ସାନଖେମୁଣ୍ଡିରେ ଜମୁଛି ପ୍ରାକ ପଞ୍ଚାୟତ ନିର୍ବାଚନ ଉଷ୍ମତା । ମହିଳା ଯୋଗାଣ ସହାୟିକାଙ୍କୁ ଆକ୍ରମଣ ମାମଲାରେ ଛନ୍ଦି ଓକିଲଙ୍କୁ ଗିରଫ କରାଇଲା ପ୍ରଶାସନ । ଜାମିନରେ ଗଲେ ଓକିଲ ।

0
406

ବ୍ରହ୍ମପୁର, ୧୦/୧୦/୨୦୨୧: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରା ପଞ୍ଚାୟତ ନିର୍ବାଚନର ସମୟ ତୟ ପରେ ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏହାର ପ୍ରାଦୁର୍ଭାବ ପରିଲକ୍ଷିତ ହେଉଅଛି । ସୁଚିନ୍ତିତ ଉପାୟ ଅବଲମ୍ବନରେ ବ୍ଲକ୍ ପ୍ରଶାସନ ଦୁର୍ନୀତି ବିରୋଧୀଙ୍କୁ ନିର୍ମୂଳ କରିବା ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତିରେ ଥାଇ କ୍ରମିକ ଧାରାରେ ବିରୋଧୀଙ୍କୁ ଥାନାରେ ପୁରାଇ ଟ୍ରାଙ୍କୁଲାଇଜ କରୁଥିବା ସାଧାରଣରେ ଆଲୋଚନା ହେଉଅଛି । ସାନଖେମୁଣ୍ଡି ବ୍ଲକରେ ଥିବା ୨୬ ଗୋଟି ପଞ୍ଚାୟତରେ ଚାଲିଥିବା ମନରେଗା ଏବଂ ଉନ୍ନୟନ ମୂଳକ କାର୍ଯ୍ୟରେ ବାଟମାରଣା , ପଞ୍ଚାୟତ ସ୍ତରରେ ଏକଛତ୍ରବାଦ ଧାରାରେ କାର୍ଯ୍ୟକରୁଥିବା ଯୋଗାଣ ସହାୟକ , ଜିଆରର୍ଏସ , ଜେଇ /ଜିପିଟିଏ , ନିର୍ବାହୀ ଅଧିକାରୀ ତଥା ବ୍ଲକ୍ ସ୍ତରୀୟ ଅଧିକାରୀଙ୍କୁ ନିଜ ଉତ୍ତରଦାୟିତ୍ୱ ନେଇ ଅଭିଯୋଗ କଲେ ସେମାନେ ନିରୁତ୍ତର ରହିବା ସହ କିଛି ଜାଣିନଥିବା ପ୍ରକାଶ କରିବା , ଏମାନଙ୍କ ବିରୋଧରେ ଉପର ହାକିମଙ୍କୁ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଫଳଘର ଶୁନ ହେଉଥିବା ଅଞ୍ଚଳରେ ଚର୍ଚା ହେଉଥିବା ବେଳେ ଗଙ୍ଗାପୁର ପଞ୍ଚାୟତର ଜନୈକା ଯୋଗାଣ ସହାୟିକାଙ୍କ ଅଭିଯୋଗ ଭିତ୍ତିରେ ସେହି ପଞ୍ଚାୟତ ତଥା ଗ୍ରାମର ଜନୈକ ଅଧିବାସୀ ପ୍ରଶାନ୍ତ କୁମାର ଡାକୁଆ ଓକିଲ ପେଶାଧାରୀଙ୍କୁ ଥାନାରେ ସାରାଦିନ ଏବଂ ରାତି ଅଟକ ରଖିବା , ନିଶାର୍ଦ୍ଧରେ କେସ ପଞ୍ଜୀକୃତ କରି ଗିରଫ ସହ ପରଦିନ କୋର୍ଟ ଚାଲାଣ କରିବା ପୁରୁଣା ଚର୍ଚ୍ଚାକୁ ଖୋରାକୀ ଯୋଗାଇଥିବା ଜଣାଯାଇଛି । ଅବଶ୍ୟ ସ୍ଥାନୀୟ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧୀଶ ସଂପୃକ୍ତ ଓକିଲଙ୍କୁ ମାମଲାର ପ୍ରଗାଢ଼ତା ଅନୁଶୀଳନ କରି ଜାମିନ ପ୍ରଦାନ କରିଛନ୍ତି , ଅନ୍ୟ ପକ୍ଷରେ ଗଙ୍ଗାପୂର ପଞ୍ଚାୟତରେ କାର୍ଯ୍ୟରତ ସଂପୃକ୍ତ ଯୋଗାଣ ସହାୟିକାଙ୍କ କାର୍ଯ୍ୟଧାରାକୁ ନେଇ ପଞ୍ଚାୟତରେ ଚାପା ଉତ୍ତେଜନା ଜାରି ରହିଅଛି ।

ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ କାଯ୍ୟଳୟରେ କାର୍ଯ୍ୟରତ ଯୋଗାଣ ସହାୟିକା ରାଜେଶ୍ୱରୀ ଗୌଡ଼ଙ୍କ ବିରୋଧରେ ପୂର୍ବରୁ ବହୁବାର ବଣ୍ଟନ ଜନିତ ହେରଫେର ତଥା ଅନିୟମିତତା ନେଇ ଅଭିଯୋଗ ହେଉଥିଲା ବେଳେ ବ୍ଲକ୍ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ରହିଅଛି । ପରନ୍ତୁ ରାଜେଶ୍ୱରୀ ଗୌଡ଼ ସାନଖେମୁଣ୍ଡି ବିଡ଼ିଓଙ୍କ ପରାମର୍ଶରେ ପାଟପୁର ଥାନାରେ ଗଙ୍ଗାପୁର ଗ୍ରାମର ପ୍ରଶାନ୍ତ କୁମାର ଡ଼ାକୁଆଙ୍କ ବିରୋଧରେ ଗାଳି ଗୁଲଜ ଧମକ ଓ ଆକ୍ରମଣ ସହ ଉପସ୍ଥିତ ଥିବା ନିଜ ଭାଇକୁ ଆକ୍ରମଣ ଜନିତ ଏତଲା ଦେଇଥିଲେ । ଏଥି ସହ ଉଭୟଙ୍କ ଆଡପଡା ଡାକ୍ତରଖାନାର ଆହତାଧିନ ଚିକିତ୍ସା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏନେଇ ପାଟପୁର ପୋଲିସ ଥାନା କେସ ନଂ ୩୨୯ / ୨୧ ପ୍ରକାରେ ଏକ ମାମଲା ରୁଜୁକରି ଗତ ଗୁରୁବାର ଦିନ ଓକିଲ ପ୍ରଶାନ୍ତ କୁମାର ଡାକୁଆଙ୍କୁ ମାନ୍ୟବର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ହେପାଜତକୁ ଚାଲାଣ କରିଥିଲା l ଉକ୍ତଦିନ ଅଭିଯୁକ୍ତ ଓକିଲଙ୍କ ଜାମିନ ଆବେଦନକୁ ବିଚାରକୁ ନେଇ ମାନ୍ୟବର ନ୍ୟାୟାଧିଶ ସର୍ତ୍ତ ଭିତ୍ତିରେ ଜାମିନ ମଞ୍ଜୁର କରିଥିଲେ । ନିଜ ଗିରଫଦାରୀକୁ ନେଇ ଓକିଲ ଡାକୁଆ ସାନଖେମୁଣ୍ଡି ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ ବିଶୋଦଗାର କରିଛନ୍ତି । ନିଜ ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ବିରୋଧ କରି ଅଭିଯୋଗ କରିବାରୁ ଯୋଗାଣ ସହାୟିକାଙ୍କୁ ସୁରକ୍ଷା ଆଳରେ ବିଡ଼ିଓଙ୍କ ତାଙ୍କୁ ଗିରଫ କରାଇଥିବା ଅଭିଯୋଗ କରିଛନ୍ତି । ପୂର୍ବଦିନରେ ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ସରପଞ୍ଚଙ୍କ ଦ୍ଵାରା ଜନୈକ ଜିଆରଏସ ରକ୍ତାକ୍ତ ଆକ୍ରମଣର ଶିକାର ହୋଇଥିବା ବେଳେ ବିଡ଼ିଓ ନୀରବ ଥିବା , ରାଧାଦେଇଇପୁର ପଞ୍ଚାୟତରେ ଜନୈକା ଯୋଗାଣ ସହାୟିକାଙ୍କ ପ୍ରତି ହୋଇଥିବା ଆକ୍ରମଣ ଅଭିଯୋଗକୁ କାର୍ଯ୍ୟକାରୀ ନକରି ନୀରବ ରହିଥିବା ନଜିର ଥିବାବେଳେ ଗଙ୍ଗାପୁରରେ ସେପରି କୌଣସି ଘଟଣା ଘଟି ନଥିବା ବେଳେ ସାମାନ୍ୟ ବଚସାକୁ ଭିନ୍ନ ରୂପ ଦେଇ ବିଡ଼ିଓଙ୍କ ପ୍ରରୋଚନାରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଓକିଲ ପ୍ରଶାନ୍ତ ଡାକୁଆ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମନ୍ଧରେ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ପ୍ରତିକ୍ରିୟା ପ୍ରକାରେ ସେ ଏହି ଘଟଣାରେ ଜଡ଼ିତ ନଥିବା , ସଂପୃକ୍ତ ମହିଳା ଯୋଗାଣ ସହାୟିକାଙ୍କ ଅଭିଯୋଗ ଭିତ୍ତିରେ ନ୍ୟାୟିକ ପ୍ରକ୍ରିୟାରେ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିବା ସୂଚିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here