ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଭୁବନେଶ୍ୱରରେ ମହିଳା ଶୋଭାଯାତ୍ରା

0
123

ଭୁବନେଶ୍ୱର, ୧୮/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୧୮ ଜାନୁଆରୀ ମହିଳା କୃଷକ ଦିବସ ପାଳନ କରାଯାଉଅଛି। ଏହି ଡ଼ାକରାକୁ ସମର୍ଥନ କରି ତଥା ଦୀର୍ଘ ୫୫ ଦିନର ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ ୩ କଳା କୃଷି ଆଇନ ବାତିଲ ଦାବିରେ ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ପକ୍ଷରୁ ଶତାଧିକ ମହିଳାଙ୍କ ଏକ ସୁଶୋଭିତ ପଦଯାତ୍ରା ଆଜି ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ଡ଼େଲଟା ଛକ ନିକଟସ୍ଥ ରଙ୍ଗଣୀ ସାହି ଠାରୁ ବାହାରି ଜଳେଶ୍ୱର ମନ୍ଦିର, ଗଙ୍ଗନଗର ଛକ, ସିଟି ମହିଳା ମହାବିଦ୍ୟାଳୟ ଆଦି ଦେଇ ରଙ୍ଗଣୀ ସାହି ଠାରେ ପହଞ୍ଚିଥିଲା। ମହିଳା କୃଷକ ଦିବସ ଜିନ୍ଦାବାଦ, କ୍ରାନ୍ତିକାରୀ ମହିଳା ସଂଗଠନ ଜିନ୍ଦାବାଦ, ଦିଲ୍ଲୀ କୃଷକ ଆନ୍ଦୋଳନ ଜିନ୍ଦାବାଦ, କୃଷିର କର୍ପୋରେଟୀକରଣ ବାତିଲ କର, ନବ୍ୟ ଉଦାରବାଦୀ ନୀତି ପ୍ରତ୍ୟାଖ୍ୟାନ କର, ନବ୍ୟ ଫାସିବାଦୀ ମୋଦି ସରକାରକୁ ଗାଦିଚ୍ୟୁତ କର, କଳା କୃଷି ଆଇନ ବିରୁଦ୍ଧରେ ଓଡିଶା ବିଧାନସଭାରେ ପ୍ରସ୍ତାବ ଗୃହୀତ କର, ଏମଏସପି ଗ୍ୟାରେଣ୍ଟି ଆଇନ ପ୍ରଣୟନ କର, ରିଲାଏନ୍ସ ମଲରୁ ଜିନିଷ ଖର୍ଦ୍ଦି ବନ୍ଦ କର, ଆଦାନୀ-ଆମ୍ବାନୀ କମ୍ପାନୀର ସମସ୍ତ ଉତ୍ପାଦନ ଓ ସେବା ବର୍ଜ୍ଜନ କର, ଚାଷୀ ହାତରୁ ଜମି ଛଡାଇ ନେବା ଆଇନ ଚଳିବ ନାହିଁ, ଦରଦାମ ନିୟନ୍ତ୍ରଣ ଆମର ଦାବି, କୃଷକ ବିରୋଧୀ ମୋଦୀ-ନବୀନ ହାଏ ହାଏ ଆଦି ସ୍ଲୋଗାନ ଦେଇ ଆନ୍ଦୋଳନକାରୀମାନେ ଗଗନ ପବନ ପ୍ରକମ୍ପିତ କରିଥିଲେ। ମହିଳା ପଦଯାତ୍ରାକାରୀଙ୍କ ପକ୍ଷରୁ ରଙ୍ଗଣୀ ସାହି କମିଟି ଗୃହ ଠାରେ ମୀନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ସଭାନାତ୍ରୀ କମ୍ରେଡ଼ ପ୍ରମିଳା ବକ୍ତବ୍ୟ ପ୍ରଦାନ କରି ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ, କୃଷକ ଓ ଖାଉଟି ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ମହିଳା ନେତ୍ରୀ ସର୍ବଶ୍ରୀ କମ୍ରେଡ଼ ରାଧାରାଣୀ ମହାରଣା, ସୁକାନ୍ତି ମହନ୍ତ, ପ୍ରତିମା ନାୟକ, ରୁକୁଣା ମହାରଣା, ପାର୍ବତୀ ମାହାନା, ରଞ୍ଜୁ ଦାସ, ମିନତି ଭୋଇ, ଶଶୀରେଖା ବେହେରା, ପୂଜା ଦାସ, ଆଶା ସାହୁ, ଆଦି ସେମାନଙ୍କ ବକ୍ତବ୍ୟରେ ୩ କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସଭା ପ୍ରାରମ୍ଭରେ ୭୦ ଜଣ ଆନ୍ଦୋଳନକାରୀ କୃଷକ ସହିଦଙ୍କ ସ୍ମୃତିରେ ଏକ ମିନିଟ ମୌନ ଧାରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here