ପ୍ରଥମ ୬ ମାସରେ ୬ଟି ବଡ ବିଫଳତା ହେଉଛି ରାଜ୍ୟସରକାରଙ୍କ ରିପୋର୍ଟ କାର୍ଡ : ବିଜେପି

0
191

ଭୁବନେଶ୍ୱର,ତା.୦୬/୧୨:(ବ୍ୟୁରୋ ରିପୋର୍ଟ) ଓଡିଶାରେ ବିଜେଡି ଶାସନର ପଂଚମ ପାଳିର ପ୍ରଥମ ୬ ମାସରେ ୬ ମହାବିଫଳତାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କୈଫିୟତ ମାଗିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ରାଜ୍ୟରେ ମହିଳା ଧର୍ଷିତା-ଲାଂଚ୍ଛିତା-ଅପମାନିତା ହେବା, ଗରିବଙ୍କ ପକ୍କା ଘର ଯୋଜନାରେ ଗରିବ ବଦଳରେ ଦଳୀୟ କର୍ମୀ ଯୋଜନା ହାତେଇ ନେବା, ଫନିର ପ୍ରଚୁର କେନ୍ଦ୍ରୀୟ ସହାୟତା ଶାସନ ଓ ପ୍ରଶାସନ ଦ୍ୱାରା ବାଟମାରଣା ହେବା, ମେକ୍ ଇନ୍ ଓଡିଶା ନାରା ସମ୍ପୂର୍ଣ୍ଣ ବିଫଳ ହେବା, ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡିବା ଏବଂ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନଥିବା ରାଜ୍ୟସରକାର ଏବେ ନିଜସ୍ୱ ଯୋଜନା ପାଇଁ ଅର୍ଥ ଅଭାବ ହେବାରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ଆଦି ୬ଟି ପ୍ରସଙ୍ଗ ବିଜେଡି ଶାସନର ପ୍ରଥମ ୬ ମାସର ବଡ ଉପଲବ୍ଧି କହି ତାଚ୍ଛଲ୍ୟ କରିଛନ୍ତି ଶ୍ରୀ ମହାନ୍ତି ।

