ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କ ଅପାରଗତା ଏବଂ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସହରରେ ନିର୍ମାଣାଧୀନ ସ୍ମାର୍ଟ ରୋଡ କାର୍ଯ୍ୟ ନିମ୍ନମାନର ଅଭିଯୋଗ।

0
551

ବ୍ରହ୍ମପୁର,୧୬/୦୩/୨୦୨୨:
ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କ ଅପାରଗତା ଯୋଗୁଁ ସହରବାସୀ ଙ୍କ କୋଟି କୋଟି ଟିକସ ଟଙ୍କା ବରବାଦ ହୋଉଥିବା ଜଣାଯାଉଛି । ମହାନଗର ନିଗମ ରେ କମିଶନର ଭାବେ ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଉଥିବା ବେଳେ ସେମାନେ ଦୂରଦୃଷ୍ଟି ସମ୍ପନ୍ନ ତଥା ଦକ୍ଷ ବୋଲି ସାଧାରଣତଃ ଧରାଯାଏ। ଯଦି ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ମହାନଗର ନିଗମର କମିଶନର ଦୂରଦୃଷ୍ଟି ବିହୀନ କାର୍ଯ୍ୟକଳାପ କରିବେ ତାହା ହେଲେ ସାଧାରଣ ଜନତା ସେମାନଙ୍କ ଠାରୁ ଆଉ କି ଆଶା କରିବେ। ସେମିତି କିଛି ଉଦାହରଣ ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ନିର୍ମାଣାଧୀନ ସ୍ମାର୍ଟ ରୋଡ କାର୍ଯ୍ୟ ରେ ଦେଖିବାକୁ ମିଳିଛି। ଠିକାଦାର ଏବଂ ନିଗମ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସହରରେ ଚାଲିଥିବା ସ୍ମାର୍ଟ ରୋଡ କାର୍ଯ୍ୟ ରେ ନିମ୍ନମାନର କାର୍ଯ୍ୟ ହେଉଥିବା ନଜର କୁ ଆସିଛି।
ବ୍ରହ୍ମପୁର ମହାନଗର ନିଗମ ତରଫରୁ ଚାଲିଥିବା ସ୍ମାର୍ଟରୋଡ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି । ନୂଆ କାମ କରିବା ବଦଳରେ ପୁରୁଣା କାମ ଉପରେ କଂକ୍ରିଟ୍‌ ଲେପ ଲଗାଇଦେଇ ଟଙ୍କା ଚଳୁ କରିନେବା ପାଇଁ ମସୁଧା ଚାଲିଛି । ପୌର ନିର୍ବାଚନ ସମୟରେ ସହରର ମୁଖ୍ୟ ବଜାର ଉପରେ ଏଭଳି ନିମ୍ନମାନର କାମକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହାନଗର ନିଗମର ଅଧିକାରୀମାନେ ନିରବ ରହି ଭିତିରିଆ ସମର୍ଥନ କରୁଥିବା ମଧ୍ୟ ଆଲୋଚନା ହେଉଛି ।ମିଳିଥିବା ସୂଚନା ଅନୁଯାୟୀ, ସହରରେ ୧୦ଟି ସ୍ମାର୍ଟରୋଡ ପାଇଁ କାମ ଚାଲିଛି । ସେଥିରୁ ଗୋଟିଏ ହେଲା ଅନ୍ନପୂର୍ଣ୍ଣା ବଜାର ଠାରୁ ଭିଶାଲ ମେଗା ମାର୍ଟ ଛକ ପର୍ଯ୍ୟନ୍ତ ରାସ୍ତା। ସ୍ମାର୍ଟ ରୋଡ ଯୋଜନାରେ ୭୦୩ ମିଟର ରାସ୍ତା ପାଇଁ ବ୍ୟୟ ଅଟକଳ ରହିଛି ୩କୋଟି ୮୦ ଲକ୍ଷ ୯୦ହଜାର ୯୦୭ ଟଙ୍କା। ଫଳକରେ ଲେଖାଯାଇଛି ଯେ, ୨୦୨୧ ଡିସେମ୍ବର ୧୮ ତାରିଖରେ କାମ ଆରମ୍ଭ ହୋଇଥିଲା । ତିନି ମାସ ଭିତରେ କାମ ଶେଷ ହେବ ବୋଲି ସମୟ ସୀମା ଧାର୍ଯ୍ୟ କରାଯାଇଛି । ନିର୍ମାଣ ଅବଦ୍ଧି ଶେଷ ହେବାକୁ ଆସିଲାନି । ଅଥଚ କାମ ଅଧା ମଧ୍ୟ ହୋଇନାହିଁ । ସେଥିରେ ପୁଣି ଯେତିକି କାମ ହୋଇଛି, ସେଥିରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି । ପ୍ରକଳ୍ପର ବିବରଣୀରୁ ପ୍ରକାଶ ଯେ, ସ୍ମାର୍ଟ ରୋଡ ଯୋଜନାରେ ଏଠାରେ କଂକ୍ରିଟ୍‌ ବିଟି ରାସ୍ତା ସହିତ ପେଭେର ଟାଇଲ୍‌ ପଡ଼ିବା କଥା । ଫୁଟପାଥରେ ମଧ୍ୟ ପେଭେର ଟାଇଲ୍‌ ପଡ଼ିବ । ସାଇକେଲ୍‌ ଟ୍ରାକ୍‌ ରହିବ । ଉଭୟ କଡ଼ରେ କଂକ୍ରିଟ୍‌ ନର୍ଦ୍ଦମା ନିର୍ମାଣ ହେବ । ରାସ୍ତା କଡ଼ରେ ଗଛ ଲାଗିବା ସହିତ ପାର୍କିଂ ପାଇଁ ସ୍ଥାନ ରହିବ । କିନ୍ତୁ ଅନ୍ନପୂର୍ଣ୍ଣା ଛକ ଠାରୁ ବିଶାଲ ମେଗା ମାର୍ଟ ଛକ ପର୍ଯ୍ୟନ୍ତ ଯେଉଁ ସ୍ମାର୍ଟ ରୋଡ ନିର୍ମାଣ ଚାଲିଛି, ଏଥିରେ ଉପରୋକ୍ତ ବ୍ୟବସ୍ଥା ଦେଖିବାକୁ ମିଳୁନି । ସାଇକେଲ୍‌ ଟ୍ରାକ୍‌ ନାହିଁ । ପେଭେର ଟାଇଲ୍‌ ପଡ଼ି ନାହିଁ । କଂକ୍ରିଟ ନର୍ଦ୍ଦମା ନିର୍ମାଣ ପାଇଁ ପ୍ରକଳ୍ପରେ ଉଲ୍ଲେଖ କରାଯାଇଥିଲେ ମଧ୍ୟ ନୂଆ ନିର୍ମାଣ ବଦଳରେ ପୁରୁଣାକୁ ନୂଆ ରୂପ ଦିଆଯାଉଛି । ପୂର୍ବରୁ ଏହି ରାସ୍ତାର ଉଭୟ କଡ଼ରେ କଂକ୍ରିଟ୍‌ ନର୍ଦ୍ଦମା ରହିଥିଲା । ସେହି ପୁରୁଣା ନର୍ଦ୍ଦମା ଉପରେ କଂକ୍ରିଟ୍‌ ଲେପ ପକାଯାଉଛି । ହେଲେ ନୂଆ ନିର୍ମାଣ କରାଯାଉ ନାହିଁ । ଏହି ଅନିୟମିତତାକୁ ଲୁଚାଇ ଦେବା ପାଇଁ ପୁଣି ଉଦ୍ୟମ କରାଯାଇଛି । ସିମେଣ୍ଟ ପ୍ଲେଟ୍‌ ପକାଇ ଦିଆଯାଇଛି । ଯାହା ଫଳରେ ଏସବୁ କିଛି ଦେଖାଯିବ ନାହିଁ । ପ୍ରାୟ ୪ କୋଟି ଟଙ୍କାର ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହେଉଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ନିର୍ମାଣ ସ୍ଥଳକୁ ମହାନଗର ନିଗମର ଯନ୍ତ୍ରୀ ପରିଦର୍ଶନରେ ଯିବା କଥା । ନିର୍ମାଣ କାର୍ଯ୍ୟର ତଦାରଖ କରିବା କଥା । ହେଲେ ଯନ୍ତ୍ରୀ କିମ୍ବା ଅଧିକାରୀ ନିର୍ମାଣସ୍ଥଳକୁ ଯାଉନଥିବା ଅଭିଯୋଗ ହୋଇଛି ।ଫେବୃୟାରୀ ୨୩ ତାରିଖରେ ସ୍ମାର୍ଟରୋଡ ପ୍ରକଳ୍ପର ରାଜ୍ୟ ନୋଡାଲ ଅଧିକାରୀ(ବୈଷୟିକ) ଇଂ.ରତିନ୍ଦ୍ରନାଥ ମଲ୍ଲିକ ବ୍ରହ୍ମପୁର ଗସ୍ତରେ ଆସି ସ୍ମାର୍ଟରୋଡ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ । ପରେ ବେଙ୍ଗାଲୁର ଜନାଗ୍ରହ ଅର୍ବାନ ସ୍ପେଶ୍‌(ଜେୟୁଏସ୍‌ପି)ର ଏକ ବୈଷୟିକ ଦଳ ମଧ୍ୟ ପରିଦର୍ଶନରେ ଆସିଥିଲେ । ସେମାନେ ମଧ୍ୟ ଉତ୍ତମ ଗୁଣବତ୍ତା ଉପରେ ଗୁରୁତ୍ବ ଦେଇଥିଲେ । ପୌର ନିର୍ବାଚନରେ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ରହ୍ମପୁରରେ ସ୍ମାର୍ଟରୋଡ ନିର୍ମାଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି । ତଥାପି ମହାନଗର ନିଗମର ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଯେଉଁ ନିମ୍ନମାନର ତଥା ଅନିୟମିତତା ଦେଖିବାକୁ ମିଳୁଛି, ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here