ଦୁର୍ନୀତି,ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଓ ସହ ବିକ୍ଷୋଭ ପ୍ରଦର୍ଶନ

0
63

ବ୍ରହ୍ମପୁର, ୨୯/୧୧/୨୦୨୩ : ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି,ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ପାଞ୍ଚ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର ଦୁର୍ନୀତି ବିରୁଦ୍ଧରେ ଏକ ଦାବୀପତ୍ର ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ସଂପ୍ରତି ଓଡ଼ିଶା ରାଜ୍ୟରେ ଦୀର୍ଘ ୨୪ ବର୍ଷ ହେଲା ଚାଲିଥିବା ଭ୍ରଷ୍ଟ, ଅରାଜକତା, ତୁଷ୍ଟିକରଣ ଓ ଅପାରଗ ସରକାରଙ୍କ ଦୁର୍ନିତୀର ଗନ୍ତାଘର ପାଲଟିଛି ।
କେନ୍ଦ୍ର ସରକାରଙ୍କ ‘ଅମୃତ ସରୋବର’ ଯୋଜନାକୁ ରାଜ୍ୟ ସରକାର ‘ମୋ ପୋଖରୀ’ ନାମରେ ନାମିତ କରି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୮ଟି ପୋଖରୀରେ ମହାଦୁର୍ନୀତି କରାଯାଇଛି । ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଜଳାଶୟ,ପୋଖରୀ,ବନ୍ଧ ଗୁଡିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଶହ ଶହ କୋଟି ଟଙ୍କା ବ୍ରହ୍ମପୁର ମହାନଗର ନିଗମ ପାଇଥିବା ବେଳେ ଏହି ବ୍ରହ୍ମପୁର ମହାନଗର ନିଗମରେ ଥିବା ପୋଖରୀ ଗୁଡିକର ପାଣି ଗୁଡିକ ଅତ୍ୟଧିକ ଦୂଷିତ ଏବଂ ବିଷାକ୍ତ ଅବସ୍ଥାରେ ରହିଅଛି । ଦୁଃଖ ଏବଂ ପରିତାପର ବିଷୟ ଏହି ଜଳାଶୟ ଗୁଡିକ ପୁନଃରୁଦ୍ଧାର ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ଶାସକ ଦଳର ନେତା ଠିକାଦାର, ଯନ୍ତ୍ରୀ ଏବଂ ବ୍ରହ୍ମପୁର ମହାନଗର ନିଗମର ଦୁର୍ନିତୀଗ୍ରସ୍ତ ଅଫିସର ମାନେ ହଡ଼ପ କରି ନେଇଛନ୍ତି । ଯାହା ଫଳରେ ଏହି କେନ୍ଦ୍ରୀୟ ଯୋଜନାର କୋଟି କୋଟି ଟଙ୍କା ବାଟମାରଣା ହୋଇଛି ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ।
ଉଷା ସର୍ଭେ ନା’ରେ ସହରୀ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇଦେବା ପାଇଁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇ ଗରିବ ଲୋକଙ୍କୁ ପ୍ରତାରଣା କରିଛନ୍ତି । ରାଜ୍ୟ ସରକାର ସହରାଞ୍ଚଳ ନିର୍ବାଚନ ପୂର୍ବରୁ ବିଭିନ୍ନ ସହରରେ ଥିବା ବାସହୀନ ଏବଂ ଭୂମିହୀନ ଲୋକ ମାନଙ୍କୁ ଉଷା ଯୋଜନାରେ ପଟ୍ଟା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ବସ୍ତି ବାସିନ୍ଦା ମାନଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ । ଏପରିକି ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଓ ଅଫିସରମାନେ କୋଟି କୋଟି ଟଙ୍କାର ସରକାରୀ ଜମିକୁ ହଡପ କରିଛନ୍ତି, ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ।
କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା “ହର ଘର ନଳ” ଯୋଜନା ଦେୟ ମୁକ୍ତ ହୋଇଥିବା ବେଳେ ବିଇଏମ୍‌ସି କର୍ତ୍ତୃପକ୍ଷ ପ୍ରତ୍ୟେକ ଘରୁ ଜୋର ଜବରଦସ୍ତ ସାତ ହଜାର ଟଙ୍କା ଆଦାୟ କରୁଛନ୍ତି ଯାହା ଯଥା ଶୀଘ୍ର ବନ୍ଦ କରାଯାଉ ।
ଅନ୍ୟ ମହାନଗର ନିଗମ ଗୁଡିକରେ ହୋଲ୍ଡିଂ ଟିକସ ବୃଦ୍ଧି କରାଯାଇନଥିଲେ ମଧ୍ୟ କେବଳ ବ୍ରହ୍ମପୁରରେ କାହିଁକି ହୋଲ୍ଡିଂ ଟିକସ ବୃଦ୍ଧି କରାଯାଇଛି ? ଏହି ଜନବିରୋଧୀ ହୋଲ୍ଡିଂ ଟିକସ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ବ୍ରହ୍ମପୁର ମହାନଗର ନିଗମ ସାଧାରଣ ଜନତାଙ୍କ ଠାରୁ ପୂର୍ବ ଟିକସର ୫୦ଗୁଣ ଉଚ୍ଚ ଦରରେ ହୋଲ୍‌ଡିଂ ଟିକସ ଆଦାୟ କରୁଥିଲେ ମଧ୍ୟ ପୁନଃଶ୍ଚ ୟୁଜର୍ସ ଫି ବାବଦରେ ସାଧାରଣ ଜନତାଙ୍କ ଠାରୁ ମାସିକିଆ ଟଙ୍କା ଆଦାୟ କରିବା ଅନୈତିକ କାର୍ଯ୍ୟ । ଏହି ୟୁଜର୍ସ ଫି ର ହିସାବ ବିଇଏମ୍‌ସି ଦେଇପାରୁ ନାହିଁ । ଯାହାର ତଦନ୍ତ କରାଯାଉ ।
ମୁକ୍ତା ଯୋଜନାରେ ଏସ୍ଏଚଜି ମାଁ ମାନଙ୍କୁ ବ୍ୟବହାର କରି ବିଇଏମସି ଠିକାଦାର ତୁଷ୍ଟିକରଣ କରୁଛି । ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହରାଞ୍ଚଳ ଯଥା- ଏନଏସି, ମୁନିସିପାଲିଟି, ମହାନଗର ନିଗମ ଗୁଡିକୁ ସହ ସହ କୋଟି ଟଙ୍କାର ମୁକ୍ତା ଯୋଜନାରେ ନିର୍ମାଣ କାର୍ଯ୍ୟ ଗୁଡିକ ଚାଲିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କାର ବାଟ ମାରଣା ଚାଲିଛି । ଏହି ଯୋଜନାରେ ସମସ୍ତ କାର୍ଯ୍ୟ ବେଆଇନ ଭାବେ ଓଭର ଏଷ୍ଟିମେଟ୍‌ରେ କରାଯାଉଛି, ଯାହା ଅତ୍ୟାଧିକ ୫ ପ୍ରତିଶତରେ ଟେଣ୍ଡର ହେଉଛି ଏବଂ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଟେଣ୍ଡରର ସମସ୍ତ ନିୟମକୁ ଖିଲାଫ କରି ନିର୍ଦ୍ଦିଷ୍ଟ ଶାସକ ଦଳର ଠିକାଦାର ମାନଙ୍କୁ ଟେଣ୍ଡର ଫିକ୍ସିଂ ମାଧ୍ଯମରେ କାମ ଦେଇ ଅତି ନିମ୍ନ ମାନର ରାସ୍ତା କାମ ଗୁଡିକ କରି ଏବଂ ଡ୍ରେନ୍ ଗୁଡିକ ମଧ୍ଯ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ସେଥିରୁ ବାଟ ମାରଣା କରୁଛନ୍ତି । ଏହା ସହ ରାସ୍ତା କଡରେ ଥିବା ଦୀର୍ଘ ବର୍ଷର ଜୀବନ୍ତ ବୃକ୍ଷ ଗୁଡିକୁ ଅନାୟାସରେ କାଟିଦିଆଯାଉଛି । