ତହସିଲ କର୍ମଚାରୀ , ପୋଲିସ୍ ଓ ସ୍ଥାନୀୟ ବାହୁବଳୀଙ୍କ ମିଳିତ ସହଯୋଗରେ ବାହୁଦା ନଦୀକୁ ବିଦାରି ଦେଲେଣି ବାଲି ମାଫିଆ ।

0
192

ବ୍ରହ୍ମପୁର,୦୨/୦୬/୨୦୨୧:

କରୋନା ପ୍ରକୋପରେ ଲୋକେ ସନ୍ଦିହାନ ଥିବା ବେଳେ ସରକାରୀ କଟକଣା ସାଧାରଣରେ ଜୀବନ ଜୀବିକାରେ ପ୍ରଭାବ ପକାଇଛି । ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ପାଇଁ କୋଭିଡ୍ କଟକଣା ସର୍ବନାଶର କାରଣ ହୋଇଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୂଷମାସ ହୋଇଅଛି । ପରନ୍ତୁ ସରକାରୀ ଅଧିକାରୀଙ୍କ ବିଭାଗୀୟ କାର୍ଯ୍ୟ ସହିତ କୋଭିଡ୍ – ୧୯ କାର୍ଯ୍ୟକ୍ରମ ପରିଚାଳନା ସ୍ଥଳବିଶେଷରେ କର୍ତ୍ତବ୍ୟ ଓ କ୍ଷମତାର ସମାନୁପାତିକ ଉପଯୋଗିତାକୁ ନେଇ ଚାପରେ ରଖିଥିବା ବେଳେ ଚିକିଟି ଓ ଦିଗପହଣ୍ଡି ତହସିଲ କମଚାରୀ , ନୂଆଗାଁ ଥାନାର କରୋନା କଟକଣା ଜନିତ କାର୍ଯ୍ୟାଳୟ ପରିଚାଳନା ସମ୍ପ୍ରତି ସରକାରୀ ଅର୍ଥ ଲୁଟିବାର ଏକ ଐଶ୍ୱରୀୟ କରୁଣା ହେଉଥିବା ଜଣାଯାଇଛି । ସରକାରୀ କରୋନା ଯୋଦ୍ଧା ହିସାବରେ ଏହି ବର୍ଗର ଧୂର୍ତ୍ତ ଅଧିକାରୀଙ୍କ ପତିଆରା ସମ୍ପ୍ରତି ଆଲୋଚନାକୁ ଆସୁଥିଲେ ମଧ୍ୟ କରୋନା ପରିଚାଳନାକୁ ଆଳ ଦେଖାଇ ସୁବିଧା ସ୍ଥିତିରେ ଥାଇ ବାହୁଦା ନଦୀକୁ ବିଦାରି ଲକ୍ଷ ଲକ୍ଷ୍ କୁବିକ୍ ମିଟର ବାଲି ଚୋରିରେ କୋଟି କୋଟି ଟଙ୍କାର ଫାଇଦା ନେଇଥିବା ପରିଲକ୍ଷିତ ହେଉଅଛି ।

ଦିଗପହଣ୍ଡି ଓ ଚିକିଟି ତହସିଲ ରାଜସ୍ୱ ଅଞ୍ଚଳଦେଇ ପ୍ରବାହିତ ବାହୁଦା ନଦୀର ବାଲିଶଯ୍ୟାକୁ ଉଭୟ ଚିକିଟି ଓ ଦିଗପହଣ୍ଡି ତହସିଲଦାର , ତହସିଲ କର୍ମଚାରୀ ସ୍ଥାନୀୟ ବାହୁବଳୀ ରାଜନୈତିକ ନେତୃବୃନ୍ଦଙ୍କ ଛତ୍ରଛାୟାରେ ନିର୍ଦ୍ଧିଷ୍ଟ ମାଫିଆ ଗୋଷ୍ଠୀ ଲୁଟୁଥିବା ଦେଖାଯାଇଛି । ସ୍ଥାନୀୟ ଅଞ୍ଚଳ ଥାନା ଓ ପୋଲିସ ଫାଣ୍ଡିର ନାକ ତଳେ ପ୍ରବାହିତ ବାହୁଦା ନଦୀରେ ସାରାରାତି ବାଲି ମାଫିଆଙ୍କ ଦ୍ଵାରା ଜେସିବି ଲଗାଇ ଟିପ୍ପର , ଟ୍ରକ ଓ ଟ୍ରାକ୍ଟର ମାଧ୍ୟମରେ ବାଲି ଚୋରିକୁ ନେଇ ପ୍ରଶାସନିକ ଉଦାସୀନତା ପଦାରେ ପଡ଼ିଛି । ସରକାରଙ୍କ କୋଭିଡ୍ କଟକଣା ଜନିତ ସମୟ ସାରଣୀରେ ସମ୍ପ୍ରତି ଲକ୍ ଡାଉନ୍ ଅବଧି ଚାଲିଥିବା ବେଳେ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଅଛି । ପରନ୍ତୁ ସଂଧ୍ୟା ସନ୍ଧ୍ୟା ସାତଘଣ୍ଟାରୁ ସକାଳ ଛଅ ଘଣ୍ଟା ପର୍ଯ୍ୟନ୍ତ ମାଳ ମାଳ ଟ୍ରାକ୍ଟର ଓ ତିପ୍ପରରେ ନୁଆଁପଡ଼ା ଶିବ ମନ୍ଦିର ସଂଲଗ୍ନ ନଦୀ ବାଲି ସୈରାତରୁ ନିୟମିତ ଭାବେ ଜେସିବି ଲଗାଇ ୧୫ ରୁ ଉର୍ଦ୍ଧ ଟ୍ରାକ୍ଟର ଦ୍ଵାରା ଅବୈଧ ଚୋରାବାଲି ଚାଲାଣ ହେଉଥିଲେ ମଧ୍ୟ ରାସ୍ତାକଡ଼ରେ ଥିବା ଚାନ୍ଦପୁର ଫାଣ୍ଡି ପୋଲିସର ନିରବତାକୁ ନେଇ ସନ୍ଦେହ ସୃଷ୍ଟି ହେଉଅଛି । ଅନ୍ୟକ୍ରମରେ ଫାଣ୍ଡି ନିକଟ ପତ୍ରଚୁଡି , ଗୌଡ ଗାଁ ବାଲି ସଇରାତରୁ ସାରାରାତିି ବାଲି ଉଠାଣ ହେଉଥିବା ପୋଲିସ୍ ଜାଣି ସୁଦ୍ଧା ଗାଡିଗୁଡିକ ଜବତ ନ କରିବା କିଛି ଗୁମର ଥିବା ସନ୍ଦେହକୁ ଆସିଅଛି । ପୁଣି ଭ୍ରମରପୁର ଆର୍ ଆଇ ଅଧୀନ ବଜ୍ରଗୁମ୍ମା ଓ ଢେପାପେଣ୍ଠ ସଇରାତରୁ ନିୟମିତ ଭାବରେ ମେସିନ ଦ୍ଵାରା ବାଲି ବୋଝେଇ ସଂଖ୍ୟାଧିକ ଟ୍ରକ୍ ଓ ଟିପ୍ପର ଯୋଗେ ଖାରିଆଗୁଡା ଫାଣ୍ଡି ଦେଇ କେଲୁଆ ଠାରୁ ଭୟା ଧାନଘର ଦେଇ ଆନ୍ଧ୍ର ଚାଲାଣ ହେଉଥିବା ଜାଣିଥିଲେ ମଧ୍ୟ କୌଣସି ତହସିଲଦାର କିମ୍ବା ଥାନା ନଜରରେ ଆସୁନଥିବା ଭିତିରି ବୁଝାମଣାକୁ ସ୍ପଷ୍ଟ କରିଅଛି ।

