ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
130

ବ୍ରହ୍ମପୁର, ୧୮/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ଠାରେ ଉପଖଣ୍ଡସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ କରୋନା ସ୍ଥିତିକୁ ଆଖି ଆଗରେ ରଖି ଓଡିଶା ପ୍ରଚଳିତ ନୀତି ଓ ନିର୍ଦେଶ ପ୍ରକାରେ ଏହି ଦିବସ ପାଳନ କରିବାକୁ ଉପଜିଲ୍ଲାପାଳ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ କୋଭିଡ ଗାଇଡ଼ଲାଇନ ମାନି ପାଳନ କରିବା ନେଇ ବୈଠକରେ ସ୍ଥିର କରାଯାଇଛି। ଚଳିତ ବର୍ଷ ଖଲ୍ଲିକୋଟ କଲେଜ ପଡ଼ିଆରେ ଏହି ସମାରୋହ ପାଳିତ ହେବ। କେବଳ ପୁଲିସ ବାହିନୀ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଅନ୍ୟ କୌଣସି ଦଳକୁ ଚଳିତ ପ୍ୟାରେଡ଼ରେ ସାମିଲ କରାଯିବ ନାହିଁ। ଏପରିକି ସାଧାରଣ ଜନତାଙ୍କୁ ମଧ୍ୟ ପ୍ୟାରେଡ଼ ପ୍ରଦର୍ଶନ ଦେଖିବାକୁ ବାରଣ କରାଯାଇଛି। ସାଧାରଣତନ୍ତ୍ର ଦିବସରେ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ, ଅଗ୍ନିଶମ, ଶିକ୍ଷକ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାତଃ ୪.୩୦ମି ସମୟରେ ବ୍ରହ୍ମପୁର ସହରର ରାମଧୁମ ପରିବେଷଣ ହେବ। ପରେ ସକାଳ ୮.୩୦ମି ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ। ସେହିପରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନଲାଇନ ଜରିଆରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସମାରୋହ ପ୍ରବେଶ ପଥରେ ସାନିଟାଇଜର ବ୍ୟବସ୍ଥା କରାଯିବ। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଭି. କୀର୍ତି ଭାସନ, ଡେପୁଟି କଲେକ୍ଟର ପଞ୍ଚାନନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଆର. ଆଇ ଅଫ ପୋଲିସ ଦିଲ୍ଲୀପ କୁମାର ବେହେରା, ଅତିରିକ୍ତ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ରାସ୍ତା ଓ କୋଠାବାଡ଼ି ନିର୍ମାଣ ଡିଭିଜନ କନିଷ୍ଠ ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ସ୍ୱାସ୍ଥ୍ୟ ବିଭାଗର ଡ଼ାକ୍ତର.ଆର. ଜେ ପଟ୍ଟନାୟକ ଓ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here