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । କେନ୍ଦ୍ର ସରକାରଙ୍କର ରାଜୀବ ଆବାସ ଯୋଜନା ଅନୁଯାୟୀ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ୨୦ ହଜାର ବାସହୀନ ଲୋକଙ୍କୁ ବାସଗୃହ ଯୋଗାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ଶହଶହ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ରାଜୀବ ଆବାସ ଅଟ୍ଟାଳିକା ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଛି ଏବଂ ପ୍ରକୃତ ହୀତାଧିକାରୀ ମାନଙ୍କୁ ବା ବାସହୀନ ଲୋକ ମାନଙ୍କୁ ବାସଗୃହ ନଯୋଗାଇ ପ୍ରଭାବଶାଳୀ ଶାସକ ଦଳର ଦୁର୍ନିତୀଗ୍ରସ୍ତ ନେତାଙ୍କ ପ୍ରଭାବରେ ଲାଞ୍ଚ କାରବାର ହୋଇ ଆର୍ଥିକ ସ୍ୱଚ୍ଛଳ ଲୋକ ମାନଙ୍କୁ ପ୍ରଦାନ କରାଯାଇଛି । ଯେଉଁ ଗୃହ ଗୁଡିକ ନିର୍ମାଣ ହୋଇଛି ସେଗୁଡ଼ିକ ରହିବା ଯୋଗ୍ୟ ହୋଇ ରହିନାହିଁ ନିର୍ମାଣ ହେବାର କମ ଦିନରେ ବାସଗୃହ ଗୁଡିକର ପୁନଃରୁଦ୍ଧାର ଜରୁରୀ ହୋଇପଡିଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ।
ମହାନଗର ନିଗମରେ ଅନେକ ଆର୍ଥିକ ସ୍ୱଚ୍ଛଳ ଦୁଇମହଲା କୋଠା,ଏପରିକି ଚାରିଚକିଆ ଯାନ ଥିବା ଲୋକ ମାନେ ରାସନ୍ କାର୍ଡ଼ ହାତେଇଥିବା ବେଳେ ପ୍ରକୃତ ଗରିବ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ମାନେ ରାସନ୍ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରକାଶ ଥାଉକି କାଉନସିଲ୍ ବୈଠକରେ ପ୍ରତି ଓ୍ୱାର୍ଡ଼ରେ ଶହେ ନୂତନ ହିତାଧୁକାରୀଙ୍କୁ କାର୍ଡ଼ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ଯ ତାହା କାର୍ଯ୍ୟକ୍ଷମ ହେଲା ନାହିଁ । ତାହା ତୁରନ୍ତ କାର୍ଯ୍ୟକାରୀ କରାଯାଉ ।
ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ଅତି ଦୁର୍ନିତୀଗ୍ରସ୍ତ ଅଫିସର ଏବଂ ଅସାଧୁ କର୍ମଚାରୀ ମାନଙ୍କର ଉପଦ୍ରବ ଏବଂ ଜନ ବିରୋଧି କାର୍ଯ୍ୟ ଓ ବ୍ୟବହାର ଅସହ୍ୟ ହୋଇଥିବା ବେଳେ ଏହି କାର୍ଯ୍ୟାଳୟର କିଛି ଅସାଧୁ ଯନ୍ତ୍ରୀ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟରତ ଥିବା ବେଳେ ଉକ୍ତ ମହାନଗର ନିଗମର ସମସ୍ତ ନିର୍ମାଣାଧିନ କାର୍ଯ୍ୟରେ ୩୦ ପ୍ରତିଶତରୁ ଉର୍ଦ୍ଧ୍ଵ ପି.