କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନାମରେ ଥାନାରେ ଏତଲା, କରୋନା କଟକଣା ନିୟମ ଭଙ୍ଗ ନେଇ ଏତଲା ଦାଏର କଲା ବିଜେପି, କଟକଣା ବଳବତ୍ତର ବେଳେ ନାଚ ଗୀତକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବୀ

0
360

ବ୍ରହ୍ମପୁର, ୦୫/୦୧/୨୦୨୨: କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନାମରେ ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ଏତଲା ଦାଏର ହୋଇଛି । କୋଭିଡ୍ ନିୟମ ଭାଙ୍ଗିବା ନେଇ ଅଭିଯୋଗ ଆଣି ଏତଲା ଦାଏର କରିଛି ବିଜେପି । ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା କବିସୂର୍ଯ୍ୟନଗର ବିଧାୟିକାଙ୍କ ନାମରେ ଏତଲା ଦାଏର କରିଛନ୍ତି । ଗତ ଜାନୁଆରୀ ୦୨ ତାରିଖରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ଠାରେ ବିଧାୟିକା ଲତିକା ପ୍ରଧାନ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ସହ ନାଚ ଗୀତ କରିଥିଲେ । ହଜାର ହଜାର ଲୋକଙ୍କୁ ନେଇ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । କିନ୍ତୁ କାହା ମୁହଁରେ ମାସ୍କ ନାହିଁ ଏବଂ ସାମାଜିକ ଦୂରତା ମଧ୍ୟ ନଥିଲା । ଏପରିକି ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ବଳବତ୍ତର ଥିବା ବେଳେ ବିଧାୟିକାଙ୍କ ଏପରି କାର୍ଯ୍ୟକ୍ରମକୁ ବିରୋଧ କରି ଏହି ଏତଲା ଦାଏର କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ବଳବତ୍ତର ଥିବା ବେଳେ ନାଚ ଗୀତ ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିବା ନିୟମ ବିରୋଧ ବୋଲି ଅଭିଯୋଗ ଆଣିଛି ବିଜେପି । ଏହା ସହ ବିଧାୟିକଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ବିଜେପି । ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ପ୍ରତିବାଦ କରିବ ବିଜେପି ବୋଲି ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଆଲୋକ କୁମାର ଶତପଥୀ, ଜଗନ୍ନାଥ ଭୂୟାଁ, ସୀମାଞ୍ଚଳ ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ମିରାବାଇ ଦେଓ, ସନ୍ତୋଷ ଡାକୁଆ, କାହ୍ନୁ ଚରଣ ଗୌଡ଼, ମିଟୁ ନାହାକ, ମନୋଜ ପୋଲାଇ, ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here