କାଳବୈଶାଖୀ ଓ ବଜ୍ରପାତ ପରେ ବିଦ୍ୟୁତ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ ବିତରଣ କମ୍ପାନୀଙ୍କ ସହିତ ସମୀକ୍ଷା ବୈଠକ

0
291

ଭୁବନେଶ୍ବର,୧୨/୦୬/୨୦୨୩:
ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାଳବୈଶାଖୀ, ବଜ୍ରପାତ ଆଦି ପରେ ବିଦ୍ୟୁତ ଯୋଗାଣକୁ ତ୍ବରାନ୍ବିତ
କରିବା ପାଇଁ ବିତରଣ କମ୍ପାନୀ (ଡିସକମ୍‌)ମାନଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଓଇଆରସିର ନିର୍ଦ୍ଦେଶକ (ନିୟାମକ), ଡିସକମର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ
ଅପରେଟିଂ ଅଫିସର, ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ( ଫାଇନାନ୍ସ ଓ କର୍ପୋରେଟ୍ ବ୍ୟାପାର) ପ୍ରମୁଖ ଉପସ୍ଥିତ ଥିଲେ ।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ ଯେ, ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଯାହା ଦ୍ବାରା ବିଦ୍ୟୁତ୍ ବାଧାପ୍ରାପ୍ତ ହୋଇପାରେ । ତେଣୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ୍ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମ ଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ଡିସକମର ସିଇଓମାନେ ଅବଗତ କରାଇଥିଲେ । ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ୍ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମ୍ ର କ୍ଷମତା ବୃଦ୍ଧି ବିଷୟରେ ମଧ୍ୟ ବିଦ୍ୟୁତ ବିତରଣ କମ୍ପାନୀମାନେ ସୂଚନା ଦେଇଥିଲେ ।ଡିସକମ୍ ତରଫରୁ କୁହାଯାଇଥିଲା ଯେ, ସିଷ୍ଟମ ମଜବୁତ କରିବା ପାଇଁ କ୍ୟାପେକ୍ସ ପ୍ରସ୍ତାବ ଓଇଆରସି ଅନୁମୋଦନ ପାଇଁ ଦାଖଲ
କରାଯାଏ । ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ କହିଛନ୍ତି ଯେ, ପ୍ରାକ୍ ମୌସୁମୀ ଗଛ କାଟିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶକ୍ତି ବିଭାଗ ଡିସକମ୍ ଗୁଡ଼ିକୁ ନିର୍ଦେଶ ଦେଇଛି, ଯାହାଦ୍ବାରା ବାତ୍ୟା ଓ କାଳବୈଶାଖୀ ଜନିତ କ୍ଷୟକ୍ଷତି କୁ କମ୍ କରାଯାଇପାରିବ । ସେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଉନ୍ନତମାନର ଇନସୁଲେଟର ଲଗାଇବା ଏବଂ କ୍ଷତିଗ୍ରସ୍ତ ଇନ୍ସଲେଟର ଗୁଡିକୁ ବଦଳାଇବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା କଣ୍ଡକ୍ଟର ନଷ୍ଟ ବା କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିବ ।ପ୍ରବଳ ଗରମ ଏବଂ ଅଧିକ ଗୁଳୁଗୁଳିକୁ ଦୃଷ୍ଟିରେ ରଖ୍ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ଡିସକମ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଡିସକମଗୁଡ଼ିକୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ପ୍ଲାଟଫର୍ମ ରେ ଉଠାଯାଇଥବା ପ୍ରସଙ୍ଗଗୁଡ଼ିକ ପ୍ରତି ଶୀଘ୍ର ଓ ନିର୍ଦ୍ଦିଷ୍ଟ ହେବା ଉଚିତ୍‌ ବୋଲି ସେ କହିଥିଲେ ।ଆସନ୍ତା ୧୦-୧୫ ବର୍ଷର ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଓପିଟିସିଏଲ୍ ଓ ଡିସକମମାନଙ୍କୁ ପରାମର୍ଶ ଦିଆଯାଇଛି । ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମମାନଙ୍କୁ ୩ରୁ ୫ ବର୍ଷ ପାଇଁ ବହୁବର୍ଷିଆ କ୍ୟାପେକ୍ସ ପ୍ଲାନ୍ ଦାଖଲ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଭୁବନେଶ୍ବର, କଟକ,ପୁରୀ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ଆଦି ସମେତ ଗ୍ରାମାଞ୍ଚଳରେ ମଧ୍ୟ ଆକଳିତ ଲୋଡ୍ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଡିସକମ୍ ମାନଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here