ଡ. କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ‘ମନପକ୍ଷୀ ଝୁରେରେ…’ କବିତା ସଙ୍କଳନ ଲୋକାର୍ପିତ

0
168

=========================
ବ୍ରହ୍ମପୁର,୧୪/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ପବିତ୍ର ମକର ସଂକ୍ରାନ୍ତି l ସୁଦିବ୍ୟ-ସାରସ୍ୱତ ଅବକାଶ l ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କର ଗତି ପରିବର୍ତ୍ତନର ପାବନ ତିଥି l ଏହି ପ୍ରାକୃତିକ ଅବକାଶକୁ ଅଧିକ ଭବ୍ୟତାରେ ଭରି ଦେଇଥିଲା ଏଠାରେ ଅନୁଷ୍ଠିତ ଏକ କବିତା ପୁସ୍ତକ ଲୋକାର୍ପଣ ଓ ଆବୃତ୍ତିର ଅପୂର୍ବ ଆସର ।ଆଜି ଅପରାହ୍ଣରେ ବ୍ରହ୍ମପୁର ସହର ଅନ୍ତର୍ଗତ ଲୋଚାପଡ଼ା ଶକ୍ତିନଗର ତୃତୀୟ ସରଣିରେ ଆୟୋଜିତ ହୋଇଥିଲା ଏହି ଭାବପୂର୍ଣ୍ଣ ସାରସ୍ୱତ ଉତ୍ସବ l ଉପଲକ୍ଷ୍ୟ : କବି ଡକ୍ଟର୍ କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ସଂକଳିତ ‘ମନପକ୍ଷୀ ଝୁରେରେ…’ କବିତା ବହିର କବିତାମୋଦୀ ପାଠକଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଯାଇଛିlସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ସଭାପତି କୃଷ୍ଣଚନ୍ଦ୍ର ଦାସ ପୌରୋହିତ୍ୟ କରିଥିଲେ l ଏହି ଉତ୍ସବରେ ଖ୍ୟାତିସମ୍ପନ୍ନ ନାଟ୍ୟକାର, ଚଳଚ୍ଚିତ୍ର ଓ ନାଟ୍ୟ ନିର୍ଦ୍ଦେଶକ ମେଜର୍ ରମାରମଣ ପାଢ଼ୀ ମୁଖ୍ୟଅତିଥି, କବି ଡକ୍ଟର୍ କୁଳମଣି ଓଝା ସମୀକ୍ଷକ, କବି ସୁଶାନ୍ତ ଦାଶ ସମ୍ମାନିତ ଅତିଥି ରୂପେ ସଭା ମଣ୍ଡନ ପୂର୍ବକ ପ୍ରାରମ୍ଭରେ “ମନପକ୍ଷୀ ଝୁରେରେ…’ କବିତା ବହିର ଆନୁଷ୍ଠାନିକ ରୂପେ ଲୋକାର୍ପଣ କରିଥିଲେ l
କବିତା ଓ ସଂଗୀତର ଯୁଗଳବନ୍ଦୀ କ୍ରମରେ ଉପସ୍ଥାପିତ ଏହି ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝା ଲୋକାର୍ପିତ କବିତା ବହିର ସମୀକ୍ଷା କରିଥିଲେ l ‘ମନପକ୍ଷୀ ଝୁରେରେ…’ କବିତା ବହିର ସ୍ଵକୀୟତା ସମ୍ପର୍କରେ ବିଭିନ୍ନ କବିତା ଆବୃତ୍ତି ପୂର୍ବକ ସମୀକ୍ଷକ ଡ. ଓଝା କହିଥିଲେ ଯେ, ପାର୍ଥିବ ପ୍ରେମ-ପ୍ରଣୟର