ବୁଗୁଡା : ଗଣେଶ ବଜାର ଓ ମାଛ-ମାଂସ ବଜାର ପିଣ୍ଡି ଭଙ୍ଗାଗଲା

0
197

ବୁଗୁଡା, ୧୨/୦୮/୨୦୨୨: ଗଞ୍ଜାମଜିଲ୍ଲା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ମଦନ ମୋହନ ଛକ ସମ୍ମୁଖରେ ଥିବା ଗଣେଶ ବଜାର ଓ ମାଛ-ମାସଂ ବଜାର ପିଣ୍ତିକୁ ଉଚ୍ଛେଦ କରାଯାଇଛି। ବର୍ଷ ବର୍ଷ ଧରି ଲୋକଙ୍କ ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ଗଣେଶ ବଜାର ଓ ମାଛ-ମାଂସ ବଜାର ପିଣ୍ଡିକୁ ଉଚ୍ଛେଦ କରିବା ପାଇଁ ବୁଗୁଡା ଏନ୍ଏସି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଚିତ୍ରସେନ ପ୍ରଧାନ ବୁଗୁଡା ଏନଏସି ର ଅଧ୍ୟକ୍ଷ ନିର୍ବାଚିତ ହେବାପରେ ବୁଦ୍ଧିଜୀବୀ ବୃନ୍ଦ ନୂତନ ଅଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କୁ ଦୁଇ ବଜାରରେ ପିଣ୍ଡି ଯୋଗୁଁ ହେଉଥିବା ଅସୁବିଧା ବିଷୟ ନେଇ ଅଭିଯୋଗ କରିଥିଲେ। ୨୦୧୩ ମସିହାରେ ନିର୍ମିତ ହୋଇଥିବା ଗଣେଶ ବଜାରର ମଧ୍ୟରେ ମାଛ‐ମାସଂ ବଜାର ପିଣ୍ଡି ବ୍ଯବସାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଏନଏସି ପକ୍ଷରୁ କୁହାଯାଉଥିଲେ ମଧ୍ୟ ତାହା ଅସାମାଜିକ ବ୍ୟକ୍ତିଙ୍କ କାମରେ ଆସୁଥିଲା, ମାତ୍ର ବ୍ଯବସାୟୀ କିମ୍ବା ଗ୍ରାହକଙ୍କ ହିତ ସାଧନ ହେଉନଥିଲା । ସେନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ଅନ୍ୟପକ୍ଷରେ ୨୦୧୭ ମସିହାରେ ଲୋକାର୍ପିତ ହୋଇଥିବା ମାଛ-ମାଂସ ବଜାର ଓ ଗଣେଶ ବଜାର ମଝିରେ ଥିବା ପିଣ୍ଡି ଯୋଗୁଁ ଗ୍ରାହକଙ୍କ ଚଳପ୍ରଚଳ ପାଇଁ ସ୍ଥାନର ଅଭାବ ଦେଖାଦେବା ଯୋଗୁଁ ବଜାର ପ୍ରବେଶ ପଥରେ ଭୀଷଣ ଜନଗହଳି ଦେଖିବାକୁ ମିଳୁଥିଲା । ପିଣ୍ଡି ନିର୍ମାଣକୁ ଆଳକରି ବେପାରୀମାନେ ମୁଖ୍ୟ ରାସ୍ତାକଡରେ ମାଛ ବେପାର କରିବାରୁ ରାସ୍ତାଘାଟ ଦୁର୍ଗନ୍ଧରେ ଫାଟି ପଡୁଥିବା କାରଣରୁ ସାଧାରଣ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଉଥିଲା। ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କୁ ଜନସାଧାରଣ ଅଭିଯୋଗ କରିବା ପରେ ଅଧ୍ୟକ୍ଷ ମହୋଦୟ ଅନୁଧ୍ୟାନ କରି ପିଣ୍ଡି ଭାଙ୍ଗିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ବୁଲଡୋଜର ଲଗାଇ ଉଭୟ ମାର୍କେଟର ପିଣ୍ଡି ଗୁଡିକୁ ଉଚ୍ଛେଦ କରାଯାଇଥିବାରୁ ଅଧ୍ୟକ୍ଷ ମହୋଦୟଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here