ବଳପୂର୍ବକ ସାଇନାଥ ବସ୍ତିଭଙ୍ଗା ଅଭିଯାନ ବନ୍ଦ ରଖିବା ଦାବିରେ ରାତିରେ ଶତାଧିକ ବସ୍ତିବାସିନ୍ଦାଙ୍କ ଭୁବନେଶ୍ୱର ଡ଼ିସିପି ଅଫିସ ସମ୍ମୁଖରେ ବିକ୍ଷୋଭ

0
120

ଭୁବନେଶ୍ୱର, ୧୫/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୯ ଅନ୍ତର୍ଗତ ସାଇନାଥ ବସ୍ତିର ଶତାଧିକ ମହିଳା ଓ ପୁରୁଷଙ୍କ ପକ୍ଷରୁ ରାତିରେ ଭୁବନେଶ୍ୱର ଡିସିପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ପୋଲିସ ସାକ୍ଷାତ କରିବାକୁ ନଦେଇ ଲୋକଙ୍କୁ ଧମକେଇ ଘଉଦେଇ ଦେବାରୁ ଏହାର ପ୍ରତିବାଦ କରି ବସ୍ତିବାସିନ୍ଦା ମାନେ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରକାଶଯୋଗ୍ୟ, ଗତ ତା ୧୨ ଜାନୁଆରୀ ୨୦୨୧ରିଖରେ ସାଇନାଥ ବସ୍ତି ୧୫ ତାରିଖରେ ଭାଙ୍ଗିବା ସମ୍ପର୍କରେ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ପକ୍ଷରୁ ଏକ ବୋଲେରୋ ଗାଡିରେ ବସ୍ତି ଭିତରେ ମାଇକ ପ୍ରଚାର କରି ଯାଇଛନ୍ତି। କରୋନା ମହାମାରୀ ସମୟରେ ରୋଜଗାର ହରେଇ ଲୋକେ ଭୋକ ଉପାସରେ ପଡିଥିବା ସମୟରେ ଅଚାନକ ବସ୍ତି ଉଛେଦ ଖବର ଶୁଣି ଗରୀବ ବସ୍ତିବାସିନ୍ଦା ଆତଙ୍କିତ ହୋଇଛନ୍ତି।
ବଳପୂର୍ବକ ବସ୍ତି ଉଛେଦ ନକରିବାକୁ ଏବଂ ଅତ୍ୟାବଶ୍ୟକ କ୍ଷେତ୍ରରେ ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ଯୋଗେଇ ଦେବାକୁ ତା ୧୫.୦୯.୨୦୧୦ରିଖରୁ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ରାୟ ରହିଛି। ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା ଘୋଷଣା କରି ମୁଖ୍ୟମନ୍ତ୍ରୀ ବସ୍ତି ଆଇନ ୨୦୧୭ ଘୋଷଣା କରିଛନ୍ତି ଏବଂ ଜାଗା ମିସନ ଜରିଆରେ ସବୁ ବସ୍ତିବାସିନ୍ଦାଙ୍କୁ ଜମି ଓ କୋଠାଘର ଦେଇ ବସ୍ତିମୁକ୍ତ ସହର କରିବାକୁ କହିଛନ୍ତି। ୨୦୧୯ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ନିଜେ ବାଲେଶ୍ୱରରୁ ଆଦର୍ଶ କଲୋନୀ ଘୋଷଣା କରି ସବୁ ବସ୍ତିବାସିନ୍ଦାଙ୍କୁ ୩ ବର୍ଷ ଭିତରେ ଆଦର୍ଶ କଲୋନୀ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ନୂତନ ପ୍ରମୁଖ ଶାସନ ସଚିବ ସବୁ ବସ୍ତିବାସିନ୍ଦାଙ୍କୁ ଉତ୍ତମ ବାସସ୍ଥାନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ କୋଠାଘର ଓ ଜମିପଟ୍ଟା ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ଏବଂ ଏହାକୁ ନେଇ ରାଜ୍ୟ ସରକାର ବହୁ ପୁରସ୍କାର ପାଇଥିବା ବାରମ୍ବାର ଗଣମାଧ୍ୟମରେ ପ୍ରଚାର କରାଯାଇଛି। ଏହିପରିପ୍ରେକ୍ଷୀରେ ବଳପୂର୍ବକ ବିନା ନୋଟିସରେ ବସ୍ତିଉଛେଦ ଅତ୍ୟନ୍ତ ଅନ୍ୟାୟ, ବେଆଇନ, ଅଗଣତାନ୍ତ୍ରୀକ ଓ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଆଦେଶର ଉଲଂଘନ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରି ବଳପୂର୍ବକ ବସ୍ତି ଉଛେଦ କରିବାକୁ ପୋଲିସ ବଳ ନଯୋଗେଇବାକୁ ଡିସିପିଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।
ଏଥିସହ ବଳପୂର୍ବକ ଉଛେଦ ଜାରୀ ରହିଲେ ସେମାନେ ଜୀବନକୁ ବାଜି ଲଗେଇ ପ୍ରତିରୋଧ କରିବାକୁ ବାଧ୍ୟହେବେ ଏବଂ ସେତେବେଳେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସେମାନେ ଲିଖିତଭାବେ ଜଣାଇଛନ୍ତି ବୋଲି ସାଇନାଥ ବସ୍ତି କମିଟି ପକ୍ଷରୁ ପ୍ରସନ୍ନ କୁମାର ମହାପାତ୍ର, ସବିତା ସିଂ, ଦୀପିକା ଭତ୍ରା, ଅଞ୍ଜଳି ରାଉତରାୟ, ସାରଳା ବିଶ୍ୱାଳ, ପ୍ରଭାତ ମହାପାତ୍ର, ସ୍ୱାଗତିକା ବେହେରା, ସବିତା ବେହେରା ଆଦି ଜଣାଇଛନ୍ତି। ଆଡ଼ିସିନାଲ ଡ଼ିସିପି ବିକ୍ଷୋଭକାରୀଙ୍କ ସହ କଥା ହୋଇ ୧୫ ତାରିଖରେ ବସ୍ତି ଉଛେଦ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେବା ପରେ ରାତି ୧୧ ଟାରେ ବିକ୍ଷୋଭକାରୀମାନେ ଘରକୁ ଫେରିଥିଲେ। ଆଜି ସେମାନେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବିଏମସି କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ସାକ୍ଷାତ କରି ଉଛେଦ ପୂର୍ବରୁ ଥଇଥାନ କରିବାକୁ ଦାବି କରିବେ ବୋଲି ସାଇନାଥ ବସ୍ତିବାସିନ୍ଦା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here