+୨ ଗଣିତରେ ୯ ପରୀକ୍ଷାର୍ଥୀ ସ୍କ୍ୱାଡ଼ ହାତରେ ଧରାପଡ଼ିଲେ

0
323

 

ବ୍ରହ୍ମପୁର, ୧୧/୦୩/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବାର୍ଷିକ ପରୀକ୍ଷାର ପଞ୍ଚମ ଦିନ l ଆଜି ଅନୁଷ୍ଠିତ +୨ କଳା ଓ ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀଙ୍କ ଗଣିତ ଓ କଳା ସ୍ରୋତର ଗୃହ ବିଜ୍ଞାନ ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି l ତେବେ ଆଜିର ପରୀକ୍ଷାରେ ଅସଦୁପାୟ ଅବଲମ୍ବନ ଅଭିଯୋଗରେ ୯ ଜଣ ପରୀକ୍ଷାର୍ଥୀ ଜୋନାଲ ସ୍କ୍ୱାଡ଼ ଦ୍ୱାରା ଧରାପଡ଼ିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ ଜଣ ପରୀକ୍ଷାର୍ଥୀ ହାତରେ କପି ଲେଖିଥିବା ଅଭିଯୋଗରେ ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀ ଉତକ୍ଷିପ୍ତ ହୋଇ ଜନୈକ ସ୍କ୍ୱାଡ଼ ସଦସ୍ୟଙ୍କ ଉପରକୁ ଜୋତା ଫିଙ୍ଗିଥିବା ଅଭିଯୋଗରୁ ଜଣାପଡ଼ିଛି l ସେହିପରି କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି ରଖିଥିବା ଅଭିଯୋଗରେ ବୁକ ହୋଇଛନ୍ତି l
ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବିଜ୍ଞାନ ପରୀକ୍ଷାର୍ଥୀ ଜିଲ୍ଲା ସ୍ତରୀୟ ସ୍କ୍ୱାଡ଼ ହାତରେ ଧରାପଡ଼ି ମାଲ ପ୍ରାକ୍ଟିସ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ କୁମ୍ଭାରିପୁଟ ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ କୋରାପୁଟ ଜିଲ୍ଲା ବୁର୍ଜା ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ସ୍କ୍ୱାଡ଼ ଦ୍ୱାରା ଧରା ପଡ଼ି କପି ଅଭିଯୁକ୍ତ ହୋଇଛନ୍ତି l ତେବେ ଦକ୍ଷିଣାଞ୍ଚଳର କନ୍ଧମାଳ, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ କୌଣସି ମାଲ ପ୍ରାକ୍ଟିସ ରିପୋର୍ଟ ହସ୍ତଗତ ହୋଇ ନ ଥିବା ଡ. ଓଝା ଜଣାଇଛନ୍ତି l

LEAVE A REPLY

Please enter your comment!
Please enter your name here