ଟିମ କ୍ଲିନ ସିଟିର ଦାବିକୁ ନେଇ ସାଉଥ୍କୋ ପକ୍ଷରୁ ତତ୍ପରତା। ସରଜମିନ ସମୀକ୍ଷା ପରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ।

0
309

 

ବ୍ରହ୍ମପୁର,୧୩/୧୨(ବ୍ୟୁରୋ ରିପୋର୍ଟ)-:
ବ୍ରହ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ରହିଛି ବିଦ୍ୟୁତ ଜନିତ ଅନେକ ସମସ୍ୟା। ସେଥି ମଧ୍ୟରୁ ବିପଦଶଙ୍କୁଳ ଅବସ୍ଥାରେ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର, ଘର ଉପର ଦେଇ ଯାଇଥିବା ୩୩କେବି ବିଦ୍ୟୁତ ତାର ଓ ବିଭିନ୍ନ ଅଂଚଳରେ ଲୋ ଭୋଲ୍ଟେଜକୁ ନେଇ ରହିଥିବା ଲୋକଙ୍କ ମଧ୍ୟରେ ରହିଥିବା ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଓ ଟିମ କ୍ଲିନ ସିଟିର ସଦସ୍ୟଙ୍କ ପକ୍ଷରୁ ସାଉଥ୍କୋ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ସମସ୍ୟାର ଗୁରୁତ୍ବକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଆଜି ନିଜେ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଚନ୍ଦନ ଦାଶ ବିଭିନ୍ନ ଅଞ୍ଚଳକୁ ଟିମ କ୍ଲିନ ସିଟିର ସଦସ୍ୟଙ୍କ ସହ ଯାଇ ସରଜମିନ ସମୀକ୍ଷା କରିଥିଲେ। ଅଞ୍ଚଳବାସୀଙ୍କ ଠାରୁ ସିଧାସଳଖ ପ୍ରତିକ୍ରିୟା ନେଇଥିଲେ। ଏଭଳିକି ହରିଡ଼ାଖଣ୍ଡି ଛକ, ଲକ୍ଷ୍ମୀନୃସିଂହ ସାହି ଓ ରଘୁପତି ନଗର ଅଂଚଳରେ ବିପଦଶଙ୍କୁଳ ଅବସ୍ଥାରେ ଥିବା କିଛି ଟ୍ରାନ୍ସଫର୍ମର ଓ ବିଦ୍ୟୁତ ଖୁଣ୍ଟକୁ ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଥିଲେ। ତୁରନ୍ତ ଏସବୁ ସମସ୍ୟାର ସ୍ଥାୟୀ ତଥା ତୁରନ୍ତ ପ୍ରତିକାର ପାଇଁ ସମ୍ପୃକ୍ତ ଅଂଚଳର କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସାଉଥ୍କୋ କର୍ତ୍ତୃପକ୍ଷଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିଛି ଟିମ କ୍ଲିନ ସିଟି ଏବଂ ସହରବାସୀ। ଟିମ କ୍ଲିନ ସିଟି କେବଳ ସହରର ସ୍ୱଚ୍ଛତା ଓ ଅସହାୟଙ୍କୁ ସହାୟତାର ହାତ ବଢ଼ାଇବ ଏହା ନୁହଁ ବରଂ ସମାଜର ତଥା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆଗେଇ ଆସିବ ବୋଲି ସଂଗଠନର ସଦସ୍ୟ ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ସହିତ ଟିମ କ୍ଲିନ ସିଟିର ସଦସ୍ୟ ଶକ୍ତିଧର ରାଜଗୁରୁ, ଅଶୋକ ଶୁକ୍ଳ, ରାଜେଶ କୁମାର ସାହୁ, ଅଭୟ କୁମାର ରଥ, ଅନୀଲ ଚୌଧୁରୀ ଓ ଅସିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here