ଆଇସିଡିଏସର କେନ୍ଦ୍ରୀୟ ବଜେଟ୍ ହ୍ରାସ ବିରୋଧରେ ରାଜ୍ୟସ୍ତରୀୟ ପ୍ରତିବାଦ ସଭା ।

0
293

 

 

ଭୁବନେଶ୍ୱର, ୦୨/୦୩/୨୦୨୧: ଭାରତର ସର୍ବପ୍ରଥମ ତଥା ସର୍ବବୃହତ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନାର ଚଳିତ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ଆଠ ହଜାର କୋଟି ଟଙ୍କା ହ୍ରାସ କରିଥିବା ବିରୋଧରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ସହିତ କାର୍ଯ୍ୟ କରୁଥିବା ସଂଗଠନ ମାନଙ୍କୁ ନେଇ ଗଠିତ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ବିଶାଳ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଶହ ଶହ ଅଙ୍ଗନୱାଡ଼ି କର୍ମୀ ଭୁବନେଶ୍ୱର ଲୋୟର ପି ଏମ୍ ଜି ଛକରେ ଏକାଠି ହୋଇଥିଲେ । ସଂଯୁକ୍ତ ମୋର୍ଚ୍ଚାର ଆବାହକ ତଥା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ସଭାପତି ଶ୍ରୀ ଅଶୋକ ଦାସଙ୍କ ସଭାପତିତ୍ବରେ ଆହୂତ ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ( NOAKS ) ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି ଆଇନ -୨୦୧୯କୁ ସଫଳ କରାଇବାକୁ ଆଇ ସି ଡି ଏସ ର କେନ୍ଦ୍ରୀୟ ବଜେଟରେ ଅନୁଦାନ ହ୍ରାସ କରି ଯୋଜନାକୁ ପଙ୍ଗୁ କରିଥିବା ନେଇ ଦୃଢ଼ ବିରୋଧ କରିଥିଲେ । ହିତାଧିକାରୀ ଏବଂ କର୍ମୀ ଓ କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ଏହି ବ୍ୟବସ୍ଥା ବିରୋଧରେ ବ୍ୟାପକ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ କୁମାର ପାଢ଼ୀ , ଓଡ଼ିଶା ଅଙ୍ଗନୱାଡ଼ି ୱାର୍କର୍ସ ଆଣ୍ଡ ହେଲପର ଏସୋସିଏସନ୍ ସଭାପତି ଶ୍ରୀ ରାଧାରମଣ ଷଡ଼ଙ୍ଗୀ ଧାରଣାରତ କର୍ମୀଙ୍କ ଗହଣରେ ସରକାରଙ୍କ ଜାତୀୟ ଶିକ୍ଷାନୀତି -୨୦୧୯ ରେ ଆଇ ସି ଡି ଏସର ମିଶ୍ରଣ ନେଇ ଉପୁଜିଥିବା ସମସ୍ୟା ନେଇ ବକ୍ତବ୍ୟ ରଖିଥିଲେ ।

