ଫାସିଗୁଡା ତପ୍ତପାଣି ନାଳ ଘାଇବନ୍ଧ ଆନିକଟ ନିର୍ମାଣରେ ନିୟୋଜିତ ହରିଜନ ନାବାଳିକା ଓ ମହିଳା ଶ୍ରମିକ ମୃତ୍ୟୁ ଓ ଆହତ ଘଟଣା । ଦାୟିତ୍ଵରେ ଥିବା ଠିକାଦାର ଓ ଯନ୍ତ୍ରୀଙ୍କୁ ଦୋଷ ମୁକ୍ତ କରିବା ପାଇଁ ପ୍ରଶାସନ ର ଯୋଜନା ।

0
299

ବ୍ରହ୍ମପୁର,୦୧/୦୭/୨୦୨୧: ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତର ତପ୍ତପାଣି ନାଳରେ ଜଳ ନିଷ୍କାସନ ବିଭାଗ ନିର୍ବାହୀ ଯନ୍ତ୍ରୀ ବ୍ରହ୍ମପୁରଙ୍କ ଦ୍ଵାରା ୧ କୋଟି ୧୬ ଲକ୍ଷ ଟଙ୍କାରେ ନିର୍ମାଣାଧୀନ ଘାଇବନ୍ଧ ଆନିକଟ ନିର୍ମାଣ ସମୟରେ ଠିକାଦାରଙ୍କ ଦ୍ଵାରା ନିୟୋଜିତ ଜନୈକ ହରିଜନ ନାବାଳିକା ବାଳ ଶ୍ରମିକ ଓ ଜଣେ ହରିଜନ ମହିଳା ଶ୍ରମିକଙ୍କ ମୃତ୍ୟୁ ଏବଂ ସେହି ଶ୍ରେଣୀର ତିନି ମହିଳା ଶ୍ରମିକ ଗୁରୁତର ହୋଇଥିବା ଘଟଣାକୁ ପାଞ୍ଚ ଦିନ ବିତିଥିଲେ ମଧ୍ୟ ମୃତା ଓ ପୀଡ଼ିତା ଶ୍ରମିକଙ୍କୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ନେଇ ଆଶଙ୍କା ସୃଷ୍ଟି କରିଅଛି । ଗତ ତା – ୨୭/୦୬ ରିଖ ଅପରାହ୍ନ ସାଢେ଼ ଚାରିଟା ବେଳେ ଘଟିଥିବା ଏହି ବିଭାଗୀୟ ବେପରୁଆ ଦୁର୍ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଲାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିଲା । ଦିଗପହଣ୍ଡି ବିଡ଼ିଓ , ତହସିଲଦାର , ଥାନା ଅଧିକାରୀଙ୍କ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିରେ ସୁଧାର ଆଣିଥିବା ବେଳେ ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ମୃତକ ଓ ଗୁରୁତରଙ୍କୁ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ସ୍ଥିତି ସମୀକ୍ଷା ସହିତ ସରଜମିନ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ କିଛି ଅର୍ଥରାଶି ପ୍ରଦାନ ସହ ପ୍ରଶାସନ ଏହି ଘଟଣାକୁ ପ୍ରାୟ ଭୁଲିଥିବା ଅନୁମାନ କରାଯାଇଅଛି । ପରନ୍ତୁ ଏହି ଘଟଣାରେ ଜଡ଼ିତ ଥିବା ବିଭାଗୀୟ ଠିକାଦାର ଓ ଯନ୍ତ୍ରୀଙ୍କୁ ବିପଦମୁକ୍ତ କରାଇବାର ଯୋଜନାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯିବା ନେଇ ଆଶଙ୍କା ସୃଷ୍ଟି କରୁଅଛି ।ମିଳିଥିବା ସୂଚନା ପ୍ରକାରେ ସେ ଦିନର ଏହି ଦାୟିତ୍ବହୀନ ମଣିଷ କୃତ ଦୁର୍ଘଟଣାର ମୁଖ୍ୟ ଠିକାଦାର ଓ ନିର୍ମାଣ କାର୍ଯ୍ୟର ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କୁ ଦୋଷମୁକ୍ତ କରାଇବାକୁ ବ୍ରହ୍ମପୁର ଡ୍ରେନେଜ୍ ବିଭାଗ ସୁଚିନ୍ତିତ ଯୋଜନାରେ ଥିବା ଅଭିଯୋଗ କରିଛନ୍ତି ସମାଜ ସେବୀ ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ । ନିର୍ମାଣ କାର୍ଯ୍ୟରେ ହରିଜନ ନାବାଳିକା ବାଳ ଶ୍ରମିକଙ୍କୁ ନିୟୋଜନ କରିବା , ବିପଦ ସଙ୍କୁଳ ୨୫ ରୁ ୩୦ ଫୁଟ ମାଟି ପାହାଡ଼ ସୃଷ୍ଟି କରିବା , ବିହିତ ସାବଧାନତା ଗ୍ରହଣ ନକରି ମାଟି ଉତ୍ତୋଳନ କରିବାରେ ଦାୟୀ ଉପାଦାନକୁ ନଖୋଜି ଏହି ଘଟଣାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସାଧାରଣ ସାଇକେଲ ଦୁର୍ଘଟଣାରେ ଅଞ୍ଚଳବାସୀ ହୋ ହାଲ୍ଲା କରୁଥିବା ବେଳେ ଏତେବଡ଼ ମଣିଷ କୃତ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ସମସ୍ତେ ନୀରବ ରହିଥିବାରୁ ମୃତକ ପରିବାରକୁ ସରକାରୀ କ୍ଷତିପୂରଣ ପ୍ରଦାନ ନେଇ ବାଧା ଉପୁଜିବାର ଆଶଙ୍କା କରିଛନ୍ତି । ମୃତ ହରିଜନ ନାବାଳିକା ବର୍ଷା ନାୟକଙ୍କ ଜନ୍ମ ତାରିଖ ଆଧାର କାର୍ଡ ଭିତ୍ତିରେ ତା – ୧୭/୦୮/୨୦୧୬ ରିଖ ହୋଇଥିଲା ବେଳେ ପରିବାରକୁ ଚାପରେ ରଖି ଏଫ୍ ଆଇ ଆର୍ ରେ ୧୯ ବର୍ଷ ଦର୍ଶାଇ ଉଭୟଙ୍କ ମୃତ୍ୟୁକୁ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲାରେ ପରିଣତ କରାଯିବାକୁ ଘୋର ବିରୋଧ କରିଛନ୍ତି । ମାନ୍ୟବର ଦିଗପହଣ୍ଡି ବିଧାୟକ ତଥା ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀର ଏହି ଘଟଣାରେ ସଂପୃକ୍ତ ଠିକାଦାର କିମ୍ବା ସଂପୃକ୍ତ ଯନ୍ତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେବା ଏବଂ ନିରୀହ ହରିଜନ ବାଳ ଶ୍ରମିକ ନାବାଳିକା ଓ ମହିଳା ଶ୍ରମିକଙ୍କ ମୃତ୍ୟୁକୁ ନେଇ ସମସ୍ତେ ଚୁପ୍ ରହୁଥିବାରୁ ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିଗ୍ରସ୍ତ ମୃତକ ଓ ପୀଡ଼ିତ ପରିବାରକୁ କ୍ଷତିପୂରଣ ପାଇଁ ଦାବି ରଖିଛନ୍ତି ।