ଅନନ୍ୟ ରୂପକାର ମାୟାଧର ମାନସିଂହଙ୍କ ଅବର୍ତ୍ତମାନର ଅନେକ ବର୍ଷ ପରେ ପୁନଶ୍ଚ ମାନସିଂହୀୟ କବିତାର ପ୍ରାଣ ପ୍ରାଚୁର୍ଯ୍ୟପୂର୍ଣ୍ଣ ବିଭୋରତା ଓ ସ୍ପର୍ଶ କବି ଡ. କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ସର୍ଜିତ କବିତାମାନଙ୍କ ଶବ୍ଦରେ ଶବ୍ଦରେ ଫୁଟିଉଠିଛି l
ମୁଖ୍ୟଅତିଥି ମେଜର୍ ରମାରମଣ ପାଢ଼ୀ ବକ୍ତବ୍ୟ ଛଳରେ କହିଥିଲେ, “ମନପକ୍ଷୀ ଝୁରେରେ…’କବିତା ସଙ୍କଳନର ପ୍ରତ୍ୟେକଟି କବିତା ତରୁଣ ହୃଦୟର ଏକ ଏକ ଆତ୍ମଲିପି l ପରିଣତ ବୟସରେ ମଧ୍ୟ କବି ଡ. ତ୍ରିପାଠୀ ତାରୁଣ୍ୟର ମୂର୍ଚ୍ଛନା ଶୁଣାଇଛନ୍ତି l ସମ୍ମାନିତ ଅତିଥି କବି ସୁଶାନ୍ତ ଦାଶ ସଙ୍କଳନସ୍ଥ ଏକ କବିତା ଆବୃତ୍ତି ପୂର୍ବକ ଡ. ତ୍ରିପାଠୀଙ୍କ କବିତାମାନଙ୍କରେ ପ୍ରେମ, ପ୍ରଣୟ, ବିରହ, ମିଳନ, ଅନୁରାଗ ଓ ଅନୁତାପର ଭାବ-ସଙ୍ଗମ ହୋଉଛି ବୋଲି କହିଥିଲେ l
କବି ଡ. କୈଳାସ ଚନ୍ଦ୍ର ତ୍ରିପାଠୀ ସ୍ୱରଚିତ ‘ମନପକ୍ଷୀ ଝୁରେରେ…’ କବିତା ସଙ୍କଳନର ପରିଯୋଜନା ଓ ତାହାର ପଶ୍ଚାତ୍ ଭାଗରେ ରହିଥିବା ମାନସିଂହଙ୍କ ଉତପ୍ରେରଣା ସମ୍ବନ୍ଧରେ ପ୍ରସଙ୍ଗତଃ ଉଲ୍ଲେଖ କରିଥିଲେ l କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଚିତ୍ତରଞ୍ଜନ ପଟ୍ଟନାୟକ, ଡ. ଶଙ୍କର୍ଷଣ ପାତ୍ର, ଡ. ସୂଚନା ପାଢ଼ୀ, ଡ. ବନମାଳୀ ପାଣିଗ୍ରାହୀ, ଡ. ପ୍ରକାଶ ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ଡ. ଗୋବିନ୍ଦ ପଣ୍ଡା, ସ୍ଵର୍ଣ୍ଣମୟୀ ପାଢ଼ୀ, ସରୋଜ ରଥ, ଋତୁରାଜ ଦାସ, ଶାନ୍ତନୁ ସୁନା, ପଦ୍ମିନୀ ମିଶ୍ର, ସୁଧାଞ୍ଜଳି ମିଶ୍ର ପ୍ରମୁଖ ‘ମନପକ୍ଷୀ ଝୁରେରେ…’ ସଙ୍କଳନସ୍ଥ ଏକ ଏକ କବିତା ଆବୃତ୍ତି କରିଥିବା ବେଳେ ସାମ୍ବାଦିକ ସୁଦୀପ ସାହୁ, ଡ.କୁଳମଣି ଓଝା, ରାକେଶ ତ୍ରିପାଠୀ ସଂଗୀତ ପରିବେଷଣ କରିଥିଲେ l ପ୍ରାରମ୍ଭରେ ଦେବାଂଶୀ ତ୍ରିପାଠୀ ସୁଲଳିତ କଣ୍ଠରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଶେଷରେ ରାଜେଶ ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here