ସାନଖେମୁଣ୍ଡିରେ ” ମୋ ଘର ” ଯୋଜନା ସଂପର୍କୀତ କାର୍ଯ୍ୟାନ୍ଵୟନ କର୍ମଶାଳା

0
174

ବ୍ରହ୍ମପୁର ,୦୫/୦୬/୨୦୨୩ : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଆଜି ସାନଖେମୁଣ୍ଡିରେ ସରକାରଙ୍କ ପକ୍ଷରୁ ଅନୁମୋଦିତ ” ମୋ ଘର” ଯୋଜନା ଅନ୍ତର୍ଗତରେ ଗରିବ ହିତାଧିକାରୀଙ୍କୁ ପକ୍କା ଘର ନିର୍ମାଣ ପାଇଁ ଗୃହଋଣ ପ୍ରଦାନ କରାଯିବା ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପୌରହିତ୍ୟ କରିଥିଲେ । କାର୍ଯ୍ୟକ୍ରମରେ ଏବିଡ଼ିଓ ବୈଜୟନ୍ତ ମୁଣ୍ଡା , ବ୍ଳକ ଉପାଧ୍ୟକ୍ଷା ରିଙ୍କି ନାହକ , ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ବେହେରାଙ୍କ ସମେତ ବ୍ଲକ ଅଞ୍ଚଳ ଭିତ୍ତିରେ ସମସ୍ତ ବ୍ୟାଙ୍କର ଶାଖା ପରିଚାଳକ ଉପସ୍ଥିତ ରହିଥିଲେ । ନବୀନ ସରକାରଙ୍କ ୫ମ ପାଳିର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ଆବାସ ଯୋଜନା ଅନ୍ତର୍ଗତର ଏକ ଉପାଦେୟ ଯୋଜନା ଭାବେ ରାଜ୍ୟବାସୀଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଥିବାରୁ ଏହାକୁ ସଫଳ କରାଇବା ପାଇଁ ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱାରୋପ କରାଯାଇଥିଲା । ରାଜ୍ୟର ବଳକା କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ପ୍ରକୃତ ଗରିବ ଓ ନିମ୍ନ ମଧ୍ୟବିତ୍ତ ହିତାଧିକାରୀ ବ୍ୟାଙ୍କରୁ ଋଣ ନେଇ ନୂତନ ଗୃହ ନିର୍ମାଣ , ସମ୍ପୂର୍ଣିକରଣ କରିପାରିବେ ସେ ନେଇ ଉପସ୍ଥିତ ବ୍ଳକ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ । ଏହା ସହ ଯୋଜନାରେ ରହିଥିବା ଋଣ ବ୍ୟବସ୍ଥା ଉପରେ ତର୍ଜମା ସହ ସଚେତନା କରାଯାଇଥିଲା । ହିତାଧିକାରୀମାନେ କିପରି କେଉଁ ଆଧାରରେ ଚୟନ ହେବା ସହ ଋଣ ଅର୍ଥ ଓ ରିହାତି ପାଇପାରିବେ ସେ ନେଇ ଥିବା ବିଧି ବ୍ୟବସ୍ଥାକୁ ଆଲୋଚନା କରାଯାଇଥିଲା । ଚଳିତ ମାସ ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଧାର୍ଯ୍ୟ ହୋଇଥିବାରୁ ଉପଯୁକ୍ତ ହିତାଧୀକାରୀଙ୍କୁ ପ୍ରାଥମିକତା ଦେବାକୁ ଆହ୍ଵାନ କରାଯାଇଥିଲା । ଆୟୋଜିତ ଆଜିର ପ୍ରଶିକ୍ଷଣ କର୍ମଶାଳାରେ ସାନଖେମୁଣ୍ଡି ବ୍ଳକର ସମସ୍ତ ଜିଲ୍ଲା ପରିଷଦ , ସରପଞ୍ଚ , ସମିତି ସଭ୍ୟ ସମେତ ପଞ୍ଚାୟତ ଅଧିନରେ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here