ଅନୁରୂପ ଭାବେ ଅଙ୍ଗନୱାଡ଼ି କର୍ମୀଙ୍କ ନ୍ୟାୟସଙ୍ଗତ ଦାବୀକୁ ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତିମତେ ୱାର୍କର୍ ମାନ୍ୟତା ପ୍ରଦାନ କରି ସର୍ବନିମ୍ନ ଭତ୍ତା ୨୧ ହଜାର ଟଙ୍କାକୁ ବୃଦ୍ଧି କରିବା , ପେନସନ ବାବଦକୁ ତିନି ହଜାର ଟଙ୍କା ପ୍ରଦାନ କରିବା , ଯୋଗ୍ୟ ଅଙ୍ଗନୱାଡ଼ି କର୍ମୀଙ୍କୁ ଶତପ୍ରତିଶତ ପଦୋନ୍ନତି ଦେବା ସହ ଖାଲିଥିବା ସୂପରଭାଇଜର ପଦବୀ ପୂରଣ କରିବା , ସମ୍ମୁଖ କରୋନା ଯୋଦ୍ଧା ଭାବରେ ମୃତ୍ୟୁ ବରଣ କରିଥିବା କର୍ମୀଙ୍କୁ ବିଭାଗୀୟ ଘୋଷିତ ଅନୁକମ୍ପା ରାଶି ପ୍ରଦାନ କରିବା , କର୍ମୀଙ୍କ ପରିବାର ସୁରକ୍ଷା ପାଇଁ ଜଣକୁ ଚାକିରୀରେ ଅବସ୍ଥାପିତ କରିବା , ବର୍ଦ୍ଧିତ ମହଙ୍ଗା ଦର ଅନୁପାତରେ କେନ୍ଦ୍ର ରନ୍ଧନ ସାମଗ୍ରୀ ଦର ନିର୍ଦ୍ଧାରଣ କରିବା , ପ୍ରାକ୍ – ବିଦ୍ୟାଳୟ ଶିଶୁଙ୍କ ପୋଷାକ ଓ ସ୍ୱେଟର ବଣ୍ଟନରେ ହୋଇଥିବା ନିମ୍ନ ମାନର ପୋଷାକ ଯୋଗାଣର ତଦନ୍ତ ଦାୟିତ୍ୱରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ସମ୍ପର୍କୀୟ ସକ୍ରିୟ ଠକ ଛତୁଆ ବେପାରୀଙ୍କ ମୁଖା ଖୋଲିବା , ଅଙ୍ଗନୱାଡ଼ି କେନ୍ଦ୍ର ନାମରେ ରନ୍ଧନ ଗ୍ୟାସ୍ ସଂଯୋଗ କରିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର କମିଶନୀ ବେପାରକୁ ବନ୍ଦକରି ଦୁଇ ଚୁଲା ବିଶିଷ୍ଟ ଗ୍ୟାସ ଷ୍ଟୋଭ୍ ଏବଂ ୧୪ . ୫ କେ ଜି ବିଶିଷ୍ଟ ସିଲିଣ୍ଡର ଯୋଗାଇବା , କେନ୍ଦ୍ର ସମୂହ ବିଦ୍ୟୁତ୍ ସଂଯୋଗ କରିବା ଏବଂ ଖର୍ଚ୍ଚଦେୟ ପ୍ରଦାନ ବ୍ୟବସ୍ଥା , ପାନୀୟଜଳ ଯୋଗାଣ କରିବା ସହ ଭିତ୍ତିଭୂମିର ବିକାଶ କରିବା ଆଦି ଦାବୀକୁ ଉପସ୍ଥାପନା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ଭାବକୁ ନେଇ ସଂଗ୍ରାମ ଜାରି ରଖିବାକୁ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।

ଅନୁଷ୍ଟିତ ଏହି ଗଣ ଧାରଣାରେ ଏ ଆଇ ଟି ୟୁ ସି ନେତା ସୁରଜେନା , ଏନ୍ ଏଫ୍ ଆଇ ଟି ୟୁ ର ଯୁଧିଷ୍ଟିର ମହାରଣା , ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମିସଂଘ କାର୍ଯ୍ୟକାରୀ ସଭାପତି ଶ୍ରୀ ବିଜୟ ଜେନା , କର୍ମୀ ନେତ୍ରୀ ପ୍ରଭାସିନୀ ପାଢ଼ୀ , ବିଷ୍ଣୁପ୍ରିୟା ଜେନା , ମାମତାଜ୍ ଖୁଣ୍ଟିଆ , ମଳୟ ମଞ୍ଜରୀ ଜେନା , ମିରାବାଇ ଦଳ ବେହେରା , ସୌଦାମିନୀ ଦାସ , ନର୍ମଦା ନାହାକ , ଦୁଃଶୀକା ଧୁରୁଆ , ପ୍ରତିଭା ପାଳ , ଜ୍ୟୋତ୍ସ୍ନା ସାମନ୍ତରାୟ , ନିର୍ଝର ସାହୁ , ଲକ୍ଷ୍ମୀପ୍ରିୟା ମହାପାତ୍ର , ପ୍ରେମଲତା ସେଠି ,ପ୍ରତିଭା ପରିଡ଼ା ନିଜ ନିଜ ବକ୍ତବ୍ୟ ରଖି ଉଭୟ ସରକାରଙ୍କ ଆଇ ସି ଡି ଏସ ପ୍ରତି ଥିବା ମନୋଭାବକୁ ନେଇ ପ୍ରବଳ ବର୍ଶିଥିଲେ । ପରବର୍ତ୍ତୀ ସମୟରେ ଶୋଭାଯାତ୍ରାରେ ଯାଇ ପ୍ରମୁଖ ଦୁଇ ପ୍ରତିନିଧି ମଣ୍ଡଳୀ ଭାବରେ ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପହଞ୍ଚି କେନ୍ଦ୍ର ସରକାରଙ୍କ ଉଦ୍ଧେଶ୍ୟରେ ଦାବି ସମୂହର ସ୍ମାରକ ପତ୍ର ପ୍ରଦାନ କରିବା ପରେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

– ବ୍ୟୁରୋ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here