ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ଚମ୍ପିଆନସିପରେ ପଦକ ହାସଲ କରିଥିବା ସ୍କେଟରମାନେ ସମ୍ୱର୍ଦ୍ଧିତ

0
268

ବ୍ରହ୍ମପୁର,୩୧/୧୦– ଅକ୍ଟୋବର ମାସ ୧୨ ରୁ ୧୪ତାରିଖ  ପର୍ଯ୍ୟନ୍ତ ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ରାୟପୁର ଠାରେ ସିବିଏସଇ ପକ୍ଷରୁ ଆୟୋଜିତ ଜୋନାଲ ଲେବେଲ ସ୍କେଟିଂ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଥିଲା  । ଏଥିରେ ବ୍ରହ୍ମପୁର ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସହରର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର ୬ ଜଣ ସ୍କେଟର ଏଥିରେ ଅଂଶ ଗ୍ରହଣ କରିଥିଲେ  । ଏହି ପ୍ରତିଯୋଗୀତାରେ ୪ ଜଣ ସ୍କେଟର ଉତ୍ତମ ପ୍ରଦର୍ଶନ କରି ସଫଳତା ପାଇଥିବା ବେଳେ ତିନୋଟି ସ୍ୱର୍ଣ୍ଣ ଓ ତିନୋଟି କାଂସ୍ୟ ପଦକ ହାସଲ କରିଛନ୍ତି  । ଏଣୁ ଏହି ସ୍କେଟର ମାନଙ୍କୁ ଉତ୍ସାହିତ ଓ ସେମାନଙ୍କ ମନୋବଳ ଦୃଢ କରିବା ଉଦ୍ଦେଶ୍ୟରେ ଏକାଡେମୀ ପରିସରରେ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଅଲମ୍ପିଆନ ତଥା ଅର୍ଜୁନ ଆୱାଡି ଭାରତ୍ତୋଳକ କେ.ରବି କୁମାର, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସଭାପତି ତଥା ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନ ର ସଭାପତି ଅଶୋକ ସାହୁ, ଓ ଶିକ୍ଷାବିତ୍ ତଥା ଗଞ୍ଜାମ  ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନର ଉପ-ସଭାପତି ଇ.ଟି ରାଓ ଅତିଥି ଭାବେ ଯୋଗ ଦେଇ ସ୍କେଟର ମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ  । ସୂଚନା ଯୋଗ୍ୟ ଯେ , ଏହି ଏକାଡେମୀର ୪ଜଣ ସ୍କେଟର ମାନଙ୍କ ମଧ୍ୟରେ ୮ ବର୍ଷରୁ କମ୍ ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅନ୍ୱେଷା ବିଷୋୟୀ ୩ ଶହ ମିଟର ଓ ଏକ ହଜାର ମିଟର ରେସରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ , ୧୦ ବର୍ଷ କମ ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ଆଶୁତୋଷ ପାଢୀ ଏକ ହଜାର ମିଟର ରେସରେ ସ୍ୱର୍ଣ୍ଣ ଓ ୩ ଶହ ମିଟରରେ କାଂସ୍ୟ ପଦକ, ୧୨ ବର୍ଷ ବାଳକ ବର୍ଗରେ କେ.ସି ପବ୍ଲକି ସ୍କୁଲର ପୁନିତ୍ ଗୌଡ଼ ଏକ ହଜାର ମିଟର ରେସରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ  ଓ ସଙ୍କଳ୍ପ ହାଏର ସେକେଣ୍ଡାରୀ ସ୍କୁଲର ଅନୁଭବ ପଣ୍ଡା ୧୪ ବର୍ଷ ବର୍ଗ ଏକ ହଜାର  ମିଟର ରେସରେ କାଂସ୍ୟ ପଦକ ହାସଲ କରିଛନ୍ତି  । ଏହି ଚମ୍ପିଆନସିପ୍ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଫାର ଇଷ୍ଟ ଜୋନର ୧୧ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ  । ନିଜ ନିଜ ବର୍ଗରେ  ଅନ୍ୱେଷା ଓ ଆଶୁତୋଷ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ନଭେମ୍ୱର ମାସ ୨୬ ରୁ ୩୦ ତାରିଖରେ କର୍ଣ୍ଣାଟକର ବେଲଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି  । ଜାତୀୟ ପ୍ରତିଯୋଗୀତାରେ ଭାଗ ନେବାକୁ ଥିବା ଏହି ଦୁଇ କୁନି ସ୍କେଟର କିଭଳି ଉତ୍ତମ ପ୍ରଦର୍ଶନ କରିବେ ସେଥିପାଇଁ ଏହି ଅବସରରେ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ  । ସେପଟେ  ୫୭ ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ୍ ପାଇଁ ନଭେମ୍ୱର ୩ ତାରିଖରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧସ୍ଥିତ ଗାନ୍ଧୀ ସ୍କୁଲ ଅଫ ଇଂଞ୍ଜିନିୟରିଂ ପରିସରରେ  ହେବାକୁ ଥିବା ଓଡିଶା ଟିମ୍ ଚୟନରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା  । ଏହି ଉତ୍ସବରେ ଏକାଡେମୀର କର୍ମକର୍ତ୍ତମାନଙ୍କ ସମେତ ବହୁ ସ୍କେଟର ଓ ଅଭିଭାବକମାନେ ଯୋଗ ଦେଇଥିଲେ  ।

LEAVE A REPLY

Please enter your comment!
Please enter your name here