ବ୍ରହ୍ମପୁର ,୧୬/୦୮/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ସିଙ୍ଗିପୁର ପଞ୍ଚାୟତର ଆଦିକନ୍ଦପୁର ଗ୍ରାମ ନିକଟ ବଛାବାଡ ଜଙ୍ଗଲରୁ ଆଜି ବୁଧବାର ସକାଳ ସମୟରେ ପାଟପୁର ଥାନା ପୋଲିସ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିବା ଜଣାପଡିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଘଟଣାସ୍ଥଳରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଆସିକା ଥାନା ଅଧିକାରୀ ପି . ସ୍ବରୂପ କିଶାନ , ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ସମେତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ସାଇଣ୍ଟିଫିକ ଟିମ ପହଞ୍ଚି ଯୁବକଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଖୋଜିବାରେ ତଦନ୍ତ ଜୋରଦାର ଚଳାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବୁଧବାର ସକାଳୁ ଆଦିକନ୍ଦପୁର ଗ୍ରାମର କିଛି ଲୋକ ଉକ୍ତ ଜଙ୍ଗଲକୁ କାଠ ସଂଗ୍ରହ ନିମନ୍ତେ ଯାଉଥିବା ବେଳେ ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଠାକୁ ଯାଇ ଦେଖିଥିଲେ ଏବଂ ସେଠାରେ ଜଣେ ଯୁବକର ମୃତଦେହ ପଚିସଢି ରହିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପାଟପୁର ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ଶରୀର ଫୁଲି ଯାଇଥିବା ଯୋଗୁଁ ସନ୍ଧ୍ୟା ସୁଦ୍ଧା କୌଣସି ତଥ୍ୟ ମିଳି ପାରିନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।





