ବ୍ରହ୍ମପୁର,୦୩/୦୨/୨୦୨୧: ଆସନ୍ତା ଫେବୃୟାରୀ ୧୧ ତାରିଖରେ ଅନୁଷ୍ଟିତ ହେଉଥିବା ସାନଖେମୁଣ୍ଡି ବ୍ଲକର ପାଇକ ରାମଚନ୍ଦ୍ରପୁର ସରପଞ୍ଚ ଏବଂ ଦିଗପହଣ୍ଡି ବ୍ଲକର ବି , ତୁରୁବୁଡ଼ି ପଞ୍ଚାୟତର ୨ ଗୋଟି ୱାର୍ଡ଼ ସଭ୍ୟ ପଦବୀ ପାଇଁ ଉପନିର୍ବାଚନ ନେଇ ପ୍ରଶାସନିକ ବ୍ୟବସ୍ଥା ପ୍ରକାରେ ପ୍ରସ୍ତୁତି ଜାରି ରହିଅଛି । ସାନଖେମୁଣ୍ଡି ବ୍ଲକ୍ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତର ୧୮ ଗୋଟି ୱାର୍ଡ଼ ପାଇଁ ୨୦ ଏବଂ ଦିଗପହଣ୍ଡି ବ୍ଲକର ୨ ଗୋଟି ୱାର୍ଡ଼ ପାଇଁ ୩ ଗୋଟି ପୋଲିଂ ପାର୍ଟିର ପଠାସୀନ ଅଧିକାରୀ ( ପ୍ରିଜାଇଡ଼ିଂ ଅଫିସର )ଙ୍କ ସହ ପ୍ରଥମ ପୋଲିଂ ଅଧିକାରୀଙ୍କ ତାଲିମ ଶିବିର ଆଜି ସାନଖେମୁଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷ ଗୃହରେ ଅନୁଷ୍ଠିତ ହୋଇଅଛି ।
ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର ଉଭୟ ବ୍ଲକର ନିର୍ବାଚନ ଅଧିକାରୀ ଭାବରେ ପୋଲିଂ ପାର୍ଟି ପରିଚାଳନା , କୋଭିଡ୍ ନିରାପତ୍ତା ଜନିତ ଭୋଟ ଗ୍ରହଣକୁ ନେଇ ଗୁରୁତ୍ୱାରୋପ କରିଥିଲେ ।
ନିର୍ବାଚନ ଜନିତ ଜରୁରୀ ଆବଶ୍ୟକତାକୁ ଧ୍ୟାନ ଦେଇ ଉଭୟ ପଠାସୀନ ଅଧିକାରୀ ଓ ଫାଷ୍ଟ୍ ପୋଲିଂ ଅଧିକାରୀଙ୍କ ଦାୟିତ୍ଵବୋଧକୁ ନେଇ ତର୍ଜମା କରିବା ସହିତ ବାଲଟ ପେପର ପରିଚାଳନା ନେଇ ଧାରଣା ସୃଷ୍ଟି କରିଥିଲେ । ଭୋଟ ଗ୍ରହଣ ସମୟ ଠାରୁ ଅନ୍ତିମ ତାଲିକାକରଣ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ସହ ମତ ଗ୍ରହଣକୁ ଗୁରୁତ୍ବ ଦେଇଥିଲେ ।ପୋଲିଂ ପ୍ରକୋଷ୍ଠ ବ୍ୟବସ୍ଥା , ମତ ଗ୍ରହଣର ନୀୟମିତତା ସହ ଜାଲି ମତଦାତାଙ୍କୁ ନିରୀକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଟିତ ଏହି ତାଲିମ ଶିବିରରେ ସାନଖେମୁଣ୍ଡି ଜି ପି ଇ ଓ ଶ୍ରୀମତୀ ବୈଜୟନ୍ତୀ ମୁଣ୍ଡା ଏବଂ ଦିଗପହଣ୍ଡି ଭାରପ୍ରାପ୍ତ ଜି ପି ଇ ଓ ଶ୍ରୀ ଉମେଶ କୁମାର ସେଠୀ ଅଂଶ ଗ୍ରହଣ କରି ପଞ୍ଚାୟତ ନିର୍ବାଚନ ଜନିତ ମତଦାନ ପ୍ରକ୍ରିୟା ଓ ନିର୍ବାଚନୀ ପରିଚାଳନା ଜନିତ ଧାରା ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ ।
ସନ୍ତୋଷ କୁମାର ଦାଶ






