ଲୋଚାପଡା ତଥା ଅନ୍ୟ ତିନୋଟି ଗ୍ରାମକୁ ବିଏମସିରେ ସାମିଲ ସକାଶେ ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଧେଶ ଅନୂପାଳନ ଖିଲାପ ନେଇ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ସହର ତଳି କ୍ରିୟାନୁଷ୍ଠାନ କମିଟି ତରଫରୁ ଅଦାଲତ ଅବମାନନା ମାମଲା ଦାୟର।

0
395

ବ୍ରହ୍ମପୁର,୧୮/୦୮/୨୦୨୨: ବ୍ରହ୍ମପୁର ସନ୍ନିକଟ ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଉଦ୍ଦେଶ୍ୟରେ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୀର୍ଘ ତେର ବର୍ଷ ହେଲା ଏବେ ନୁହେଁ ତ କେବେ ନୁହେଁ ନୀତି ଆଧାରରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରାଯାଇ ଆସୁଛି। କମିଟି ପକ୍ଷରୁ ସରକାରୀ, ପ୍ରଶାସନିକ ଏବଂ ରାଜନୈତିକ ସ୍ତରରେ ସମସ୍ତ ପ୍ରକାର ଅହରହ ଚେଷ୍ଟା ସ୍ୱତ୍ତେ ଦାବୀ ପୂରଣ କରିବାରେ ସରକାର ଟାଳ ଟୁଳ ନୀତି ଆପଣେଇ ଚାଲିବାରୁ ବାଧ୍ୟ ହୋଇ କମିଟି ତରଫରୁ ୧୨/୧୨/୨୦୨୧ ରେ କେସ ନଂ ୪୧୪୪୧ /୨୦୨୧ ରେ ଏନେଇ ମାନ୍ୟବର ହାଇ କୋର୍ଟଙ୍କ ହସ୍ତକ୍ଷେପ ଆବେଦନ କରାଯାଇ ଏକ ରିଟ ଯାଚିକା ଦାୟର କରାଯାଇଥିଲା। ମାନ୍ୟବର ଉଚ୍ଚ ନ୍ୟାୟାଳୟ କମିଟି ପକ୍ଷରୁ ଦାୟର ରିଟ ଯାଚିକର ବିଚାର କରି ଗତ ୧୧/୧/୨୦୨୨ ନିଜ ରାୟ ଶୁଣାଇଥିଲେ। ନିଜ ରାୟରେ ମାନ୍ୟବର ବିଚାରପତି ଶ୍ରୀ ବିଶ୍ଵନାଥ ରଥ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ମିଶ୍ରଣ ସକାଶେ ଇଚ୍ଛା ଜାହିର କରି ରେଜୋଲୁସନ ପାସ କରି ଦେଇଥିବା ଲୋଚାପଡା ଗ୍ରାମ ପଞ୍ଚାୟତ ତଥା ଅନ୍ୟ ତିନୋଟି ଗ୍ରାମ ବଡକୁଶସ୍ଥଳି ଗ୍ରାମ ପଞ୍ଚାୟତର ସାନକୁଶସ୍ଥଳି ଗ୍ରାମ ,ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲି ଗ୍ରାମ ଓ ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲ ଆଦିକୁ ତିନି ମାସ ମଧ୍ୟରେ ସାମିଲ ନେଇ ରହିଥିବା ସମସ୍ତ ପକ୍ରିୟା ସାରିବାକୁ ନିର୍ଦ୍ଧେଶ ଦେଇଥିଲେ।ପରନ୍ତୁ ଇତି ମଧ୍ୟରେ ଆଦେଶ ପ୍ରକାଶ ପାଇବାର ୬ ମାସ ଅତିକ୍ରାନ୍ତ ହୋଇସାରିଥିଲ ମଧ୍ୟ ଡାଇରେକ୍ଟର ମ୍ୟୁନିସିପାଲ ଆଡିମିନିଷ୍ଟ୍ରେସନ ମିଶ୍ରଣ ସଂକ୍ରାନ୍ତରେ କୌଣସି ଠୋସ ପଦକ୍ଷେପ ନେବାରେ ତଥା ହାଇକୋର୍ଟଙ୍କ ନିର୍ଦ୍ଧେଶ ଅନୁପାଳନ କରିବାରେ ବିଫଳ ରହିଥିବାରୁ ଏବଂ ଜାଣିଶୁଣି ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବାରେ ଅବହେଳା ପ୍ରଦର୍ଶନ କରି ନୀରବତା ଅବଲମ୍ବନ କରି ଆସିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ରାଜ୍ୟ ପୌର ମିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ଜିତ ନାୟକଙ୍କ ବିରୋଧରେ ଗତ ୫/୮/୨୦୨୨ ରେ ( କଣ୍ଟେନପ୍ଟ ନଂ ୫୧୩୯/୨୦୨୨) ରେ ମାନ୍ୟବର ହାଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି । ଖୁବ୍ ଶୀଘ୍ର ଏହି ମାମଲା ବିଚାର ପାଇଁ ଅଦାଲତକୁ ଆସିବ ତାହାହେଲେ ଯାଇ ସରକାର ଏନେଇ କଣ ପଦକ୍ଷେପ ନେଇଛନ୍ତି କିମ୍ବା ନେବାକୁ ଯାଉଛନ୍ତି ସାର୍ବଜନୀନ ଭାବରେ ଜଣାପଡ଼ିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ଅଦାଲତ ଅବମାନନା ବିଚାର ପାଇଁ ଆସିବା ପୂର୍ବରୁ ସରକାର ସହର ତଳି ଅଞ୍ଚଳକୁ ବିଏମସିରେ ସାମିଲ ନେଇ ସହୃଦୟତାର ସହ ବିଜ୍ଞବିଚାରର ବଶବର୍ତ୍ତୀ ହୋଇ କିଛି ସିଦ୍ଧାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି କମିଟି ଆଶା ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here