ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ଶିବିରରେ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା।

0
57

ବ୍ରହ୍ମପୁର,୨୯/୦୫/୨୦୨୩:ଖେଳିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ କେଉଁ କେଉଁ ବିଷୟ ଉପରେ ଯତ୍ନବାନ ହେବା ଜରୁରୀ ସେଥିପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ଆନୁକୂଲ୍ୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରରେ ଖେଳାଳିଙ୍କ ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା। ପ୍ରକାଶ ଥାଉକି ଗତ ମେ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୪ ତାରିଖରେ ଉଦଯାପିତ ହେବ। ଶିବିରରେ ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୧୫୦ ରୁ ଅଧିକ ଖେଳାଳି ଉଭୟ ବାଳିକା ଓ ବାଳକ ବିଭାଗରେ ଯୋଗ ଦେଇଛନ୍ତି। ଆଜି ଅନୁଷ୍ଠିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କର୍ମଶାଳାରେ ଭୌତିକ ଚିକିତ୍ସକ ଡାକ୍ତର ନୟନ ବେହେରା ଓ ଡାକ୍ତର ଶୁଭଙ୍କର ମଲ୍ଲିକ ଯୋଗ ଦେଇ ହ୍ୟାଣ୍ଡବଲ ଭଳି ଦ୍ରୁତତମ ଖେଳ ଖେଳିବା ସମୟରେ କି କି ପ୍ରକାର ସତର୍କତା ଅବଲମ୍ବନ କରିବା ଉଚିତ ଓ କିଭଳି ଆଘାତକୁ ରୋକିବା ସହ ଖେଳକୁ ନେଇ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ କରିହେବ ସେନେଇ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାକୁ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର ଛତ୍ରପୁର ଶାଖାର ହୋମିଓପ୍ୟାଥିକ ଡାକ୍ତର ମାନସ ରଞ୍ଜନ ଦାଶ ସଂଯୋଜନା କରିଥିଲେ। ଏଥିରେ ଏନ ଆଇ ଏସ କୋଚ ପ୍ରଶାନ୍ତ କୁମାର ରଥ, ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସଂପାଦକ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ଯୋଗ ଦେଇ ଖେଳାଳିଙ୍କୁ ବୈଷୟିକ ଜ୍ଞାନ ଓ ପରାମର୍ଶ ଦେଇଥିଲେ। ଏଥିରେ ବରିଷ୍ଠ ଖେଳାଳୀ ସନ୍ଦୀପ ଓ ଅବିନାଶ ସହଯୋଗ କରିଥିଲେ। ଏହି ଅବସରରେ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଶିବିରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here