ଏହି ସ୍ଥିତିରେ ସଂପୃକ୍ତ ଅଞ୍ଚଳରେ ଥିବା ରାଜସ୍ୱ ବିଭାଗ ସର୍କଲ କାର୍ଯ୍ୟାଳୟ ମଧ୍ୟ ଭଲ ଫାଇଡାରେ ରହିବାକୁ ଶ୍ରେୟ ମାନୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଜନୈକ ରାଜସ୍ୱ ନିରୀକ୍ଷକ ଓ ଚପରାସୀଙ୍କ ବାଲି ବେପାରରେ ସଂପୃକ୍ତି ମାଫିଆ ବେପାରକୁ ପ୍ରଭାବିତ କରୁଅଛି । ପାତ୍ରପୁର ତହସିଲ କାର୍ଯ୍ୟାଳୟରୁ ଅବୈଧ କାର୍ଯ୍ୟକରି ଦଣ୍ଡିତ ହେବା ଆଗରୁ ରାଜନୈତିକ ପତିଆରା ଯୋଗୁଁ ଚିକିଟି ତହସିଲକୁ ବଦଳି ହୋଇଥିବା ଜନୈକ ରାଜସ୍ୱ ନିରୀକ୍ଷକ ଓ ସମ୍ପର୍କୀୟଙ୍କ ବାଲି ବେପାରରେ ସଂପୃକ୍ତି ଚିକିଟି ତହସିଲକୁ ପ୍ରଭାବିତ କରୁଅଛି । ଦିଗପହଣ୍ଡି ତହସିଲଦାରଙ୍କ ଭିତିରି ବୁଝାମଣା , ଚିକିଟି ତହସିଲର କମଚାରୀଙ୍କ ବାଲି ବେପାର ସଂପୃକ୍ତି ଉଭୟ ତହସିଲର ରାଜସ୍ୱ ହାନୀକୁ ପ୍ରଭାବିତ କରୁଥିବା ବେଳେ କେ ନୂଆଗାଁ ଥାନା ଓ ଚାନ୍ଦପୁର ଫାଣ୍ଡି ପୋଲିସ୍ ସହିତ ଜରଡା ଥାନା ଅଧୀନ ଖାରିଆଗୁଡ଼ା ପୋଲିସ୍ ଫାଣ୍ଡି ଦ୍ଵାରା ଅବାଧ ଓ ଅବୈଧ ଚୋରା ବାଲି ଚାଲାଣକୁ ପ୍ରୋତ୍ସାହିତ କରାଯାଉଥିବାରୁ ଘଟଣାକୁ ନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଠାରେ ଭିନ୍ନରୁପ ଦିଆଯାଇଥିବା ଲକ୍ଷା କରାଯାଇଅଛି । ଏଥି ସମ୍ବନ୍ଧିତ ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗକୁ ଜିଲ୍ଲାପାଳ ଆଗ୍ରାହ୍ୟ କରିବା ଘଟଣାରେ ଜନସାଧାରଣ ଅତିଷ୍ଠ ହେବା ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରିବା ମସୁଧାରେ ଥିବା ଆଲୋଚିତ ହେଉଅଛି ।

LEAVE A REPLY

Please enter your comment!
Please enter your name here