୍କୁ ମଧ୍ୟ ରକ୍ତଦାନ ଭଳି ମହତଦାନ ପାଇଁ ପ୍ରେରଣା ଦେଇଥିଲେ । ରକ୍ତଦାନ ଶେଷ ହେବା ପରେ ଉଭୟ ଅନ୍ଧବିଶ୍ବାସ ଓ କୁସଂସ୍କାର ଭଳି ପ୍ରଥା ଯଥା-ବିଧବା ମାନଙ୍କୁ ମାଙ୍ଗଳିକ କାର୍ଯ୍ୟାରେ ସାମିଲ କରାଯାଉନଥିବା ବେଳେ ଏହି ଦମ୍ପିତି ବିଧବା ମାନଙ୍କ ଉପସ୍ଥିତିରେ ଏବଂ ତାଙ୍କ ଠାରୁ ଫୁଲମାଳ ସଂଗ୍ରହ କରି ଉଭୟ ଉଭୟଙ୍କୁ ପିନ୍ଧାଇଛନ୍ତି। ଏହା ସହିତ ସାତ ଜନ୍ମର ସାଥି ନିମନ୍ତେ ଶପଥ ମଧ୍ୟ ନେଇଛନ୍ତି । ଏଭଳି ଆଦର୍ଶ ବିବାହକୁ ଉଭୟ ସ୍ବାଗତ କରିବା ସହିତ ଆଜିକାର ଯୁବକ ଯୁବତୀ ମାନେ ମଧ୍ୟ ଏଭଳି ମାଙ୍ଗଳିକ କାର୍ଯ୍ୟରେ ରକ୍ତଦାନ ଭଳି ମହତଦାନ କରିବା ଆବଶ୍ୟକ ବୋଲି ଉଭୟ କହିଛନ୍ତି ।

ଏହି ବିବାହ ଉଭୟ ପୁଅ ଓ ଝିଅଙ୍କ ସହମତିରେ ହୋଇଥିବା ବେଳେ ଝିଅ ଘର ଯୌତୁକ ଦେବା ନିମନ୍ତେ କହିଥିଲେ । ତେବେ ଏହି ଯୌତୁକ ନେବା ପାଇଁ ପୁଅ ଘର ମନା କରିଥିଲେ । ଏହାସହିତ ଏକ ଆଦର୍ଶ ବିବାହ ଆୟୋଜନ କରିବା ନିମନ୍ତେ ପୁଅ ଘର ଝିଅ ଘରକୁ ପ୍ରସ୍ତାବ ଦେଇଥିଲେ । ସେଥିରେ ଝିଅ ଘର ରାଜି ହେବା ପରେ ଆଜି ଏହି ଆଦର୍ଶ ବିବାହ ଅନୁଷ୍ଠିତ ହୋଇଥିଲା । ମାନବବାଦୀ ହେତୁବାଦୀ ସଙ୍ଗଠନର ଆଦର୍ଶ ଦ୍ବାରା ପ୍ରାଭାବିତ ହୋଇ ଏଭଳି ଆଦର୍ଶ ବିବାହ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ ବିପ୍ଳବଙ୍କ ବାପା । ସେପଟେ ସମାଜରେ ରହିଥିବା ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ଦୂର କରିବା ନିମନ୍ତେ ମାନବାଦୀ ହେତୁବାଦୀ ସଙ୍ଗଠନ ଏଭଳି ପଦକ୍ଷେପ ନେଇଛି । ଏହାଛଡ଼ା ଆଗାମୀ ଦିନରେ ସମସ୍ତ ଯୁବକ ଯୁବତୀ ମାନେ ଏଭଳି ଆଦର୍ଶ ବିବାହ ନିମନ୍ତେ ଆଗେଇବା ଆବଶ୍ୟକ ରହିଛି ବୋଲି କହିଛନ୍ତି ମାନବବାଦୀ ହେତୁବାଦୀ ସଙ୍ଗଠନର ରାଜ୍ୟ ସମ୍ପାଦକ ରାଜା ସୁରେଶ ।ଏହି ଆଦର୍ଶ ବିବାହ ଉତ୍ସବ ଶେଷ ହେବା ପରେ ସମ୍ପକୀୟ ମାନଙ୍କ ସହିତ ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here