ସ୍କୁଲ୍‌ ଖୋଲିବ ନା ନାହିଁ ! ଦ୍ୱନ୍ଦ୍ୱରେ ସରକାର, ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ; ବିଶେଷଜ୍ଞ କରାଇଲେଣି ସତର୍କ ।

0
248

ଭୂବନେଶ୍ୱର, ୦୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ)
ଚଳିତ ମାସରେ ସ୍କୁଲ ଖୋଲିବ । ସ୍କୁଲ ଶିକ୍ଷା ସହ ଜଡ଼ିତ ୫ଟି ଅଂଶୀଦାରଙ୍କଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମତାମତ ଲୋଡ଼ିବା ପରେ ଗତକାଲି ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଥିଲେ। ଫଳରେ ୮ମାସ ପରେ ନବମ ଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଖୋଲିବା ନେଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା । ହେଲେ ବୁଧବାର ସନ୍ଧ୍ୟାରେ ଆଉ କେହି ନୁହେଁ, ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି ଯେ କରୋନା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଡିସେମ୍ବର ବେଳକୁ ଆସିପାରେ । ଏହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ନଭେମ୍ବର ୨ରୁ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିଥିଲା । ମାତ୍ର ତିନି ଦିନ ପାଠପଢା ହୋଇଛି କି ନାହିଁ ୨୬୨ ଛାତ୍ରଛାତ୍ରୀ ଓ ୧୬୦ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା‌ ବଢ଼ିବାକୁ ଥିବାରୁ ଆନ୍ଧ୍ରପ୍ରଦେଶରେ ଆତଙ୍କ ଖେଳିଗଲାଣି । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଚିନ୍ତାରେ ପଡିଛନ୍ତି । ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ଅରାଜି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସରୁମ୍‌ ଶିକ୍ଷା ଦେବାକୁ ବି ଆଗ୍ରହୀ ନାହାନ୍ତି। ଆନ୍ଧ୍ର ସରକାର ଆଶ୍ୱାସନା ଦେଉଥିଲେ ମଧ୍ୟ ଅଭିଭାବକଙ୍କ ମନ ବୁଝୁନି। ଜାତୀୟ ଗଣମାଧ୍ୟମ ଜରିଆରେ ଏହି ଖବର ଆସିବା ପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅକଳରେ ପଡ଼ିଯାଇଛି । ଅଭିଭାବକ ବି ଚିନ୍ତାରେ ପଡ଼ିଲେଣି । ସ୍କୁଲ ଖୋଲିଲେ କେମିତି ପିଲାଙ୍କୁ ପାଠ ପଢ଼ାଇବାକୁ ପଠାଇବେ ? ପିଲାମାନେ ସୁରକ୍ଷିତ ଭାବେ ଶ୍ରେଣୀରେ ବସିବେ, ଏହାକୁ କିଏ ସୁନିଶ୍ଚିତ କରାଇବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି । ଫଳରେ ବିଦ୍ୟାଳୟ ଖୋଲିବ ନା ନାହିଁ ସେ ନେଇ ପୁଣି ଥରେ ଚିନ୍ତନ ଆରମ୍ଭ ହୋଇଯାଇଛି। ଉଲ୍ଲେଖଥାଉକି, ନଭେମ୍ବର ୧୬ରୁ ସ୍କୁଲ ଖୋଲିବା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଥିଲା । ଦୁଇ ଘଣ୍ଟା ପରେ ପୁଣିଥରେ ଗାଇଡ୍‌ଲାଇନ୍‌ରେ ସଂଶୋଧନ କରାଯାଇ ନିଷ୍ପତ୍ତି ନେବା