ଚିନ୍ମୟ ଆଶ୍ରମ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
128

ବ୍ରହ୍ମପୁର,୦୨/୦୬/୨୦୨୩ : ଚିନ୍ମୟ ଆଶ୍ରମ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ଜୁନ୍ ୧ରୁ ୪ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପୀ ସ୍ଥାନୀୟ ବସନ୍ତ ବିହାର ଆଶ୍ରମ ପରିସରରେ ଏକ ଗ୍ରୀଷ୍ମ ପ୍ରଶିକ୍ଷଣ ଶିବିର ଗୁରୁବାର ଠାରୁ ଆରମ୍ଭ ହୋଇଛି l ଏକ ଭାବଗମ୍ଭୀର ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ରାଜ୍ୟ ଯୋଜନା ଆୟୋଗର ସମ୍ମାନନୀୟ ସଦସ୍ୟ ତଥା ବ୍ରହ୍ମପୁରର ପ୍ରାକ୍ତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉଦ୍ଘାଟକ ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଆଶ୍ରମର ସଂଚାଳକ ସ୍ୱାମୀ ସଦାଶିବାନନ୍ଦଜୀଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ମହାରଣା ସମ୍ମାନିତ ଅତିଥି, ଇଂ ଜଗନ୍ନାଥ ପାଢ଼ୀ, ଚିନ୍ମୟ ଆଶ୍ରମ ବିଶାଖାପାଟଣା କେନ୍ଦ୍ରର ମୁଖ୍ୟ ସ୍ୱାମୀ ରଘୁବୀରାନନ୍ଦଜୀ ଓ ଭେଷଜ ବିଶେଷଜ୍ଞା ଡା. କାମେଶ୍ୱରୀ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୋମଳମତି ବିଦ୍ୟାର୍ଥୀ / ବିଦ୍ୟାର୍ଥିନୀମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଆଶ୍ରମର ପୃଷ୍ଠପୋଷକ ପୁରୁଷୋତ୍ତମ ଦାସ ଓ ଅଖିଳ କୁମାର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ୠତୁମ୍ଭରା ପାଢ଼ୀ ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରିଥିଲେ l
ଦ୍ବିତୀୟ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ମୁଖ୍ୟଅତିଥି ଓ ମେଡିକାଲ୍ କ୍ୟାମ୍ପସ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ. ପ୍ରଭାତୀ ମହାପାତ୍ର ଓ ପ୍ରସୂତୀ ବିଭାଗ ବିଶେଷଜ୍ଞା ଡା. ବିସ୍ମିତା ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ମହତ୍ତର ଜୀବନ ଗଠନର ସୂତ୍ର ଓ ସମାଧାନ ବିଷୟରେ ମାର୍ଗଦର୍ଶନ କରିଥିଲେ l ମୁଖ୍ୟଅତିଥି ଡା. ଓଝା ନିଜ ନିଜର ଅପୂର୍ଣ୍ଣ ଜୀବନକୁ ପରିପୂର୍ଣ୍ଣ କରିବା ଦିଗରେ ନିରନ୍ତର ପ୍ରୟାସ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସଦୁପଦେଶ ପ୍ରଦାନ କରିଥିଲେ lଆଶ୍ରମର ସଂଚାଳକ ସ୍ୱାମୀ ସଦାଶିବାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାମୀ ରଘୁବୀରାନନ୍ଦଜୀ ପିଲାମାନଙ୍କୁ ଗୀତାଜ୍ଞାନ ଓ ଆଧ୍ୟାତ୍ମିକ ଜୀବନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ପୁରୁଷୋତ୍ତମ ଦାସ ଓ ଅଖିଳ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ସଂଚାଳିତ ଦ୍ବିତୀୟ ଦିନ କାର୍ଯ୍ୟକ୍ରମ ଆରମ୍ଭରେ ଡା. କାମେଶ୍ୱରୀ ଯୋଗ, ପ୍ରାଣାୟାମ, ଉପଯୋଗୀ ଖେଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ଭଜନ ପରିବେଷଣ କରିଥିଲେ l ୠତୁମ୍ଭରା ପାଢ଼ୀ ଗୀତା ଆବୃତ୍ତି କରିବା ସହ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୀତା ଆବୃତ୍ତି, ହନୁମାନ ଚାଳିଶା, ବିଭିନ୍ନ ମନ୍ତ୍ର, ପ୍ରାର୍ଥନା ପ୍ରଭୃତି ଅଭ୍ୟାସ କରାଇବା ସହ ଖେଳ, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଶତାଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୪ ତାରିଖ ଦିନ ଉଦଯାପିତ ହେବ l ପୁରୁଷୋତ୍ତମ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଖିଳ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here