ରଙ୍ଗେଈଲୁଣ୍ଡା କୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାବିପତ୍ର ପ୍ରଦାନ

0
133

ବ୍ରହ୍ମପୁର,୨୬/୦୩/୨୦୨୩:ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶକ ଧରି ଗଞ୍ଜାମ ଜିଲ୍ଲାର ଜନସାଧାରଣ ଓ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦାବି କରିବା ପରେ ଗତ ମାର୍ଚ୍ଚ ୫ ତାରିଖ ଠାରୁ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରୁ ଭୁବନେଶ୍ବର କୁ ଏକ ନନ ସେଡୁଲ ବିମାନ ସେବା ସପ୍ତାହକୁ ଦୁଇ ଦିନ ପାଇଁ ଆରମ୍ଭ କରାଯାଇଛି।

କିନ୍ତୁ ପ୍ରତିଦିନ ବିମାନ ସୁବିଧା ନଥିବା, ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ହୋଇନଥିବା ଓ ପ୍ରମୁଖ ସହର ଯଥା ବିଶାଖାପାଟଣା, କଲିକତା, ହାଇଦ୍ରାବାଦ୍ କୁ ସଂଯୋଗ ହୋଇ ନଥିବା ଯୋଗୁଁ ଜନ ସାଧାରଣ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବା ପର୍ଯ୍ୟନ୍ତ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କୁ ସମ୍ପ୍ରସାରିତ କରି ATR- 72 ବା ତାହାଠୁ ବଡ ବିମାନ ଚଲାଇବା ପାଇଁ ରାଜ୍ୟ ସରକାର ଯେଉଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉ ଥିଲା ତାହାର ପ୍ରଗତି ବି କିଛି ଆଖିଦୃଷ୍ଟିଆ ଦେଖା ଯାଉ ନାହିଁ।ତେଣୁ ଓଡିଶା ଡେଭଲପମେଣ୍ଟ ଫୋରମ ର ସଦସ୍ୟ ଗତ କାଲି ଭୁବନେଶ୍ବର ଠାରେ ଓଡ଼ିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରିଥିଲେ ଓ ଏହି ସବୁ ବିଷୟକୁ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରିବା ସହ ଶୀଘ୍ର ସମାଧାନ ର ପନ୍ଥା ବାହାର କରିବା ଓ ବ୍ରହ୍ମପୁରରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ।

ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନା ରୁ ଲକ୍ଷାଧିକ ପର୍ଯ୍ୟଟକ ମା’ ତାରା ତାରିଣୀ ଶକ୍ତିପୀଠ, ଗୋପାଳପୁର, ଚିଲିକା, ଦାରିଙ୍ଗିବାଡି, ଜୀରାଙ୍ଗ କୁ ଆସୁଥିବା ବେଳେ; ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରୁ ହଜାର ହଜାର ବ୍ୟବସାୟୀ ଓ ସାଧାରଣ ଜନତା ପ୍ରତିଦିନ ବିଶାଖାପାଟଣା, କଲିକତା, ହାଇଦ୍ରାବାଦ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଂଚଳ କୁ ଦୈନିକ ବିମାନର ବ୍ୟବସ୍ଥା ସଫଳ ହେବ।ତେଣୁ କେବଳ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ନ ଚଲାଇ, ହାଇଦ୍ରାବାଦ, କୋଲକାତା ଓ ବିଶାଖାପାଟଣା କୁ ଯଥା ଶୀଘ୍ର ବିମାନ ସେବା ପ୍ରତିଦିନ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା।ଅନ୍ୟ ଦାବି ମଧ୍ୟରେ, ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ସେଡୁଲ ବିମାନ ଚଲାଇବା, ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନ ରେ ଟିକେଟ ପାଇବା ପାଇଁ ଭିଡ଼ ଲାଗିଥିବା ଯୋଗୁଁ ବିମାନ କୁ ପ୍ରତିଦିନ ଦୁଇ ଥର ଚଲାଇବା ଓ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ରେ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇ ଥିଲା।

ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ ‘ଲିଙ୍କ ବିମାନ’ ଭାବେ ଚଲାଯିବା,ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ।

ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ବିଶ୍ଵବିଦ୍ୟାଳୟ ର ସବୁ ଛାତ୍ରାବାସ କୁ ଗେଷ୍ଟ ହାଉସ ପାଖକୁ ନେଇ ଆଉ ୨୫ ଏକର ଜମି ଓ ତାହା ପଛକୁ ରହିଥିବା ୧୦୦ ଏକର ରୁ ଅଧିକ ସରକାରୀ, ଚାରଣ ଓ ବେସରକାରୀ ଜମି କୁ ବିମାନ ବନ୍ଦର ରେ ମିଶାଇ ୨୫୦୦ ମିଟର ର ଏକ ନୂଆଁ ରନ-ୱେ ପଶ୍ଚିମ ପଟକୁ ନିର୍ମାଣ କରି କିମ୍ବା କୌଣସି ନୂଆଁ ସ୍ଥାନ ରେ ସବୁଦିନିଆ ଗ୍ରୀନ ଫିଲ୍ଡ ଯାତ୍ରୀବାହୀ ଓ କାର୍ଗୋ ବିମାନ ବନ୍ଦର କେମିତି ଶିଘ୍ର ପ୍ରତିଷ୍ଠା କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ମହୋଦୟା ଙ୍କୁ ଅନୁରୋଧ କରାଯାଇ ଥିଲା।ଏହି ସବୁ ଦାବିକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗମ୍ଭୀରତା ର ସହ ଶୁଣିବା ସହ ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର ଓ ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା, ଏହାସହ ‘ଲିଙ୍କ ବିମାନ’ ଚାଲିବା ଓ ବିମାନ ବନ୍ଦର ରେ ବିଭିନ୍ନ ଜନ ସୁବିଧା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଯଥା ସାଧ୍ୟ ଚେଷ୍ଟା କରା ଯାଉଥିବା ଓ ଅତି ଶୀଘ୍ର ବଡ ବିମାନ ସେବା ଯୋଗାଇ ଦେବାକୁ ସେ ସୂଚନା ଦେଇଥିଲେ।

ଏହି ଅବସରରେ ଓଡିଶା ଡେଭଲପମେଣ୍ଟ ଫୋରମ ସଚିବ ଭି. ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ, ଏନ. ନୀଳମାଧବ ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here