ତିନି କୋଟି ଟଙ୍କା ବ୍ୟୟବରାଦରେ ତପ୍ତପାଣି ଉଷ୍ଣପ୍ରସ୍ରବଣ ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମିର ବିକାଶ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

0
321

ବ୍ରହ୍ମପୁର,୧୧ /୦୧ /୨୦୨୨: ଅବହେଳିତ ଥିବା ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣପ୍ରସ୍ରବଣ ତପ୍ତପାଣିର ଭିତ୍ତିଭୂମିର ବିକାଶ ପାଇଁ ରାସ୍ତା ଖୋଲିଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ , ପୂର୍ବତନ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଏବଂ ସାନଖେମୁଣ୍ଡି ପ୍ରଶାସନର ଅଦମ୍ୟ ଉଦ୍ୟମରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକର୍ଷଣୀୟ ତପ୍ତପାଣିର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ତିନି କୋଟି ଟଙ୍କାର ବ୍ୟୟବରାଦ ମଞ୍ଜୁର କରି ଯୋଜନାକୁ କ୍ରିୟାଶୀଳ କରିଛନ୍ତି । ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ନିର୍ମାଣ ଓ ରୂପାନ୍ତରକରଣ ଯୋଜନାର ଆଜି ଶିଳାନ୍ୟାସ ହୋଇଅଛି । ଭିଡିଓ କନଫେରେନ୍ସ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାପାଳ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ , ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କଙ୍କ ଉପସ୍ଥିତିରେ ଆଜି ସୋମବାର ସନ୍ଧ୍ୟାରେ ତପ୍ତପାଣିରେ ବିକାଶର ଭିତ୍ତିପ୍ରସ୍ତର ଉନ୍ମୋଚନ କରିଛନ୍ତି । ତପ୍ତପାଣିରେ ଆୟୋଜିତ ଏକ ସ୍ବତନ୍ତ୍ର ଆକର୍ଷଣୀୟ ଉତ୍ସବ ଅବସରରେ ସାନଖେମୁଣ୍ଡି ପ୍ରଶାସନ , ନିର୍ବାଚିତ ପଂଚାୟତ ଜନ ପ୍ରତିନିଧି ତଥା ଅଞ୍ଚଳ ବୁଦ୍ଧିଜୀବୀଙ୍କ ସହିତ ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ନନ୍ଦିନୀ ଦେବୀ ମଞ୍ଚାସିନ ରହି ନିଜନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଜନ ମଙ୍ଗଳ ଯୋଜନାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଧାରାକୁ ନେଇ ଅନୁପ୍ରାଣିତ କରିବା ସହିତ ସାନଖେମୁଣ୍ଡି ବ୍ଳକର ଓଡ଼ିଶା ପ୍ରସିଦ୍ଧ ଉଷ୍ଣପ୍ରସ୍ରବଣ ତପ୍ତପାଣି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରକ୍ତିକୁ ଅବତାରଣା କରିଥିଲେ । ଘନ ଜଙ୍ଗଲ ପରିବେଷ୍ଟିତ ମନୋରମ ପରିବେଶରେ ଥିବା ତପ୍ତପାଣିର ସାମଗ୍ରିକ ବିକାଶ ଧାରାକୁ ବଜାୟ ରଖିବା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କ ସୁବିଧା ପାଇଁ ମନୋରମ ପରିବେଶକୁ ଆକର୍ଷିତ କରାଇବାକୁ ରୁପାନ୍ତରକରଣ ଯୋଜନାକୁ କ୍ରିୟାଶୀଳ କରିବାକୁ ଆହ୍ଵାନ ଦେଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଡ଼ିଓ ସାନଖେମୁଣ୍ଡି ଗାୟତ୍ରୀ ଦତ୍ତ ନାୟକ ,ତହସିଲଦାର ଡ଼ ଶ୍ରୀନିବାସ ବେହେରା ଉପସ୍ଥିତ ରହିଥିଲା ବେଳେ ବିଜେଡି ବ୍ଲକ୍ ସଭାପତି ନୀଳମାଧବ ରାଉତ , ରାଜ୍ୟ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ଜିଲ୍ଲା ପରିଷଦ ସଭ୍ୟ ଗୀତାଞ୍ଜଳୀ ନାୟକ , ଟି ଗୋବିନ୍ଦପୁର ସରପଞ୍ଚ ମଙ୍ଗଳା ଗମାଙ୍ଗ , ଶଙ୍କର୍ଷଣ ସ୍ବାଇଁ , ସୁବାଷ ମହାପାତ୍ର , ଅମିନ ପ୍ରଧାନଙ୍କ ସହ ବହୁ ସରପଞ୍ଚ , ସମିତି ସଭ୍ୟଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀ ଜନସାଧାରଣ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here