ଓଡିଶାରେ ମହିଳା ଦୁଷ୍କର୍ମ ଖାଲି ବଢିନି ବରଂ ମହିଳାକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ରକ୍ଷଣ ପୋଲିସ ବାହିନୀ ରାକ୍ଷାସ ପାଲଟି ଯାଇଛି । ମୃତା ସ୍ମିତାରାଣୀଙ୍କ ଚରିତ୍ର ସଂହାର କରି ଯାଜପୁର ଏସପି ଚରଣ ସିଂ ମୀନା ଶାସନ ଦଳର ବାହୁବଳି ନେତାଙ୍କ ପାଇଁ ବନିଛନ୍ତି ସୁରକ୍ଷା କବଚ । ସରକାରୀ ରେକର୍ଡରେ ଭଙ୍ଗାଯାଇଥିବା ରଙ୍ଗଶାଳା ବଡ ବଡିଆଙ୍କ ଜୀବନକୁ ରଙ୍ଗୀନ କରିବାରେ ହେଉଥିଲା ବ୍ୟବହୃତ । ଯାଜପୁରର ରଙ୍ଗଶାଳାରୁ ପୁରୀର ପୋଲିସ କ୍ୱାଟର ମହିଳାଙ୍କ ଅତ୍ୟାଚାର ପାଇଁ ବନିଥିଲା ଭୋଗଶାଳା । ଦୁଷ୍କର୍ମରେ ଓଡିଶା କଲାଣି ରେକର୍ଡ । ଏନସିଆରବି ରିପୋର୍ଟ କୁହନ୍ତୁ ବା ବିଧାନସଭାରେ ରାଜ୍ୟରେ ନଗଣ୍ୟ ଚାର୍ଜ ସିଟ୍ ହେଉ ଅଥବା ଦଣ୍ଡବିଧାନ ରାଷ୍ଟୀୟ ସ୍ତରରୁ ଖସିଛି ବହୁ ତଳକୁ । ଏହାକୁ କଣ ନବୀନ ବାବୁ ମହିଳା ମାମଲାରେ ରାଜନୈତିକ ନକରିବା କହି ନିଜ ଦାୟିତ୍ୱକୁ ଏଡାଇ ଦେଇପାରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସର ମହାଘୋଟାଲା ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ମହାଙ୍ଗା ନିର୍ବାଚନ ମଣ୍ଡଳିରେ ମିଳିଥିବାର ପ୍ରମାଣ ରାଜ୍ୟବାସୀଙ୍କ ଆଖି ଖୋଲିଦେଇଛି । ଶାସକ ଦଳର ଧନୀ ବଡ ନେତାଙ୍କୁ ଘର ମିଳିଛି । ମାତ୍ର ବିଧବା, ମହିଳା, ଭୂମିହୀନ, ଦିବ୍ୟାଙ୍ଗ ପରି ପରିବାର ଲାଂଚ ଦେଇନପାରିବା କାରଣରୁ ସରକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ମାହାଙ୍ଗାରେ ଆବାସ କେଳେଙ୍କାରୀରେ ଯେଉଁ ବିଡିଓ ସମ୍ପୃକ୍ତ ତାଙ୍କୁ ଖୋଦ୍ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କର ଓଏସଡି ଭାବେ ସରକାର ପଦୋନ୍ନତି ଦେଇଛନ୍ତି । ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ପରି ଆବାସ ଯୋଜନା ବଂଟନରେ ଗରିବ ବଂଚିତ ହେବା କଣ ନବୀନ ବାବୁଙ୍କ ୬ ମାସ ଶାସନର ବଡ ଉପଲବ୍ଧି ?
ସେହିପରି ଫନି ଆସିବା ପୂର୍ବରୁ ଓ ପରେ କେନ୍ଦ୍ର ସରକାର ରେକର୍ଡ ପରିମାଣର ଆର୍ଥିକ ସହାୟତା ରାଜ୍ୟକୁ ଯୋଗାଇେଦେଲେ । ଫନିରେ ପୁରୀ, ଖୋଦ୍ଧା ସମେତ ଅଳ୍ପ କେତୋଟି ଉପକୂଳ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଏବେ ବି ପଲିଥିନ୍ ତଳେ ଲୋକ ଜୀବନ ବିତାଉଛନ୍ତି । ଟଙ୍କା କେଉଁଆଡେ ଯାଉଛି କିଏ ନେଉଛି, କ୍ଷତିପୂରଣ ଟଙ୍କା କିଏ ପାଉଛନ୍ତି ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରି ଲୋକ ଲୋକୟୁକ୍ତଙ୍କୁ ଆଗରେ ଅଭିଯୋଗ କରିବା ପରେ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ନୋଟିସ ଦେବା ଆରମ୍ଭ କଲେଣି । ମାତ୍ର ଯାଂଚ କରି କ୍ଷତି ପୂରଣ ପାଇଁ ଯୋଗ୍ୟ ବାଛିବାର ଦାୟିତ୍ୱରେ ଥିବା ସରକାର କାହିଁକି ଭୁଲ ଲୋକଙ୍କୁ ଏହି ସୁବିଧା ଦେଲେ ତାହା ରାଜ୍ୟ ସରକାରଙ୍କ ମହାବିଫଳତାକୁ ପ୍ରମାଣିତ କରୁଛି କି ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶିଳ୍ପାୟନର ଡିଣ୍ଡିମ ପିଟୁଥିବା ନବୀନ ବାବୁଙ୍କ ରାଜ୍ୟ ସରକାର ମେକ୍ ଇନ୍ ଓଡିଶା ପ୍ରକଳ୍ପରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ୨୦୧୬ ଓ ୧୮ ମସିହାରେ ଉଭୟ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ମାନଙ୍କର ପ୍ରକୃତ ପୁଞ୍ଜିନିବେଶ ବିଫଳ ହେଉ ଅଥବା ଯେତେକି ସଂଖ୍ୟକ ଲୋକଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କର୍ମସଂସ୍ଥାର ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପାଣିର ଗାର ସଦୃଶ ହେବା ନବୀନ ବାବୁଙ୍କ ୬ ମାସର ସଫଳତା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ ସିଏଜିଙ୍କ ସଦ୍ୟତମ ରିପୋର୍ଟ ରାଜ୍ୟ ସରକାରଙ୍କର ମୁଖା ଖୋଲିଦେଇଛି । ଆସୁଥିବା ପ୍ରଚୁର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବା ବଦଳରେ ବିନା କାରଣରେ ଋଣ ଆଣି ଓଡିଶା ଅର୍ଥନୀତିକୁ ଦେବାଳିଆ କରିବାରେ ବଡ ଭୂମିକା ନେଇଛନ୍ତି ରାଜ୍ୟ ସରକାର । ସିଏଜି ତାଙ୍କ ସଦ୍ୟତମ ରିପୋର୍ଟରେ ରାଜ୍ୟ ତହବିଲର ୩୮ ହଜାର ୪୨୭ କୋଟି ଟଙ୍କା ଗାଏବ ହେବା, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଫେରସ୍ତ ନଦେବା, ତଥା ଅର୍ଥ ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହା କଣ ରାଜ୍ୟ ସରକାରଙ୍କ ୬ ମାସର ସଫଳତା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏବେ ରାଜ୍ୟ ସରକାର କାଳିଆ ଯୋଜନାକୁ ପିଏମ କିଷାନ ନିଧି ଯୋଜନାରେ ସାମିଲ କରବା ପାଇଁ ଯାଉଛନ୍ତି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରାଇ ଦେଉନଥିବାବେଳେ ନିର୍ବାଚନ ସରିବା ପରେ ରାଜ୍ୟ ଯୋଜନାର ଅର୍ଥ ଅଭାବ ହେବା ପରେ ଏବେ କେନ୍ଦ୍ରୀୟ ଯୋଜନାରେ ସାମିଲ କରି ମିଶାଇବା ପାଇଁ ପ୍ରୟାସ କରୁଛନ୍ତି । ପ୍ରସ୍ତାବିତ କୋଷ୍ଟାଲ ହାଇୱେକୁ ଥଣ୍ଡା ବାକ୍ସରେ ବର୍ଷ ବର୍ଷ ଧରି ପକାଇବା ପରେ ଏବେ କ୍ରିୟାନ୍ୱୟନ ପାଇଁ ଅନୁମତି ଦେବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ବନ୍ଦ ରଖିବା କଣ ନବୀନ ବାବୁଙ୍କ ସଫଳତାର ମାପକାଠି । ଓଡିଶାର ଲୋକଙ୍କ ସ୍ୱାର୍ଥ ପଛେ ରସାତଳଗାମୀ ହେଉ ମାତ୍ର ବିଜେଡିର ଭୋଟ ସୁରକ୍ଷିତ ରହୁ ବୋଧହୁଏ ଏଥିପାଇଁ ମୋଦିଙ୍କ ଏତେବଡ ଦୁଇ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ରାଜ୍ୟ ସରକାର କଳାପାହାଡ ପରି ଠିଆହେବା କଣ ନବୀନ ବାବୁଙ୍କ ୬ ମାସର ବଡ ଉପଲବ୍ଧି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here