ସାଉଥ୍ କୋ ଦୂର୍ନୀତିଗସ୍ତ ଅଫିସର ବିରୁଦ୍ଧ ରେ ତଦନ୍ତ ଦାବୀ କଲା ଅଲ୍ ଇଣ୍ଡିଆ ଫରଓ୍ୱାର୍ଡ ବ୍ଳକ ରାଜ୍ଯ କମିଟି

0
187

ଭୁବନେଶ୍ୱର , ୧୩/୧୧ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବିତରକ ସଂସ୍ଥା ବ୍ରହ୍ମପୁରସ୍ଥ ସାଉଥ୍‌କୋ କାର୍ଯ୍ୟାଳୟ ଦୁର୍ନୀତିଖୋରଙ୍କର ଅଡ୍ଡ଼ାସ୍ଥଳରେ ପରିଣତ ହୋଇଛି । ବିଶେଷକରି ସାଉଥ୍‌କୋ ୟୁଟିଲିଟ୍ ସିଟିସର୍କଲ ଅଧିନରେ ବ୍ୟାପକ ଅନିୟମିତତା ଓ ଟେଣ୍ଡର ଫିକସିଂ ସଂଗଠିତ ହୋଉଛି । ସେଠାରେ କାର୍ଯ୍ୟରତ ଜେନେରାଲ୍ ମ୍ୟାନେଜର ତଥା ପୂର୍ବରୁ ସେହିଠାରେ ଅବସ୍ଥାପିତ ଥିବା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଲେଙ୍କା ପ୍ରସାଦଙ୍କ ସମୟରେ ବିଭିନ୍ନ କାର୍ଯରେ ଅନିୟମିତତା ହୋଇଥିବା ବେଳେ ଗୋଳାବନ୍ଧ ପ୍ରକଳ୍ପ ସବ-ଷ୍ଟେସନ ଓ ୧୦ କି.ମି ଭୂତଳ କେବୁଲ ବିଛାଇବା ପାଇଁ ଏଷ୍ଟିମେଟ ମୁଲ୍ୟ ୨,୮୬,୨୮,୬୧୭.୦୦ ଟଙ୍କାର ଟେଣ୍ଡରକୁ ବୈଷୟୀକ କମିଟିର ବିନା ଅନୁମୋଦେନରେ ଏବଂ ପ୍ରମୁଖ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ନକରି ଟେଣ୍ଡର କରାଇଛନ୍ତି । ଏହି ଘଟଣା ସଂପର୍କରେ ସାଉଥ୍‌କୋ ୟୁଟିଲିଟିର ମୁଖ୍ୟ ଭିଜିଲାନ୍ସର ଅଧିକାରୀ ତଦନ୍ତ ପାଇଁ ଅଥରାଇଡ଼୍ ଅଧିକାରୀ, ସାଉଥିକୋ ୟୁଟିଲିଟି, ବ୍ରହ୍ମପୁରଙ୍କୁ ଚିଠି ନଂ ୧୪୪୩୮, ତା- ୦୮-୧୨-୨୦୧୬ ଜରିଆରେ ନିର୍ଦ୍ଦେଶ ଦେଇଥିଲେ । ଏହି ଚିଠି ପରେ ଅଥରାଇଜଡ୍ ଅଧିକାରୀ ତା.୧୪/୩/୨୦୧୯ରିଖ ତଦନ୍ତ ପାଇଁ ସାଉଥ୍‌କୋର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପି. ଅରୁଣ କୁମାରଙ୍କ ନିକଟକୁ ପଠାଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ ତଦନ୍ତ ପାଇଁ ଚିଠି ଲେଖିଥିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିବାବେଳେ ବର୍ତ୍ତମାନ ଏହି ତଦନ୍ତ ଫାଇଲ୍ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପି. ଅରୁଣ କୁମାରଙ୍କ ପାଖରେ ପଡ଼ିରହିଛି । ଯେଉଁ ଘଟଣା ସେଠାରେ ଚାଲିଥିବା ଅନିୟମିତତା ଏବଂ ତା’ର ତଦନ୍ତ ପ୍ରକ୍ରିୟାରେ ଶିଥିଳତାକୁ ସ୍ପଷ୍ଟ ସୂଚାଉଛି । ଯେଉଁ ଘଟଣାର ଅନୁସନ୍ଧାନ କଲାବେଳେ ଆମ ନଜରକୁ ଆସିଥିବା କିଛି ଘଟଣା ସମଗ୍ର ଘଟଣାକୁ ଆହୁରି ପ୍ରହେଳିକାମୟ କରିଛି । ସୂଚନାଯୋଗ୍ୟଯେ, ଶ୍ରୀ ପି. ଅରୁଣ କୁମାର ପୂର୍ବରୁ ରାୟଗଡ଼ା ସାଉଥ୍‌କୋ ଠାରେ ଅଧିକ୍ଷଣ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ୨୦୦୮ ମସିହାରେ ତାଙ୍କ ଉପରେ ଭିଜିଲାନ୍ସ ବିଭାଗ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ଯାହାଫଳରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ଯାହା ଓଡ଼ିଶା ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗର ଚିଠି ନଂ- ୩୫୫୧, ତା. ୧୫.୦୭.୨୦୦୮ରିଖର ଚିଠିରୁ ସ୍ପଷ୍ଟ ପ୍ରମାଣିତ । ଯେଉଁଥିରେ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା ଯେ, ଶ୍ରୀ ପି. ଅରୁଣ କୁମାରଙ୍କୁ ପରବର୍ତ୍ତୀ ଅବସ୍ଥାରେ କୌଣସି ସ୍ପର୍ଶକାତର ପଦବୀରେ ଅବସ୍ଥାପିତ କରାଯିବ ନାହିଁ । ଯେଉଁ ନିର୍ଦ୍ଦେଶକୁ ବେଖାତିର କରି ପରବର୍ତ୍ତୀ ଅବସ୍ଥାରେ କେବଳ ତାଙ୍କୁ ପଦୋନ୍ନତି ଦିଆଯାଇନାହିଁ ବରଂ ତାଙ୍କୁ ସାଉଥ୍‌କୋର ମୁଖ୍ୟ ପରିଚାଳନା ଅଧିକାରୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦୀର୍ଘବର୍ଷ ଧରି ଅବସ୍ଥାପିତ କରି ରଖାଯାଇଛି ।
ଶ୍ରୀ ପି.ଅରୁଣ କୁମାରଙ୍କ ସମ୍ପର୍କିତ ତଳ କୋର୍ଟର ରାୟ ବିରୁଦ୍ଧରେ ରାଜ୍ୟ ସରକାର ଉପର କୋର୍ଟକୁ ନ ଯିବା ଘଟଣା ନିଶ୍ଚିତ ଭାବରେ ସମଗ୍ର ଘଟଣାକୁ ସନ୍ଦେହ ମଧ୍ୟକୁ ଟାଣିନେଉଛି । ବର୍ତ୍ତମାନର ସାଉଥ୍‌କୋ କର୍ପୋରେଟ କାର୍ଯ୍ୟାଳୟର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପି. ଅରୁଣ କୁମାର ଏବଂ ଜେନେରାଲ ମ୍ୟାନେଜର ଶୀଲେଙ୍କା ପ୍ରସାଦଙ୍କ ମନମୁଖୀ କାର୍ଯ୍ୟ ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି । ଏଭଳିକି ରାଜ୍ୟ ସରକାର ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବା କାର୍ଯ୍ୟକୁ ମହିଳା ଏସ୍‌.ଏସ୍‌.ଜି. ମାନଙ୍କ ଜରିଆରେ କରାଇବା ପାଇଁ ଘୋଷଣା କରିଥିଲେ ମଧ୍ୟ ଜି.ଏମ୍‌. ଲେଙ୍କା ପ୍ରସାଦ ଏଥିରେ ଅନ୍ତରାୟ ସୃଷ୍ଟି କରି ଭିନ୍ନ ଏକ ଘରୋଇ କମ୍ପାନୀକୁ ଏହାର ଦାୟିତ୍ୱ ପ୍ରଦାନ କରିବା ପାଇଁ ମସୁଧା ଚଲାଇଛନ୍ତି । ଯେଉଁଥିରୁ ଦୁର୍ନୀତିର ଗନ୍ଧ ବାରି ହେଉଛି । ଉପରୋକ୍ତ ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନୀରବତା ସମଗ୍ର ଘଟଣାକୁ ସନ୍ଦେହର ବଳୟ ମଧ୍ୟକୁ ଟାଣିନେଉଛି । ୨୦୧୩ ମସିହା ଫାଇଲିନ୍ ସମୟରେ ମଧ୍ୟ ଗଞ୍ଜାମ ଜିଲ୍ଳାସ୍ଥ ଖଜୁରୀଆ ସେଣ୍ଟ୍ରାଲ ଷ୍ଟୋରରେ ମଧ୍ୟ ଟ୍ରାନ୍ସଫର୍ମର କିଣା ଏବଂ ଖରାପ ଟ୍ରାନ୍ସଫର୍ମରକୁ ରଦ୍ଦି