ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ

0
100

ଛତ୍ରପୁର, ୧୩/୧୦/୨୦୨୨ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ-ତଥା-ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ-ତଥା- ଗ୍ରାହକ ସୁରକ୍ଷା ପରିଷଦର ସମ୍ପାଦକ ସମସ୍ତଙ୍କୁ ସ୍ବାଗତ କରିବା ସହ ଗ୍ରାହକ ସୁରକ୍ଷା ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ଭୂମିକା ଏବଂ ଦାୟିତ୍ବ ଛଅ ଗୋଟି ଉପଭୋକ୍ତା ଅଧିକାର ବିଷୟରେ ଆଲୋଚନା ହୋଇଥିଲା । ଗ୍ରାହକ ସୁରକ୍ଷା ଆଇନ୍ -୨୦୧୯ ର ଉଦ୍ଦେଶ୍ୟ ଓ ଏହାର ଆଭିମୁଖ୍ୟ ବିଷୟରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବା ଏବଂ ଉପଭୋକ୍ତା ବିବାଦର ସମାଧାନ ପାଇଁ ଏକ ସ୍ଥିର ତଥା ଦୃଢ ପ୍ରଣାଳୀ ପ୍ରତିଷ୍ଠା କରିବା ଏହି ଆଇନ୍ ର ମୂଳ ଲକ୍ଷ୍ୟ । ଜୀବନ ଏବଂ ସମ୍ପତ୍ତି ପାଇଁ ବିପଦ ଜନକ ଦ୍ରବ୍ୟ ବ୍ଯବହାର ନକରିବା ପାଇଁ ସଚେତନ କରାଯାଇଥିଲା । ଗ୍ରାହକଙ୍କୁ ସାମଗ୍ରୀର ଗୁଣବତ୍ତା, କ୍ଷମତା, ପରିମାଣ ମାନକ, ଶୁଦ୍ଧତା ଏବଂ ମୂଲ୍ୟ ବିଷୟରେ ସୂଚନା ଦେବା, ଗ୍ରାହକଙ୍କ ଅଧିକାର ଏବଂ ସ୍ବାର୍ଥର ସୁରକ୍ଷା ପାଇଁ ଗ୍ରାହକ ସୁରକ୍ଷା ପରିଷଦ ଗଠନ କରିବା , ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା, ଦ୍ରବ୍ୟର ମୂଲ୍ୟ, ଦ୍ରବ୍ୟ ପ୍ୟାକିଂ ତାରିଖ ଏବଂ ଅବଧି ଶେଷ ତାରିଖ ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ଗ୍ରାମାଞ୍ଚଳରେ ଗ୍ରାହକ ମାନଙ୍କୁ ସଚେତନ କରାଇବା, ବ୍ଲକ୍, ତହସିଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରରେ ଗୋଟିଏ ଗୋଟିଏ ସଚେତନତା ଶିବିର କରି ଗ୍ରାହକ ମାନଙ୍କୁ ବୁଝାଇବାକୁ ପଡିବ । ଅନ୍ ଲାଇନ୍ ରେ ମଧ୍ୟ ଗ୍ରାହକ ମାନଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ବିଦ୍ୟାଳୟ ଗୁଡିକରେ ଟେଷ୍ଟିଂ ଲ୍ୟାବ୍ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ଜାତୀୟ ଖାଉଟି ସହାୟତା ନମ୍ବରରେ ଗ୍ରାହକ ଅଭିଯୋଗ ଦାଖଲ କରିପାରିବେ । ଅନ୍ ଲାଇନ୍ ଠକେଇ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଆମ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଉପଭୋକ୍ତା ସୁରକ୍ଷା କେନ୍ଦ୍ର, ଉପଭୋକ୍ତା ପରାମର୍ଶ କେନ୍ଦ୍ରରେ ଗ୍ରାହକ ଅଭିଯୋଗ କରିପାରିବେ । ଜିଲ୍ଲା ଉପଭୋକ୍ତା ବିବାଦସମାଧାନ ଆୟୋଗର ସଦସ୍ୟ ସତୀଶ୍ ପାଣିଗ୍ରାହୀ ସମସ୍ତ ବିଷୟ ଉପସ୍ଥାପନ କରିଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷାମୁଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବୈଠକରେ ଦୁଇ ଜଣ ବିଧାୟକ ଏବଂ ବିଧାୟକଙ୍କ ପ୍ରତିନିଧିଗଣ, ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ସଭ୍ୟ ପ୍ରଶାନ୍ତ କୁମାର ମହାରଣା, ସୟଦ ମୁକ୍ତାର, ସାଗରୀକା ପଣ୍ଡା, ରାଜୀବ ଲୋଚନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଭ୍ଯ/ସଭ୍ୟା ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here