ଦାୟିତ୍ୱ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ଛଡ଼ାଗଲା । ଆଉ ଏହାର ଠିକ୍‌ ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଡିସେମ୍ବରରେ ରାଜ୍ୟରେ କ‌ରୋନାର ଦ୍ବିତୀୟ ଲହର ଆସିବାର ସମ୍ଭାବନା ରହିଛି । ଏଥିସହ ଶୀତ ଋତୁ ଆରମ୍ଭ ହୋଇଥିବାରୁ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ କହିଲେଣି । ବିଶେଷଜ୍ଞ ଆହୁରି ବି ଚେତାଇ ଦେଇଛନ୍ତି ଯେ ସମସ୍ତଙ୍କୁ ଏବେ ସଜାଗ ହେବାକୁ ପଡ଼ିବ । ଯେତେଦୂର ସମ୍ଭବ ସାମାଜିକ ଦୂରତା ରକ୍ଷା ସହ ଭିଡ଼ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ଲଗାଇ ସ୍କୁଲ ଖୋଲିବା କେତେଦୂର ଠିକ୍‌ ତାହାକୁ ନେଇ ଶିକ୍ଷାବିତ୍‌ମାନେ ବି ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଆଜି ବି ରାଜ୍ୟରେ ୧୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ନଭେମ୍ବରରେ ସଂକ୍ରମଣ କମିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇ ନାହିଁ। ବରଂ ଦଶହରା ପରେ ସଂକ୍ରମଣ ସ୍ଥିର ରହୁଛି ନ ହେଲେ ବଢ଼ୁଛି। ଦିଲ୍ଲୀ ସରକାର ଏ ମାସରେ ସ୍କୁଲ ନ ଖୋଲିବାକୁ ଘୋଷଣା କରିସାରିଛନ୍ତି।
ସ୍କୁଲ ଖୋଲିବା ପରେ ସଂକ୍ରମଣ ଦେଖାଦେବାରୁ ଆଉ କିଛି ରାଜ୍ୟ ସରକାର ମଧ୍ୟ ସ୍କୁଲ ବନ୍ଦ କରି ଦେଇଛନ୍ତି। ତେଣୁ ଓଡ଼ିଶା ସରକାର ଏତେ ବଡ଼ ରିସ୍କ ନିଅନ୍ତୁ ନାହିଁ । ୮ ମାସ ହେଲା ପାଠପଢ଼ା ବନ୍ଦ ରହିଥିବାରୁ ପିଲାମାନଙ୍କର ଏମିତିରେ କ୍ଷତି ହୋଇଛି। ପାଠପଢ଼ାରେ ବହୁ ପଛରେ ରହିଛନ୍ତି। ଅନ୍‌ଲାଇନ୍‌ରେ କ୍ଲାସ ହେଉଥିଲେ ମଧ୍ୟ ସେତେଟା ଫଳପ୍ରଦ ହୋଇପାରି ନାହିଁ ସତ। ତଥାପି କିଛି ପିଲାଙ୍କ ନିକଟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢ଼ା ପହଞ୍ଚିପାରିଛି। ଘରୋଇ ସ୍କୁଲଗୁଡ଼ିକ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାରେ ସଫଳ ହୋଇଛନ୍ତି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଆଉ ମାସେ ଅପେକ୍ଷା କଲେ କିଛି ଅସୁବିଧା ହେବ ନାହିଁ।
ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଲୋକ‌ ଅମାନିଆ ହେଉଥିବାରୁ ବଜାର ଘାଟରେ ପୁଲିସ ସେମାନଙ୍କୁ ଜଗୁଛି । ଯଦି ବି ସ୍କୁଲ ଖୋଲାଯିବ ତେ‌ବେ ମାତ୍ର ଚଉଦ ପନ୍ଦର ବର୍ଷ ବୟସର ପିଲାମାନେ କିପରି ସଚେତନ ରହିବେ । ସ୍କୁଲରେ ଛୋଟ ପିଲାଙ୍କୁ କିଏ ଜଗିବ ? ସରକାରୀ ସ୍କୁଲରେ ଭିତ୍ତିଭୂମି ନାହିଁ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ରହିଛି । ସେମାନେ ପାଠପଢ଼ାଇବେ ନା ପିଲାଙ୍କୁ ଜଗିବେ ତାହା ଚିନ୍ତାର ବିଷୟ। କରୋନା ବ୍ୟାପିଲେ କିଏ ଦାୟୀ ରହିବ????

LEAVE A REPLY

Please enter your comment!
Please enter your name here