ମୂଲ୍ୟରେ ବିକ୍ରୟ କରିବାର ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଅଧିକାରୀମାନେ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି । ଶ୍ରୀ ଲେଙ୍କା ପ୍ରସାଦ ବ୍ରହ୍ମପୁର ସାଉଥ୍‌କୋ ଅଧୀକ୍ଷଣ ଯନ୍ତ୍ରୀ ଥିବା ସମୟରେ ବ୍ୟାପକ ଟେଣ୍ଡର ଫିକ୍ସି ଓ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଘଟଣାର ଦତନ୍ତ ପାଇଁ ଗତ ନଭେମ୍ବର ୫ ତାରଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଶକ୍ତି ମନ୍ତ୍ରୀ, ଶକ୍ତି ବିଭାଗ ସଚିବ ଏବଂ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅବଗତ କରାଯିବାର ୯ ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ତଦନ୍ତ ଆରମ୍ଭ ହୋଇନାହିଁ । ରାଜ୍ୟ ସରକାର ୫ଟି ର ବାର୍ତ୍ତା ସାରା ରାଜ୍ୟରେ ପ୍ରଚାର କରି ବାହାବା ସାଉଣ୍ଟୁ ଥିବା ବେଳେ ଏଭଳି ଦୁର୍ନୀତି ଘଟଣା ଏବଂ ଏଥିସହିତ ସଂଶ୍ଳିଷ୍ଟ ଅଫିସରଙ୍କୁ ଘଣ୍ଟ ଘୋଡାଇ ପଦୋନ୍ନତି ଦେବା ଭଳି ଘଟଣା ନାନା ସନ୍ଦେହ ସୃଷ୍ଟି କରୁଛି । ଅତୀତରେ ଦୁର୍ନୀତିର କଳଙ୍କ ବହନ କରୁଥିବା ଶ୍ରୀ ପି. ଅରୁଣ କୁମାର ପଦୋନ୍ନତି ପାଇ ଅଧୀକ୍ଷଣ ଯନ୍ତ୍ରୀରୁ ସାଉଥ୍‌କୋର ମୁଖ୍ୟ ପରିଚାଳନା ଅଧିକାରୀ ପର୍ଯ୍ୟନ୍ତ ପହଞ୍ଚିବା, ଏହି ପଦବୀରେ ତାଙ୍କୁ ବାରମ୍ବାର ଏକ୍ସଟେନ୍ସନ୍ ଦିଆଯାଇ ଅବସ୍ଥାପିତ କରିବା ଏବଂ ଶ୍ରୀ ଲେଙ୍କା ପ୍ରସାଦଙ୍କ ଭଳି ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅଫିସରଙ୍କ କଳେବର ବୃଦ୍ଧି ଭଳି ଘଟଣା ନିଶ୍ଚିତ ଭାବରେ ନିନ୍ଦନୀୟ ଏବଂ ଅନୁସନ୍ଧାନ ସାପେକ୍ଷ । ରାଜ୍ୟ ସରକାର ଏଭଳି ଦୁର୍ନୀତିଗସ୍ତ ଅଫିସରଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ଏହି ଘଟଣାର ସଠିକ୍ ତଦନ୍ତ କରାଗଲେ ସାଉଥ୍‌କୋରେ କାର୍ଯ୍ୟ କରୁଥିବା ଆହୁରି ଅଧିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ପଦାକୁ ଆସିପାରିବ । ସାଧାରଣ ଜନତାଙ୍କ ଟିକସ ପଇସାକୁ ନାନା ଫନ୍ଦି କରି ଲୁଟ୍ କରି ନିଜର ସାମ୍ରାଜ୍ୟ ବୃଦ୍ଧିରେ ବ୍ୟସ୍ତ ଏଭଳି ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢୀ, ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲା ୟୁଥ୍ ଲିଗ୍ ସମ୍ପାଦକ ମିଥୁନ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here