କୋଭିଡ୍ -୧୯ ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟା ୟସ୍ ର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

0
147

ଛତ୍ରପୁର,୨୨/୦୫/୨୦୨୧: ଜିଲ୍ଲାରେ କୋଭିଡ୍ – ୧୯ ର ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ୍ ସ୍ତରୀୟ ଓ ଏନ୍.ଏ.ସି.ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମସ୍ତ ବ୍ଲକ୍ ସ୍ତରୀୟ ଓ ଏନ୍.ଏ.ସି. ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ରମ୍ଭା ଓ ଖଲ୍ଲିକୋଟ ବ୍ଲକ୍ ର ଉପକୂଳବର୍ତ୍ତି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ଓ ଘଣ୍ଟାପ୍ରତି ୨୦୦ କି.ମି. ବେଗରେ ପବନ ବହିବାର ସମ୍ଭାବନା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ ପ୍ରସ୍ତୁତ କରି ସଜାଗ ରହିଛି । ଗର୍ଭବତୀ ମହିଳା, ବୃଦ୍ଧ, ବୃଦ୍ଧା ଓ ଅକର୍ମଣ୍ୟ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷିତ ସ୍ଥାନକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ । ଯେଉଁ କୋଭିଡ୍ ରୋଗୀ ସଙ୍ଗରୋଧ ରେ ରହୁଛନ୍ତି ସେହିମାନଙ୍କୁ ଚିହ୍ନଟ କରି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ରଖିବା ପାଇଁ ସ୍ଥିର କରାଯାଇଛି । ୨୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଣୁ ଯେଉଁ ମାନେ କଚ୍ଚାଘରେ ଏବଂ ବସ୍ତି ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ବାତ୍ୟାଯୋଗୁଁ ରାସ୍ତାଘାଟ ଖରାପ ହେବାର ସମ୍ଭାବନା ଥିବାରୁ ଯଥାଶୀଘ୍ର ମରାମତି କରିବା ଏବଂ ଉଡ୍ କଟର୍, ଜେସିବି, ଟ୍ରାକ୍ଟର କୁ ପ୍ରସ୍ତୁତ କରି ରଖିବାକୁ ପୂର୍ତ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସମସ୍ତ ବିଡିଓ ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ରହିବେ । ଯେଉଁ ମାନଙ୍କର ଘର ଭାଙ୍ଗିଯାଇଥିବ ସେମାନଙ୍କୁ ମଧ୍ୟ ପଲିଥିନ୍ ଓ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସମସ୍ତ ବିଡିଓ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମସ୍ତ ଗ୍ରାମ ପଞ୍ଚାୟତ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲୋକ ମାନଙ୍କୁ ସୁରକ୍ଷିତ କରି ରଖାଯିବ । ବାତ୍ୟା ଆଶ୍ରୟ ସ୍ଥଳୀ ଓ ଗ୍ରାମ ପଞ୍ଚାୟତକୁ ଯୋଗାଇ ଦିଆ ଯାଇଥିବା ଜେନେରେଟର୍ ଗୁଡିକୁ ଚାଲୁ ରଖିବା ପାଇଁ ପୂର୍ବରୁ ପରୀକ୍ଷା କରି ରଖାଯିବ । ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ଜଳ ବିଶୋଧନ କରିବା ପାଇଁ ହାଲୋଜେନ୍ ବଟିକା, ବ୍ଲଚିଂ ପାଉଡର୍ ମହଯୁଦ୍ କରି ରଖିବା ପାଇଁ କୁହାଯାଇଛି । ଗ୍ରାମ ପଞ୍ଚାୟତ, ବ୍ଲକ୍, ଏନ୍.ଏ.ସି ଏବଂ ଜିଲ୍ଲା ସ୍ତରରେ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯିବ । ପୂର୍ତ୍ତ ବିଭାଗ ସମସ୍ତ ରାସ୍ତାଘାଟ ଏବଂ ପୋଲଗୁଡିକୁ ତୁରନ୍ତ ମରାମତି କରିବା ନିମନ୍ତେ କୁହାଯାଇଛି । ପାତ୍ରପୁର ଏବଂ ସୋରଡା ବ୍ଲକ୍ ର ପାହାଡିଆ ଅଞ୍ଚରେ ବସବାସ କରି ରହୁଥିବା ଲୋକ ମାନଙ୍କୁ ତଳିଆ ଅଞ୍ଚଳକୁ ଆଣି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ବିଡିଓ ଙ୍କୁ କୁହାଯାଇଛି । ଓଡ୍ରାଫ୍, ଅଗ୍ନିଶମ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ସଜାଗ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍. ସହାୟତା ଯୋଗାଇ ଦେବାପାଇଁ କୁହାଯାଇଛି । ପୋର୍ଟ, ଟାଟା, ଆଇ.ଆର୍.ଇ. ର ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବିଷୟରେ ବୁଝିବା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସମସ୍ତ କୋଭିଡ୍ ହସ୍ପିଟାଲ୍ ଗୁଡିକରେ ଅକ୍ସିଜେନ୍ ମହଯୁଦ୍ କରି ରଖିବେ ଏବଂ ଆଇ.ସି.ୟୁ ରେ ବିଦ୍ୟୁତ୍ ଯେପରି ବ୍ୟାହତ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯିବ । ଉପଜିଲ୍ଲାପାଳ ମାନେ ନିଜ ନିଜ ଅଞ୍ଚଳର ସୁବିଧା ଅସୁବିଧା ଅନୁଧ୍ୟାନ କରିବେ । ୧କି.ମି. ଦୂରତାରେ ବାତ୍ୟା ଆଶ୍ରୟ ସ୍ଥଳୀ କରିବେ । ବାତ୍ୟା ଆଶ୍ରୟ ସ୍ଥଳୀରେ ଯେପରି ଗହଳି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । ଗାଇ ଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷା ଦିଆ.ଯିବ । ଆସନ୍ତା କାଲି ସକାଳ ସୁଦ୍ଧା ପ୍ରାକ୍ ପ୍ରସ୍ତୁତି କରି ଜିଲ୍ଲା ଜରୁରୀ କାଳିନ ବିଭାଗକୁ ଜଣାଇବାକୁ ସମସ୍ତ ବିଡିଓ ମାନଙ୍କୁ କୁହାଯାଇଛି । ଗ୍ରାମାଞ୍ଚଳ ଓ ତଳିଆ ଅଞ୍ଚଳର ଲୋକମାନେ ଯେପରି ବାତ୍ୟା ପ୍ରଭାବିତ ହେବେ ନାହିଁ ସେଥିପ୍ରତି ଗୁରୁତ୍ବ ଦିଆଯିବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଡ୍ରେନେଜ୍ ରେ ଯେପରି ପାଣି ନିଷ୍କାଷିତ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ଉପଜିଲ୍ଲାପାଳ ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କ ଠାରୁ ବାହାଘର ବିଷୟରେ ଖବର ସଂଗ୍ରହ କରିରଖିବେ । ଯଦି ଭୋଜିଭାତ ଆୟୋଜନ କରୁଥିଲେ ତାକୁ ସିଜ୍ କରାଯିବା ସହ ଜୋରିମାନା କରାଯିବ । ଆର୍.ଟି.ପି.ସି.ଆର୍. ଟେଷ୍ଟ ଅଧିକ କରିବାପାଇଁ ଗୁରୁତ୍ବ ଦେଇଥିଲେ । ଜିଲ୍ଲାରେ କୋଭିଡ୍ ମୁକାବିଲା ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲାପାଇଁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ. କିର୍ତ୍ତୀ ଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here