ପୋଲସରା,୨୯/୦୬/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ବେଳଗାଁ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ସୀମାଞ୍ଚଳ ଜେନା। ଦିନେ ସୀମାଞ୍ଚଳଙ୍କ ଯେଉଁ ଗୋଡ଼ କ୍ଷେତକୁ ଧାଇଁ ସୁନାର ଫସଲ ଫଳାଇ ପରିବାରକୁ ହସଖୁସିରେ ଚଳାଇବାରେ ଦକ୍ଷ ଥିଲା, ଏବେ ସେହି ଗୋଡ଼ରେ ପଡ଼ିଛି ଲୁହା ଶିକୁଳି। ଯେଉଁ ସୀମାଞ୍ଚଳ ଦିନେ ପରିବାର ସଦସ୍ୟଙ୍କୁ ଦେଖି ଖୁସିରେ ଆତ୍ମହରା ହେଉଥିଲେ ବର୍ତ୍ତମାନ ସେ ସେହି ପରିବାର ଉପରେ ହିଂସ୍ର ହୋଇ ଉଠୁଛନ୍ତି। ଯେଉଁ ହାତରେ ସେ କୋଡ଼ି କୋଦାଲ ଧରି କ୍ଷେତରେ କାମକରି ଦୁନିଆକୁ ଆହାର ଦେଉଥିଲେ ଏବେ ସେହି ହାତରେ ବାଡ଼ି ଧରି ଗ୍ରାମ ଲୋକଙ୍କୁ ଆକ୍ରମଣ କରିବାକୁ ଯାଉଛନ୍ତି। ଏହି ପରିବର୍ତ୍ତନ ସୀମାଞ୍ଚଳଙ୍କ ସ୍ୱଭାବର ପରିବର୍ତ୍ତନ ନୁହେଁ, ଏଠି ପାଇଁ ଦାୟୀ ହେଉଛି ତାଙ୍କୁ ଗ୍ରାସ କରିଥିବା ଅଜଣା ରୋଗ। ମାନସିକ ବିକୃତିରେ ଅଭିଶପ୍ତ ଜୀବନ ବିତାଇ ନିଜ ଘର ବାରଣ୍ଡାରେ ଦିବା ରାତ୍ର ପଡ଼ି ରହିଛନ୍ତି ମଧୁସୂଦନପୁର ଗ୍ରାମର ସେହି ପୂର୍ବତନ ଦକ୍ଷ ଚାଷୀ ସିମାଞ୍ଚଳ ଜେନା । ଦୁଇଟି ପୁଅ ଓ ଗୋଟିଏ ଝିଅ ହସଖୁସିରେ ସମୟ କାଟୁଥିଲେ ନିଜର ବାପା ଓ ମାଆଙ୍କ ସହ । ହେଲେ ବିଧିର ବିଧାନ ସେହି ସୀମାଞ୍ଚଳ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜ ପରିବାରକୁ ନିଜର ଶତ୍ରୁ ଭାବି ଆକ୍ରମଣ କରିବାକୁ ପଛାଉ ନାହିଁ । ସିମାଞ୍ଚଳଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା । ହେଲେ ଦିନକୁ ଦିନ ସିମାଞ୍ଚଳଙ୍କ ମାନସିକ ବିକାର ବୃଦ୍ଧି ପାଇ ପରିବାରର ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି । ସୀମାଞ୍ଚଳଙ୍କ ଚିକିତ୍ସା ପାଇଁ ଧାର ଉଧାର କରିବା ସହ ଜମିବାଡ଼ି ମଧ୍ୟ ବିକ୍ରି ହୋଇ ସାରିଲାଣି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଦୁଇ ପୁଅଙ୍କ ଅଧାରୁ ପାଠପଢାରେ ଡୋରି ବନ୍ଧାହୋଇଥିବା ବେଳେ ଝିଅର ପାଠ ପଢା ବହୁ ବାଧାବିଘ୍ନରେ ଚାଲିଛି। ମଧୂସୂଦନପୁର ଗ୍ରାମରେ ପ୍ରତ୍ୟେକ ଲୋକଙ୍କ ସହ ଅଯଥାରେ ଗୋଣ୍ଡୋଗଳ କରିବା ସହ ପରିବାର ସଦସ୍ୟଙ୍କୁ ମାଡପିଟା କରିବା ଯୋଗୁ ପ୍ରାୟ ୩ ବର୍ଷ ହେଲା ସିମାଞ୍ଚଳଙ୍କୁ ଘର ବାରଣ୍ଡାରେ ଏକ ଲୁହା ଶିଙ୍କୁଳିରେ ଗୋଡ଼କୁ ବାନ୍ଧି ରଖା ଯାଉଛି । କେବଳ ସିମାଞ୍ଚଳଙ୍କ ଝିଅ ବର୍ଷା ହିଁ ବାପା ସିମାଞ୍ଚଳଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ସେ କେବେବି ଝିଅର କୌଣସି କ୍ଷତି କରି ନାହାଁନ୍ତି। ଝିଅ ମଧ୍ୟ ଅସହାୟ ବାପାର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇ ସମସ୍ତ ପ୍ରକାର ସେବା କରୁଛନ୍ତି। ବାପା ସିମାଞ୍ଚଳ କିପରି ତୁରନ୍ତ ଆରୋଗ୍ୟ ହେବେ ସେଥିପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି ଝିଅ ବର୍ଷା ଜେନା । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମାନସିକ ବିକୃତ ସୀମାଞ୍ଚଳ ଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସମସ୍ତ ଗ୍ରାମବାସୀ ମଧ୍ୟ ନିରୀହ ସୀମାଞ୍ଚଳ ଜେନାଙ୍କ ଚିକିତ୍ସା ପାଇଁ ସରକାର ଓ ବାଦାନ୍ୟ ବ୍ୟକ୍ତି ମାନଙ୍କ ଅନୁରୋଧ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା