ଜଳକାରେ ହିଞ୍ଜିଳି ପ୍ରଶାସନ : ସରକାରୀ ପ୍ରକଳ୍ପରୁ ଦିବାଲୋକରେ ମୋରମ ଚୋରି ଅଭିଯୋଗ

0
162

ବ୍ରହ୍ମପୁର , ୦୬/୦୭/୨୦୨୨ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଭଦ୍ରମୁଖା ନେତା ଓ ତାଙ୍କ ଚେଲାଙ୍କ ଚଞ୍ଚକତା ଭେଳିକି ପ୍ରକାରେ ହିଞ୍ଜିଳି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରୀ ପ୍ରକଳ୍ପରୁ ଖୁଲମଖୁଲା ମୋରମ ଚୋରୀ ଭଳି ଏକ ଅଭିନଵ ଠକେଇ ଘଟଣା ହିଞ୍ଜିଳିରେ ସାମ୍ନାକୁ ଆସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣାଯାଇଛି l ସାଧାରଣରେ ଏଥିନେଇ ଅଭିଯୋଗ ପ୍ରକାରେ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତଙ୍କ ପକ୍ଷରୁ ଲକ୍ଷ୍ୟଭ୍ରଷ୍ଟ ପାଇଁ ବହୁ ଫନ୍ଦି ଫିକର ଦେଖାଉଥିବା ଜଣାଯାଇଛି ପ୍ରଶାସନିକ ଅନୁମତିରେ ରାଜସ୍ବ ବିଭାଗ ତହବିଲରେ ରୟାଲିଟି କାଟି କୃଷକର ଜମି ହିଡ଼କୁ ବାନ୍ଧିବାପାଇଁ ମାଟି ବାହାର କରୁଥିବା ମଧ୍ୟ ଯୁକ୍ତି ରଖିଛନ୍ତି l ସୂଚନା ପ୍ରକାରେ ହିଞ୍ଜିଳି ବ୍ଲକ ଅଧୀନ ଶାସନ ଆମ୍ବଗାଁ ପଞ୍ଚାୟତର ବାଦୀ ଆମ୍ବଗାଁ ଠାରେ ଥିବା ବଡବନ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ଏକ ଜଳାଶୟ ରହିଅଛି l ଚାଷୀଙ୍କ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଧିଷ୍ଟ ଏହି ଜଳାଶୟରେ ଗତ ତିନିଦିନ ଧରି ଶାସନ ଆମ୍ବଗାଁ ସରପଞ୍ଚଙ୍କ ପ୍ରଚ୍ଛନ୍ନ ସମ୍ପୃକ୍ତି ଓ ଚଞ୍ଚକତାରେ ନିମିଗାଁ ଗ୍ରାମର ସଦାନନ୍ଦ ସାହୁଙ୍କ ଜେସିବି ମେସିନ ଓ ଟ୍ରାକଟର ଲଗାଇ ଟ୍ରାକ୍ଟର ପିଛା ୪୦୦ ଟଙ୍କାରେ ମୋରମ ବିକ୍ରୀ କରୁଥିବା ଓ ତାହା ପୁଣି ପ୍ଲଟ ବ୍ୟବସାୟୀଙ୍କ ଘରବାରି ପ୍ଲଟକୁ ଯାଉଥିବା ଜଣାଯାଇଛି । ଏହି ଘଟଣାକୁ ନେଇ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣିନଥିବା ଓ ବିଭାଗ ତରଫରୁ କୌଣସି ଅନୁମତି ଦିଆଯାଇନଥିବା ସ୍ୱଷ୍ଟ କରିଛନ୍ତି l ଏ ନେଇ ଆମ୍ବଗାଁ ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ଦୁଇଦିନ ପାଇଁ ୧୦୫୧ ଟଙ୍କା ହିସାବ ରୟାଲିଟି ବିନିମୟରେ ସେମାନେ ଅନୁମତି ପାଇଥିବା ସ୍ଵୀକାର କରିଥିଲେ ମଧ୍ୟ କେତେ କ୍ୟୁବିକ ମିଟର (ସିଏମ) ମାଟି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି, ସେ ସମ୍ପର୍କରେ ଗଣମାଧ୍ୟମର ଦୃଷ୍ଟି ହଟାଇବାକୁ ଚେଷ୍ଟା କରିଥିଲେ l ପରନ୍ତୁ ଏଠି କ୍ଷୁଦ୍ର ଜଳସେଚନ ବିଭାଗର ବିନା ଅନୁମତିରେ ସେହି ବିଭାଗର ପ୍ରକଳ୍ପରୁ ମାଟି / ମୋରମ ଉତ୍ତୋଳନ କରିବାକୁ ରାଜସ୍ବ ନିରୀକ୍ଷକଙ୍କ ଅନୁମତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବୈଧ ଏହି ମାଟି ଚାଲାଣରେ ରାଜସ୍ବ ନିରୀକ୍ଷକଙ୍କ ସିଧା ସମ୍ପୃକ୍ତି ରହିଥିବା ସନ୍ଦେହକୁ ଆସିଅଛି । ସୂଚନା ଥାଉକି , ଏହି ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଦୃଢ଼ ବିଶ୍ୱାସକୁ ନେଉଛନ୍ତି l କିନ୍ତୁ ଶାସନ ଆମ୍ବଗାଁ ପଂଚାୟତର ନିର୍ବାଚିତ ସରପଞ୍ଚ ଏ ନେଇ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କୁ ଅନ୍ଧାରରେ ରଖି ବିଶ୍ୱାଘାକତା କରିଥିବା ପ୍ରମାଣ ମିଳିଛି । ସେହି ପଂଚାୟତର ବାଦୀ ଆମ୍ବଗାଁରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ପୋଖରୀର ମାଟି ଖୋଳା ଓ ଘରବାରି ଜାଗାକୁ ବିକ୍ରିରେ ନିଜସ୍ୱ ଫାଇଦା ହାସଲ କରିଥିବା ବାରି ହୋଇପଡୁଛି l ହିଞ୍ଜିଳି ପ୍ରଶାସନର ନଜରକୁ ଆସିବାପରେ ତୁରନ୍ତ ପଦକ୍ଷେପ ନିଆଯାଇଥିବା ଜଣାଯାଇଥିଲେ ମଧ୍ୟ ଅବୈଧ ଚାଲାଣକାରୀଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାକୁ ନେଇ ସାଧାରଣରେ ଚର୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here