ସି କାରବାର ହେଉଅଛି । ଏପରିକି ଜଣେ ନିର୍ଦିଷ୍ଟ ଦୁର୍ନିତୀଗ୍ରସ୍ତ ସରକାରୀ କର୍ମଚାରୀ ଅବସର ହେବା ପରେ ମଧ୍ୟ ଉପରିସ୍ଥ ଅଧିକାରୀ ମାନଙ୍କୁ ପ୍ରଭାବିତ କରି କୋଟିକୋଟି ଟଙ୍କା ବାଟ ମାରଣାର ମାଷ୍ଟରମାଇଣ୍ଡ ହୋଇ ଉକ୍ତ ମହାନଗର ନିଗମ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଏହି ଅସାଧୁ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉ ଏବଂ ନୂତନ ଯୁବ ପୀଢ଼ି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ।
ସଫେଇ କର୍ମଚାରୀ ମାନଙ୍କର ନିଯୁକ୍ତି ନିମନ୍ତେ ଟେଣ୍ଡର ଆହ୍ୱାନ ହୋଇଥିଲେ ମଧ୍ୟ ଶାସକ ଦଳର ସ୍ବାର୍ଥରେ ଯାଉନଥିବାରୁ ବ୍ରହ୍ମପୁର ସହରରେ ସଫେଇ କାର୍ଯ୍ୟ ଠିକ୍ ରୂପେ ହୋଇନପାରିବା ଦୁର୍ଭାଗ୍ୟଜନକ । ଏହାର ଯଥା ଶୀଘ୍ର କାର୍ଯ୍ୟାନ୍ୱୟନ ହେଉ ।
ବ୍ରହ୍ମପୁର ମହାନଗରରେ ନାଳନର୍ଦ୍ଦମା ବହୁ ଜାଗାରେ ଖୋଲା ଖୋଲି ଭାବେ ଦୟନୀୟ ଅବସ୍ଥାରେ ପଡିରହିଛି ଯାହା ଫଳରେ ଦୁର୍ଘଟଣା ମାନ ଘଟୁଛି । ବିଇଏମ୍‌ସି ଦୃଷ୍ଟି ନ ଦେବା ଫଳରେ ମଶା ବଂଶ ବୃଦ୍ଧି ପାଉଛି ଅପର ପକ୍ଷରେ ବିଇଏମ୍‌ସିର ଟିଫା ମେସିନ୍ ଅକାମୀ ହୋଇ ପଡିରହିଛି । ଏଥି ପ୍ରତି ଦୃଷ୍ଟି ଦିଆଯାଉ ।
ବ୍ରହ୍ମପୁର ମହାନଗର ନିଗମର ୧୨୦୦ ସଫେଇ କର୍ମଚାରୀଙ୍କୁ ପିପିଇ କିଟ୍ ନଦେଇ ସଫେଇ କାମରେ ଲଗାଇବା କାରଣରୁ ସେମାନେ ବିଭିନ୍ନ ଦୁରାରୋଗ୍ୟ ରୋଗରେ ପିଡିତ ହେଉଛନ୍ତି । ବିଇଏମ୍‌ସି ସେମାନଙ୍କୁ ତୁରନ୍ତ ପିପିଇ କିଟ୍ ଯୋଗାଇବା ସହ ଅସ୍ଥାୟୀ ଭାବେ ନିଯୁକ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଇ ଏବଂ ସଫେଇ କର୍ମଚାରୀ ମାନଙ୍କର ଏସ୍.ଓ.ପି ନିର୍ଦ୍ଧାରଣ କରାଯାଉ ।
ବିଇଏମ୍‌ସି ସଫେଇ କର୍ମଚାରୀ ମାନଙ୍କ ପୁରୁଣା ପ୍ରାପ୍ୟ ବାବଦକୁ ଦୁଇ କୋଟି ଟଙ୍କା ଦିଆଯାଉଥିବା ବେଳେ ବର୍ତମାନ ତିନି ଗୁଣ ବୃଦ୍ଧି କରାଯାଇ ଛଅ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ପ୍ରକୃତରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କର ଦରମାରେ ସେହିଭଳି ଅଭିବୃଦ୍ଧି କରାଯାଇନାହିଁ କାହିଁକି ? ଏଥିପ୍ରତି ଦୃଷ୍ଟି ଦିଆଯାଉ ।
ବ୍ରହ୍ମପୁର ଟାଉନ ହଲ ଭଡା ଦର ହ୍ରାସ କରିବା ନିମନ୍ତେ ସାଧାରଣରେ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ବିଇଏମ୍‌ସି କର୍ତ୍ତୃପକ୍ଷ କେଉଁ ସ୍ବାର୍ଥରେ କର୍ଣ୍ଣପାତ କରୁନାହାଁନ୍ତି । ତୁରନ୍ତ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଇଏମ୍‌ସି କର୍ତ୍ତୃପକ୍ଷ ଟାଉନ୍ ହଲ୍ ଭଡ଼ା ଦର ହ୍ରାସ କରିବାକୁ ଦାବୀ କରାଯାଉଛି ।ବ୍ରହ୍ମପୁର ମହାନଗର ନିଗମ ଗେଷ୍ଟ ହାଉସକୁ ଘରୋଇ କରଣ କାହା ସ୍ବାର୍ଥରେ କରାଯାଇଛି । ଯଥା ଶୀଘ୍ର ବିଇଏମ୍‌ସି ଏହାକୁ ନିଜ ହାତକୁ ନେବାକୁ ଦାବୀ କରାଯାଉଛି ।
