ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନର ଜାତୀୟ ପାଠଚକ୍ର,ଲୋକକଥା ଆମ ସାଂସ୍କୃତିକ ଜୀବନର ଆଦି ଉତ୍ସ : ଡ. ଅରବିନ୍ଦ ପଟ୍ଟନାୟକ

0
65

ପୁରୀ, ୦୪/୦୬/୨୦୨୩ : ଓଡ଼ିଶାର ଲୋକକଥା ବିବିଧତାରେ ପରିପୂର୍ଣ୍ଣ l ଜୀବନ ଓ ଜଗତର ପ୍ରତିଟି ପର୍ଯ୍ୟାୟ ଓ ପ୍ରତିଟି ପ୍ରସଙ୍ଗ ଆମ ଲୋକକଥାରେ ସାର୍ଥକ କଳାରୂପ ଘେନିଛି l ବାସ୍ତବତା ଓ ଅବାସ୍ତବତା ସହିତ କଳ୍ପନାର ଅପୂର୍ବ ସମନ୍ୱୟରେ ଓଡ଼ିଶାର ଲୋକକଥା ସବୁ ହଜାର ହଜାର ବର୍ଷ ବ୍ୟାପୀ ଆମ ମନୋରଞ୍ଜନର ମାଧ୍ୟମ ହୋଇଆସିଛି ଏବଂ ଲୋକକଥା ହିଁ ଆମ ସାଂସ୍କୃତିକ ଜୀବନର ଆଦି ଉତ୍ସ ବୋଲି ବିଶିଷ୍ଟ ଗବେଷକ ତଥା ଲୋକତତ୍ତ୍ୱବିଦ୍ ଡ. ଅରବିନ୍ଦ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି lସ୍ଥାନୀୟ ସର୍ବୋଦୟନଗର ସ୍ଥିତ ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପୁରୀ ୟୁଥ୍ ହଷ୍ଟେଲ୍ ସମ୍ମେଳନ କକ୍ଷରେ ଆଜି ପୂର୍ବାହ୍ଣରେ ଆୟୋଜିତ ‘ଓଡ଼ିଶାର ଲୋକକଥା’ ଶୀର୍ଷକ ଜାତୀୟ ପାଠଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ଡ. ପଟ୍ଟନାୟକ ଏହି ମର୍ମରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଦୁର୍ଗାମାଧବ ନନ୍ଦ ଉତ୍ସବରେ ପୌରୋହିତ୍ୟ କରିବା ସଂଗେ ସଂଗେ ପ୍ରାକ୍-ସୂଚନା, ସ୍ୱାଗତ ସମ୍ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l
ଜି. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ନଳିନୀ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପାଠଚକ୍ରର ଉଦ୍ଘାଟନୀ ଉତ୍ସବରେ ଲୋକ ସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟଅତିଥି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ବିଶିଷ୍ଟ ଅତିଥି ଓ ଜନଜାତି ସଂସ୍କୃତି ଗବେଷକ ଡ. କ୍ଷେତ୍ରବାସୀ ମାନସେଠ ମୁଖ୍ୟବକ୍ତା ରୂପେ ଯୋଗଦେଇ ଓଡ଼ିଶାର ଲୋକକଥା ପରମ୍ପରାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ସ୍ଥିତ ଡାରୁଇନ୍ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ନିରଞ୍ଜନ ସ୍ୱାଇଁ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏହି ଅବସରରେ ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଡ. ଦୁର୍ଗାମାଧବ ନନ୍ଦଙ୍କ ସମ୍ପାଦନାରେ ପ୍ରକାଶିତ ‘ଓଡ଼ିଶାର ଲୋକଭାଷା’ ଶୀର୍ଷକ ଆଲୋଚନା ଗ୍ରନ୍ଥ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l ସଭାପତି ଡ. ନନ୍ଦ ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନର ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ବୈଷୟିକ ଅଧିବେଶନରେ ଖ୍ୟାତିପ୍ରାପ୍ତ ଭଞ୍ଜ ସାହିତ୍ୟ ଗବେଷକ ଡ. କମ୍ବୁପାଣି ସାମନ୍ତ ପୌରୋହିତ୍ୟ କରିଥିବା ବେଳେ ଦ୍ଵିତୀୟ ବୈଷୟିକ ଅଧିବେଶନରେ ଲୋକ ସଂସ୍କୃତି ଗବେଷକ ଡ. ସରୋଜ କୁମାର ପରିଡ଼ା ଅଧ୍ୟକ୍ଷତା କରିଥିଲେ l କୁଇ ଭାଷା ପ୍ରତିଷ୍ଠାନର ମୁଖ୍ୟ ଅନୁଜ ମୋହନ ପ୍ରଧାନ ପ୍ରଥମ ଅଧିବେଶନରେ ପଠିତ ପ୍ରବନ୍ଧଗୁଡ଼ିକର ସମୀକ୍ଷା କରିଥିବା ବେଳେ ଡ. ନଳିନୀ କୁମାର ପାଣିଗ୍ରାହୀ ଦ୍ଵିତୀୟ ଅଧିବେଶନରେ ପଠିତ ପ୍ରବନ୍ଧଗୁଡ଼ିକର ସମୀକ୍ଷା କରିଥିଲେ l ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ ଗବେଷକମାନଙ୍କ ମଧ୍ୟରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ସଂଘମିତ୍ରା ବେହେରା, ଡ. ରାଜା କୁମାର ନାଏକ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ଚୌଧୁରୀ ରାଧାମୋହନ ପରିଜା, ବୁଧୁ ସିଂ, ଡ. ଆଶିଷ କୁମାର ସାହୁ, ଡ ଦେବଦର୍ଶିନୀ ସାହୁ, ଅଧ୍ୟାପିକା ନମିତା ପ୍ରଧାନ, ଇଂ ସଦାଶିବ ନାୟକ, ରାଜଲକ୍ଷ୍ମୀ ସାହୁ, ଡ. ରଜନୀ ରଣସିଂହ, ଆର୍ଯ୍ୟରଶ୍ମି ଦଳେଇ ଓ ଅଧ୍ୟାପିକା ବାଇରୀ ଦେବୀ ପ୍ରମୁଖ ଆମ ଲୋକକଥା ଆଧାରିତ ସ୍ୱରଚିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ l ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଡ. କୈଳାସ ଚନ୍ଦ୍ର ଟିକାୟତ ରାୟ, ଡ. ପୀତାମ୍ବର ଦାଶ, ଶ୍ରୀମତୀ ନାଗରତ୍ନା ନନ୍ଦ, ରମେଶ ଚନ୍ଦ୍ର ଦଳବେରା, ଆଦିତ୍ୟ କୁମାର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ଜାତୀୟ ପାଠଚକ୍ର ପରିପ୍ରେକ୍ଷୀରେ ଲୋକ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ପୁସ୍ତକ ସମୂହର ଏକ ଭବ୍ୟ ପ୍ରଦର୍ଶନ କରାଯାଇଥିଲା l ଶେଷରେ ଡ. ନଳିନୀ କୁମାର ପାଣିଗ୍ରାହୀ ପାଠଚକ୍ରରେ ଉପସ୍ଥିତ ସମସ୍ତ ଅତିଥି, ପ୍ରବନ୍ଧ ଉପସ୍ଥାପକ ଓ ଶ୍ରୋତାଗଣଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here