ଏହି ମାନବକୃତ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ବାଳ ଶ୍ରମିକ ନିୟୋଜନ ଧାରାରେ ସଂପୃକ୍ତ ଠିକାଦାରକୁ ଗିରଫ କରାଯିବା ସହିତ କର୍ତ୍ତବ୍ୟରେ ଅବହେଳା ଓ ବେପରୁଆ ନିର୍ମାଣ ଜନିତ ପରିଚାଳନା ପାଇଁ ସଂପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିବାକୁ ସରକାରଙ୍କ ଠାରେ ଦାବି ରଖିଛନ୍ତି । ଏହା ସହିତ ଏସ ଟି ,ଏସ ସି କମିଶନର ଘଟଣାକୁ ହୃଦୟଙ୍ଗମ କରି ବିକଳାଙ୍ଗ ପରିବାରର ଏକମାତ୍ର ରୋଜଗାରକ୍ଷମ ହରିଜନ ମହିଳା ଯମୁନା ନାୟକ ଓ ମାଟ୍ରିକ ପରୀକ୍ଷାରେ ପାସ ହୋଇ ନିଜ ଉଜ୍ବଳ ଭବିଷ୍ୟତ ଦେଖୁଥିବା ହରିଜନ ବାଳ ଶ୍ରମିକ ନାବାଳିକା ବର୍ଷା ନାୟକଙ୍କ ପରିବାରକୁ ୧୦ ଲକ୍ଷ ଓ ପୀଡ଼ିତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ନେଇ ଶ୍ରୀ ପାଣିଗ୍ରାହୀ ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here