ବିଇଏମ୍‌ସି ଦ୍ବାରା ଦିଆ ଯାଉଥୁବା ଦୋକାନ ଗୃହ ଗୁଡିକୁ ଅନଲାଇନ ମାଧ୍ୟମରେ ହିତାଧୁକାରୀ ମାନଙ୍କୁ ପଞ୍ଜିକରଣ କରାଯାଇ ସାଧୁତା ଅବଲମ୍ବନ କରାଯାଉ ।
ଗିରି ମାର୍କେଟ୍ କମ୍ପ୍ଲେକ୍ସ ଓ ପୁରୁଣା ବସଷ୍ଟାଣ୍ଡ କମ୍ପ୍ଲେକ୍ସକୁ ବର୍ଷେହେଲା ଭଙ୍ଗା ଯାଇଥିଲେ ମଧ୍ୟ ଆଜି ସୁଦ୍ଧା କାହା ସ୍ବାର୍ଥରେ କାମ ଆରମ୍ଭ ହୋଇପାରିନାହିଁ ତାହାର ତଦନ୍ତ କରାଯାଉ ।ବ୍ରହ୍ମପୁର ସହରରେ ଅସହାୟ ମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନଥିବା ଦୁର୍ଭାଗ୍ୟଜନକ, ତା’ଠାରୁ ବଳିଯାଇଛି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମୁକ୍ତ ଆକାଶ ଶୌଚାଳୟ । ଏଭଳି କାର୍ଯ୍ୟକଳାପ ବିଏମ୍‌ସି ଅଧିକାରୀ ମାନଙ୍କର ଅସମ୍ବେଦନଶୀଳ ମାନସିକତାକୁ ପରିପ୍ରକାଶ କରୁଛି । ଏଥି ପ୍ରତି ଦୃଷ୍ଟି ଦିଆଯାଉ ।ଗେଟ୍ ବଜାର, କମାପଲ୍ଲୀ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ବ୍ୟବସାୟୀ ମାନଙ୍କୁ ଦୋକାନଗୃହ ଆବଣ୍ଟନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ରାସ୍ତା କଡରେ ପରିବା ବ୍ୟବସାୟୀ ମାନେ ବିକ୍ରି କରିବା ପାଇଁ ବାଧ୍ଯ ହେଉଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି । ତେଣୁ ତୁରନ୍ତ ବ୍ୟବସାୟୀ ମାନଙ୍କୁ ଦୋକାନ ଗୃହ ଗୁଡିକ ପ୍ରଦାନ କରାଯାଇ ଏହାର ସ୍ଥାୟୀ ସମାଧାନ କରାଯାଉ ।ବ୍ରହ୍ମପୁରରେ ଉଠା ଦୋକାନୀ,ଠେଲା ଗାଡି ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଥିଲେ ମଧ୍ୟ ସେହି ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହେଉଛି ତାହାର ହିସାବ ବିଇଏମ୍‌ସି ଆଜି ସୁଦ୍ଧା ସାର୍ବଜନୀନ ନକରିବା ଦୁର୍ନିତୀକୁ ପ୍ରଶ୍ରୟ ଦେଇଛି । ଏହାର ଉପଯୁକ୍ତ ତଦନ୍ତ କରାଯାଉ ।ବ୍ରହ୍ମପୁର ସହରର ପାଣି ସମସ୍ୟା ସମାଧାନ କରିବା ପାଇଁ ଜାନିବିଲି ପ୍ରକଳ୍ପ ଆଜିସୁଦ୍ଧା ସଂପୂର୍ଣ ହୋଇପାରିଲା ନାହିଁ । ବିଇଏମ୍‌ସି ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସଂପୂର୍ଣ୍ଣ ବିଫଳ । ତେଣୁ ବିଇଏମ୍‌ସିକୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶନାମା ଜାରୀ ହେଉ ।
