ଜାନୁୟାରୀ ମାସ ପାଇଁ ରାଜ୍ଯ ସରକାର ଙ୍କ କୋଭିଡ୍ ଗାଇଡଲାଇନ୍ ଜାରୀ

0
228

ଭୂବନେଶ୍ୱର,୩୦/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ଦୀର୍ଘ ୯ମାସ ଧରି ଥିବା କଟକଣାରେ କୋହଳ କରି ଚଳିତ ନୂଆବର୍ଷରୁ ଜନଜୀବନକୁ ସ୍ୱାଭାବିକ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ହେବ। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବାକୁ ଅନୁମତି ଦିଆଯିବ। ଏହାସହିତ ଯାତ୍ରା, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିୟମ ଆଦି ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବେ। ତେବେ ଏଥିପାଇଁ କୋଭିଡ୍ ଗାଇଡଲାଇନ ପାଳନ ବାଧ୍ୟତାମୂଳକ ହେବ। ଅଙ୍ଗନବାଡ଼ିଗୁଡ଼ିକ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସ୍କୁଲ ଓ କଲେଜ ଖୋଲିବା ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେବେ।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଆଜି ଜାନୁୟାରୀ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ଅବଧି ନିମନ୍ତେ କରୋନା ଗାଇଡଲାଇନ୍ ଜାରି କରିଛନ୍ତି। ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ ୨୦୦ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦିଆଯାଇଛି। ଯାହାକି ଡିସେମ୍ବର ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ରହିଥିଲା।ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୧୦୦ଜଣ ଲୋକ ସାମିଲ ହୋଇପାରିବେ। ବ୍ୟବସାୟିକ ବୈଠକରେ ସର୍ବାଧିକ ୨୦୦ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ। ସେହିପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ଓ ୨୦୦ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ । ସଭା ସ୍ଥଳି ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ସାନିଟାଇଜର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ।ସ୍ଥାନୀୟ ପ୍ରଶାସନ ସେମାନଙ୍କର ଅଂଚଳର ସ୍ଥିତିକୁ ଦେଖି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ସ୍ଥିର କରିପାରିବେ। ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିଛି। କିନ୍ତୁ ସ୍କୁଲ ଓ କଲେଜ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନେବେ। ଅଫିସ ହେଉ ବା ସର୍ବସାଧାରଣସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ। ସର୍ବସାଧାରଣ ସ୍ଥାନରେ ୬ଫୁଟର ସାମାଜିକ ଦୂରତ୍ୱ ପାଳନ କରିବେ। ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ।
ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ। ବ୍ୟୁଟିପାର୍ଲର, ସେଲୁନ୍ ଓ ସ୍ପାଗୁଡ଼ିକୁ ସାନିଟାଇଜ୍ କରିବା ସହ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବେ। ସେହିପରି ସର୍ବସାଧାରଣ ସ୍ଥାନରେ ପାନ,ଗୁଟଖା ଖାଇବା ଉପରେ କଟକଣା ଜାରି ହୋଇଛି। ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ହେବ।ଏସବୁ ବ୍ୟତୀତ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ୬୫ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମହାମାରୀ ଆଇନ ପରିଚାଳନା-୨୦୦୫ ଅନ୍ତର୍ଗତ ଏହି ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ, ମହାନଗର କମିଶନର ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here