*ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁବା ଘଟଣା* *ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦିଗପହଣ୍ଡି ଥାନା ଘେରାଉ*

0
175

 

ଦିଗପହଣ୍ଡି,୨୮/୧୦-
ଦିଗପହଣ୍ଡି ଥାନା ଅଧିନସ୍ଥ ପଦ୍ମନାଭପୁର ଗ୍ରାମ ସ୍ଥିତ ଶ୍ରୀଧାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତରୁ ନବମ ଶ୍ରେଣୀ ଛାତ୍ରୀ ଡେଇବା ଘଟଣାକୁ କେନ୍ଦ୍ର କରି ରବିବାବ ରାତିରେ ଦିଗପହଣ୍ଡି ଥାନାରେ ଉତ୍ତ୍ୟକ୍ତ ପଦ୍ମନାଭପୁର ଗ୍ରାମବାସୀ ଘେରାଉ କରିଥିଲେ । ଦୀର୍ଘ ସମୟ ଧରି ଥାନାରେ ମେଳି ବାନ୍ଧି ରହିଥିଲେ ମଧ୍ୟ ଦିଗପହଣ୍ଡି ଥାନାରେ ଭାରପ୍ରାପ୍ତ ଥାନାଧିକାରୀଙ୍କ ଅନୁପସ୍ଥିତକୁ ନେଇ ବିବାଦ ଦେଖାଦେଇଥିଲା । ବାରମ୍ବାର ଫୋନ୍ ମାଧ୍ୟମରେ ଲୋକେ ଅଭିଯୋଗ କରିବା ସହିତ ହୋହାଲ୍ଲା କରିବା ପରେ ଦିଗପହଣ୍ଡି ଥାନାର ଏଏସଆଇ ରେଡ୍ଡି ବାବୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରିଥିଲେ । ଗ୍ରାମବାସୀଙ୍କ ଏତଲାକୁ ମାମଲା ରୁଜୁ ନକରିଲେ ଲୋକେ ଅନ୍ୟତ୍ର ଘୁଞ୍ଚିବେ ନାହିଁ ବୋଲି ଜିଦ୍ ଧରି ବସିବା ପରେ ବିଭିନ୍ନ ସୋସିଆଲ୍ ମିଡିଆରେ ଥାନା ସମ୍ମୁଖରେ ଲୋକଙ୍କ ମେଳି ଫଟୋ ଭିଡିଓ ଭାଇରାଲ୍ ହେବା ପରେ ଥାନା ପୋଲିସ ପକ୍ଷରୁ ପଦ୍ମନାଭପୁର ଗ୍ରାମବାସୀଙ୍କ ଲିଖିତ ଏତଲାକୁ ଗ୍ରହଣ କରି ମାମଲା ରୁଜୁ ହେବାର ପ୍ରତିଶୃତି ମିଳିବା ପରେ ଲୋକେ ଘରମୁହାଁ ହୋଇଥିଲେ । ପଦ୍ମନାଭପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ସମେତ ଗ୍ରାମବାସୀ ଦସ୍ତଖତ ସମ୍ବଳିତ ଏକ ଏତଲା ପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଯେ, ଗଜପତି ଜିଲା ପାରଳାଖେମୁଣ୍ଡି ଅଞ୍ଚଳର ଜଣେ ନାବାଳିକା ଶ୍ରୀଧାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀରେ ଅଧ୍ୟୟନ କରିଆସୁଛନ୍ତି । ହୋଷ୍ଟେଲ୍ ରେ ଅନ୍ତେବାସୀ ଭାବେ ରହି ଆସୁଥିଲେ । କୌଣସି କାରଣରୁ ତାଙ୍କ ପେଟ କାଟିବାରୁ ଯନ୍ତ୍ରଣା ସହିନପାରି ସେ ଉକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ ଅନୁଷ୍ଠାନ କର୍ତ୍ତୃପକ୍ଷ ଅବହେଳା କରିବା ସହିତ ତାଙ୍କୁ ନିର୍ଯ୍ୟାତନା ଦେବାରୁ ଅସହ୍ୟ ହୋଇ ବିଳମ୍ବିତ ରାତ୍ରୀରେ ହୋଷ୍ଟେଲ୍ ଡେଇଁ ନିଜ ଘରକୁ ଫେରିଯିବା ପାଇଁ ଉଦ୍ୟମ କରିଥିଲେ । ହେଲେ ବିଦ୍ୟାଳୟ ଛାତରୁ ଡେଇଁ ତାଙ୍କ ଗୋଡରେ ଆଘାତ ଲାଗିବାରୁ ସେ କାନ୍ଦି କାନ୍ଦି ଆସି ପଦ୍ମନାଭପୁର ଗ୍ରାମର କିଛି ବ୍ୟକ୍ତିଙ୍କ ଘର କବାଟ ବାଡେଇ ସାହାଯ୍ୟ ନିବେଦନ କରିଥିଲେ । ନାବାଳିକାଙ୍କୁ ବିଳମ୍ବିତ ରାତ୍ରୀରେ ଏକାକୀ ଏଭଳି ସ୍ଥିତିରେ ଦେଖି ଗ୍ରାମବାସୀ ପୋଲିସ ପ୍ରଶାସନକୁ ଖବର କରିଥିଲେ । ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଲୋକେ ଅସନ୍ତୋଷ ହୋଇଥିଲେ । ଅନ୍ୟପକ୍ଷରେ ଶନିବାର ସକାଳେ ଉକ୍ତ ଅନୁଷ୍ଠାନରେ କାର୍ଯ୍ୟ କରୁନଥିବା ଜଣେ ମୁଷ୍ଠିମେୟ ବ୍ୟକ୍ତି ଶିବାନନ୍ଦ ଦାସ ଗ୍ରାମବାସୀଙ୍କ କବଳରୁ ନାବାଳିକାଙ୍କୁ ଟେକି ଟେକି ନିଜ ମୋଟରସାଇକଲରେ ଚିକିତ୍ସା କରିବା ବାହାନାରେ ନେଇଯାଇଥିଲେ । ଏହାକୁ ପ୍ରତିବାଦ କରି ପଦ୍ମନାଭପୁର ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଶନିବାର ସକାଳେ ଟାୟାର୍ ଜାଳି ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତା ଏସଏଚ ୧୭କୁ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା ଆରମ୍ଭ କରିଥିଲେ । ଶିବାନନ୍ଦ ଦାସ ଉକ୍ତ ନାବାଳିକାଙ୍କୁ ଅଣସାମ୍ବିଧାନିକ ଭାବେ ଘଟଣା ସ୍ଥଳରେ ଜୋରଜବରଦସ୍ତ ଭାବେ ଘଟଣା ସ୍ଥଳରୁ ହରଣଚାଳ କରିଦେଇଥିଲେ ଯେତେବେଳେକି ଉକ୍ତ ନାବାଳିକାଙ୍କ ପରିବାର ବର୍ଗ ଏବଂ ପୋଲିସ ପ୍ରଶାସନ ଖବର ପାଇ ମଧ୍ୟ ପହଞ୍ଚିନଥିଲେ । ଏହାକୁ କେନ୍ଦ୍ର କରି ଗ୍ରାମବାସୀ ମିଳିତ ଭାବେ ଦସ୍ତଖତ ଅଭିଯାନ କରି ଏକ ସ୍ମାରକପତ୍ର ଭାରପ୍ରାପ୍ତ ଥାନାଧିକାରୀ ଦିଗପହଣ୍ଡି ବସନ୍ତ କୁମାର ସେଠୀଙ୍କୁ ଦେଇଥିଲେ । କୌଣସି ମାମଲା ରୁଜୁ ନହେବାରୁ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଖବରପାଇ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ, ବିଡିଓ ହଳଧର ଶବର, ବିଇଓ ବସନ୍ତ କୁମାର ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ତେବେ ପ୍ରଶାସନ ଉକ୍ତ ବେସରକାରୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ । ପରେ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ବିଦ୍ୟାଳୟକୁ ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଆରମ୍ଭ କରିଥିଲେ । ଅପରପକ୍ଷେ ନାବାଳିକା ଜଣଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ପରେ ଶ୍ରୀଧାମ ସରସ୍ୱତୀ ସିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ନାବାଳିକା ଏବଂ ତାଙ୍କ ମାଙ୍କ ବୟାନ ପରିବର୍ତ୍ତନ କରି ଏକ ଭିଡିଓ ଜାରି କରାଯାଇଥିଲା । ସ୍ଥାନୀୟ ସରପଞ୍ଚଙ୍କ କୁପ୍ରରୋଚନା ଏବଂ କୁତ୍ସିତ ଭାବେ କୁହାଯାଉଥିବାର ଏକ ଭିଡିଓ ଜାରି କରାଯାଇ ଭାଇରାଲ୍ କରାଯାଇଥିଲା । ଯାହାକୁ କେନ୍ଦ୍ର କରି ପଦ୍ମନାଭପୁର ଗ୍ରାମବାସୀଙ୍କ ମଧ୍ୟରେ ଏକ ରୋଷ ଦେଖାଦେଇଥିଲ।। ପରେ ଲୋକେ ଏକତ୍ରିତ ହୋଇ ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀ ଦିଗପହଣ୍ଡି ଥାନାକୁ ଯାଇ ଏତଲା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଉକ୍ତ ଶିକ୍ଷାନୁଷ୍ଠାନରେ ବାରମ୍ବାର ବ୍ୟଭିଚାରର ଶୀକାର ହେଉଥିବା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ସୁରକ୍ଷା ଦେଉଥିବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି ଘଟୁଛି ବୋଲି ବୁଦ୍ଧିଜିବୀ ମହଲେ ଚର୍ଚ୍ଚା ଓ ସମାଲୋଚନା ଜୋର୍ ଧରିଛି । ଉଲ୍ଲେଖ ଯୋଗ୍ୟ ଯେ, ସିଦେ୍ଧଶ୍ୱର ଗ୍ରାମର ଜଣେ ଛାତ୍ରୀ ଉକ୍ତ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ଅଧ୍ୟୟନ କରୁଥିବା ବେଳେ ତାଙ୍କ ସହିତ ବ୍ୟଭିଚାର ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଗତ ୨୦୧୬ ମସିହାରେ ଜନଅସନ୍ତୋଷ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ମନ୍ଦିର ଜମି ତଥା ଦେବୋତ୍ତର ବିଭାଗରେ ରହିଥିବା ଜମିକୁ ଅନୁଷ୍ଠାନ ନାମରେ ପଞ୍ଜିକୃତ ହୋଇଥିବା ଘଟଣାକୁ କେନ୍ଦ୍ର କରି ୨୦୧୭ ମସିହାରେ ଜନଆନ୍ଦୋଳନ ହୋଇଥିବା ବେଳେ ଭୀମପୁର ଗ୍ରାମର କାର୍ଯ୍ୟରତ ଥିବା ଜଣେ ଶିକ୍ଷୟତ୍ରୀ ବ୍ୟଭିଚାରରେ ଅତିଷ୍ଠ ହୋଇ ପ୍ରତିବାଦ କରିବାରୁ ତାଙ୍କୁ ଅକାରଣରେ ତଡିଦିଆଯାଇଥିଲା । ସେହିପରି ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପାଇଁ ଫିଜିକାଲ୍ ଏଜୁକେସନ୍ ଟିଚର ପଇଟିର ଆବଶ୍ୟକତା ଥିବା ବେଳେ ଉକ୍ତ ବିଦ୍ୟାଳୟରେ କାଗଜପତ୍ରରେ ରହିଥିବା ପିଇଟି ଶିକ୍ଷକ ଅନ୍ୟତ୍ର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସେହିପରି ସମ୍ପ୍ରତ୍ତି ଖୋଲାଯାଇଥିବା ଯୁକ୍ତ ୨ ଜୁନିୟର୍ କଲେଜ ମଧ୍ୟ ଗୋଟିଏ ସ୍ଥାନରୁ ଅନୁମତି ଆଣି ଅନ୍ୟତ୍ର ସୁଦୂର ବ୍ରହ୍ମପୁରରେ ହୋଷ୍ଟେଲ୍ ବ୍ୟବସ୍ଥା ସହିତ ଖୋଲିଛନ୍ତି । ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ କିମ୍ବା ଜିଲା ଶିକ୍ଷା ବିଭାଗରେ ଏନେଇ ଖବର ଅଛିକି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ଏଭଳି ବିଭିନ୍ନ ଦୁର୍ନିତୀକୁ ନେଇ ପଦ୍ମନାଭପୁର ଗ୍ରାମବାସୀ ଏବେ ଉତ୍ତ୍ୟକ୍ତ ହୋଇ ମେଳି ବାନ୍ଧିଥିବା ବେଳେ ଜିଲା ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ତଦନୁଯାୟୀ କାର୍ଯ୍ୟପନ୍ଥା ଅବଲମ୍ବନ ନକରିଲେ ସାମ୍ଭାବ୍ୟ ଅଘଟଣକୁ ଏଡାଇଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here