ଅସାଧୁ ବ୍ୟବସାୟୀ ମାନଙ୍କ ସହ ବିଇଏମ୍‌ସି କର୍ତ୍ତୃପକ୍ଷ ପ୍ରୀୟାପ୍ରିତୀ ତୋଷଣ ଅବଲମ୍ବନ କରି ବିନା ପାର୍କିଂ ସ୍ପେସରେ ମାର୍କେଟ କମ୍ପ୍ଲେକ୍‌ସ ଗୁଡିକୁ ଅନୁମତି ପ୍ରଦାନ କରାଯାଉଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଏହାର ତୁରନ୍ତ ସମାଧାନ କରାଯାଉ ।
ଏନ୍‌ଫୋରର୍ସମେଣ୍ଟ ନାମରେ ସାଧାରଣ ଜନତାଙ୍କୁ ଯେଉଁ ଭଳି ଭାବରେ ହଇରାଣ ହରକତ କରିବା ସହ ଗୁଣ୍ଡା ଗର୍ଦ୍ଦି ଚରମ ସୀମାରେ ପହଞ୍ଚିଛି ତାହା ତୁରନ୍ତ ବନ୍ଦ କରାଯାଉ ।ସହରରେ ଲାଗିଥିବା ସିସିଟିଭି କ୍ୟାମେରା ରକ୍ଷଣାବେକ୍ଷଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ ହେଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ଦୀର୍ଘ ବର୍ଷ ହେଲା ଏହି ସିସିଟିଭି କ୍ୟାମେରା ଲଗାଯାଇଥିବା ଠିକା କାମ ବେଆଇନ ଭାବେ ବିନା ଟେଣ୍ଡରରେ ପ୍ରଦାନ କରାଯାଇଅଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଏଥିରେ ସଂପୃକ୍ତ ଥିବା ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ କର୍ପୋରେସନ୍ ରୋଡ଼ ଠାରୁ ଗିରିଜା ରେଷ୍ଟୁରାଣ୍ଟ ଛକ ଏବଂ ଗିରିଜା ଛକ ଠାରୁ ସବ୍‌ରେଜିଷ୍ଟ୍ରାର ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତିକରଣ,ଭୂତଳ ବିଦ୍ୟୁତ ଦ୍ବାରା ଆଲୋକିକରଣ ଏବଂ ବୃକ୍ଷରୋପଣ ଠାରୁ ଆରମ୍ଭ କରି ରାସ୍ତା ଦୁଇ ପାର୍ଶ୍ଵର ଶୈାନ୍ଦର୍ଯ୍ୟକରଣ ପାଇଁ ୫୦କୋଟି ଟଙ୍କା ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ଟଙ୍କାର ସିଂହ ଭାଗକୁ କିଛି ଅସାଧୁ ଠିକାଦାର,ଶାସକ ଦଳର ରାଜନେତା,ମହାନଗର ନିଗମର ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ହଡ଼ପ କରିଥିବା ବେଳେ ଏଗ୍ରିମେଣ୍ଟ ଏଷ୍ଟିମେଟ୍ ଅନୁଯାୟୀ ନିର୍ମାଣ କାର୍ଯ୍ୟ ହୋଇନାହିଁ । ସେହିପରି ସବ୍‌ରେଜିଷ୍ଟାର ଅଫିସ ଛକ ଠାରୁ ଆରମ୍ଭ କରି ପ୍ରେମ ନଗର ମୁଖ୍ୟରାସ୍ତା ଦେଇ ନୀଳକଣ୍ଠେଶ୍ଵର ଶିଶୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ଦୀର୍ଘ ୮ବର୍ଷ ଧରି ଅଧପନ୍ତରିଆ ହୋଇ ପଡିଥିବା ବେଳେ ଏହି ରାସ୍ତାରେ ଅନେକ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେବାର ନଳୀର ରହିଛି । ଏହି ରାସ୍ତା ବାବଦରେ ୩୬ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଅନୁଦାନ ପ୍ରଦାନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଆଖିଦୃଷ୍ଟିୟା କାର୍ଯ୍ୟ ହୋଇନାହିଁ ଏବଂ ଏହି ରାସ୍ତା କାମରେ ବ୍ୟାପକ ଅର୍ଥ ବାଟ ମାରଣା ହୋଇଛି ଏଣୁ ଏହାର ଅନୁସନ୍ଧାନ ଅତି ଜରୁରୀ । ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପ୍ରଶାନ୍ତ କର,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ଏଲ୍.ମୋହନ ଦାସ,ରାଜେଶ କୁମାର ସାହୁ, କର୍ପୋରେଟର ଡି.କରୁଣାକର,ସବିତା ସାହୁ,ରଞ୍ଜିତା ବେହେରା,ସବିତା ନାୟକ,ଆସ୍କାରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପୀନାଥ ପଣ୍ଡା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର, ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଗାନ୍ଧୀ ନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ରବି ରାଓ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ନେତା କୁଞ୍ଜବିହାରୀ ପଣ୍ଡା,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ଅନୁଜାନନ୍ଦ ବିଶ୍ଵାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ଏସ୍.ରାଣୀ,ସବିତା ନାୟକ,ସନ୍ତୋଷୀ ଦାସ,ସଞ୍ଜୁକ୍ତା ପାଣିଗ୍ରାହୀ,ସସ୍ମିତା ଦାସ,ପ୍ରବୀର ପାତ୍ର,ପ୍ରଦୀପ ମିଶ୍ର,ଚଣ୍ଡୀ ଚରଣ ସାହୁ, ମନୋଜ ପାଢ଼ୀ,ଏସ୍.ଶ୍ରୀନିବାସ,ଧନୁ ପାଣିଗ୍ରାହୀ,ଟି.ରବି କିରଣ,ରବି ନାରାୟଣ ସାବତ,ପ୍ରଣୟ ମହାପାତ୍ର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବିଶାଳ ଶୋଭାଯାତ୍ରା ପୂର୍ବରୁ ଆଜି ପୂର୍ବାହ୍ନରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ୱରେ ପାଞ୍ଚଶହରୁ ଉର୍ଦ୍ଧ ମୋଟର ସାଇକେଲରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ କମାପଲ୍ଲୀ ଛକ ଠାରୁ ବାହାରି ଗାନ୍ଧୀନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ରାଲିରେ ଯୋଗଦେଇଥିଲେ । ଏହି ମୋଟରସାଇକେଲ ଶୋଭାଯାତ୍ରାରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ରବି ରାଓ,ବିଜୟ ପାତ୍ର, କେ.ଚନ୍ଦ୍ରଶେଖର ଦାସ,ବାପି ପ୍ରଧାନ,ଡି.ସୁରେଶ ରେଡ୍ଡୀ,ମାତା ପ୍ରସାଦ ନାୟକ,ବିଜୟ ମହାପାତ୍ର,ସୁଧୀର,ଆକାଶ ସାହୁ,ସୁମିତ ପାତ୍ର,କିଶୋର ଚନ୍ଦ୍ର ସାହୁ,ଆକାଶ ଗୌଡ଼,ଆଶିଷ ଦାସ, ଦେବୁନ୍ ପଟ୍ଟନାୟକ,ଅଜୟ ମହାପାତ୍ର,ମନୋଜ ମହାରଣା,ରବି ସାହୁ, ରାକେଶ ସାବତ,ଶ୍ରୀନିବାସ ମଣ୍ଡଳ,ସରୋଜ ଦାସ,ରବୀନ୍ଦ୍ର ସାହୁ,ଚଣ୍ଡୀ ଚରଣ ସାହୁ ପ୍ରମୁଖ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here