ଭୋଟର ଯାଞ୍ଚ ତାଲିକା ଅବଧି ଆସନ୍ତା ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା

0
177

ଭୂବନେଶ୍ୱର,୧୬/୧୧-ଭୋଟର ଯାଞ୍ଚ ତାଲିକା ଅବଧି କୁ ଆସନ୍ତା ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ନିର୍ଦ୍ଦେଶକ୍ରମେ ଭୋଟର ଯାଞ୍ଚ ତାଲିକା ଅବଧିକୁ ବଢ଼ାଇ ଦିଆଯାଇଛି । ଭୋଟରଙ୍କ ସୁବିଧା ନିମନ୍ତେ ଏହି କାର୍ଯ୍ୟକ୍ରମ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଲୋହାନୀ ଜଣାଇଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପର୍ଯ୍ୟନ୍ତ ୯୦.୭୭୭ ପ୍ରତିଶତ ଅର୍ଥାତ୍‌ ୪ଲକ୍ଷ ୮୫ ହଜାର ୨୪୧ଟି ଫର୍ମ ସଂଗ୍ରହ କରାଯାଇଛି । ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ବାଦ ଓ ସଂଶୋଧନ ନିମନ୍ତେ ଫର୍ମ ୬, ୭, ଓ ୮(କ) ବ୍ୟବହାର କରାଯାଉଛି ।
ଆଜି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଲୋହାନୀ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି କ୍ଷେତ୍ରରେ ଭଲ କାମ କରିଥିବା ଜିଲ୍ଲାପାଳଙ୍କୁ ସେ ପ୍ରଶଂସା କରିଥିଲେ । ଆସନ୍ତା ୩୦ ତାରିଖ ସୁଦ୍ଧା ଶତ ପ୍ରତିଶତ ସଫଳତା ହାସଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫର୍ମ ସଂଗ୍ରହ ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ପରାମର୍ଶ ଦେଇଥିଲେ । ଭୋଟର ମାନେ ମଧ୍ୟ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ ‘ଡବ୍ଲୁ ଡବ୍ଲୁ ଡବ୍ଲୁ ଏନ୍‌ଭିଏସପି. ଇନ୍‌’ ମାଧ୍ୟମରେ ଭୋଟର ଲିଷ୍ଟ ଦେଖିବା ସହ ତ୍ରୁଟି ସଂଶୋଧନ କରିପାରିବେ । ସେହିଭଳି ସବୁ ବ୍ଲକ୍‌ରେ ଖୋଲିଥିବା ଭୋଟର ସହାୟତା କେନ୍ଦ୍ର, ଜନସେବା କେନ୍ଦ୍ର, ବିଏଲ୍‌ଓ କିମ୍ବା ୧୯୫୦ ନମ୍ବରରେ ଫୋନ୍‌ କରି ଭୋଟର ଲିଷ୍ଟ ଯାଞ୍ଚ ଓ ସଂଶୋଧନ କରିପାରିବେ ।
ଏହାପରେ ଡିସେମ୍ବର ୧୬ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବ । ଏଥି ସମ୍ପର୍କିତ ଦାବି ଓ ଆପତ୍ତି ଡିସେମ୍ବର ୧୬ ତାରିଖ ଠାରୁ ୨୦୨୦ ଜାନୁଆରୀ ୧୫ ତାରିଖ ମଧ୍ୟରେ ସଂଗ୍ରହ କରାଯିବ । ଏହାର ଫଏସଲା ଜାନୁଆରୀ ୨୭ ତାରିଖରେ ହୋଇ ୨୦୨୦ ଫେବ୍ରୁଆରୀ ୭ ତାରିଖ ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଶ୍ରୀ ଲୋହାନୀ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ଓ ଶତ୍ରୁଘ୍ନ କର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ନୀତିରଞ୍ଜନ ସେନ୍‌, ଇଂ ଇଦ୍ରିଶ୍‌ ଖାନ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here