ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସ୍ମୃତିସଭା

0
152

ବ୍ରହ୍ମପୁର, ୦୬/୧୨/୨୦୨୩: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିଶ୍ୱ ରତ୍ନ ବାବାସାହେବ ଆମ୍ବେଦକରଙ୍କ ୬୮ତମ ମହାପରିନିର୍ବାଣ ଦିବସକୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଆହ୍ୱାନ କ୍ରମେ ବିକାଶ ସ୍ବେଛାସେବୀ ଅନୁଷ୍ଠାନର ନେତା ତଥା ପୂର୍ବତନ ଅବକାରୀ ବିଭାଗ ଅଧିକ୍ଷକ ନଳିନୀ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ପ୍ରଣେତା ଡ଼. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ଡା. ଗୋପବନ୍ଧୁ ବେହେରା, ଅଶୋକ ଦଳାଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁରେନ୍ଦ୍ର ନାଥ ପଣ୍ଡା, ସୁବାଷ ଚନ୍ଦ୍ର ମିଶ୍ର ଆଲୋଚନା କରିଥିଲେ l ଆମ୍ବେଦକର କେବଳ ଭାରତରେ ନୁହଁ ସମଗ୍ର ବିଶ୍ୱର ହାତ ଗଣତି ଭାବେ ଅଳ୍ପ କିଛି ଜ୍ଞାନୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେ ଜଣେ ଆଇନ ବିଶାରଦ, ଅର୍ଥନୀତିଜ୍ଞ, ସମ୍ବିଧାନବିତ, ସମାଜବିତ ଭାବେ ପରିଚିତ ସହ ଇତିହାସ, ଧର୍ମ ଓ ଦର୍ଶନ ଉପରେ ତାଙ୍କର ଗଭୀର ପାଣ୍ଡିତ୍ୟ ରହିଥିଲା l ସେ ପିଲାଟି ଦିନରୁ ଅତ୍ୟନ୍ତ ମାନସିକ ଓ ଶାରୀରିକଭାବେ ନିର୍ଯ୍ୟାତନାର ଶିକାର ହୋଇ ଏକତ୍ର ଶିକ୍ଷା ଲାଭ କରିବାଠୁ ଆରମ୍ଭ କରି ସଂସ୍କୃତ ପଢିବା, ମୁକ୍ତ, ସ୍ୱାଧୀନ ଓ ସାମ୍ୟଭାବର ପରିବେଶ ସୃଷ୍ଟି କରିବା, ଭାରତରେ ଜାତି ନିର୍ମୁଳ ସମାଜ ଗଠନ,ମହିଳାଙ୍କୁ ଶିକ୍ଷାଗତ ଅଧିକାର, ସମାନ ପlରିଶ୍ରମିକ, ମାତୃତ୍ୱ କାଳିନ ଛୁଟି ପ୍ରଦାନ, ଚାଷୀ ଶ୍ରମିକ ଙ୍କ ସୁରକ୍ଷା ପାଇଁ ଶ୍ରମ ଆଇନ ଆଦି ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି l ଜାତି ବ୍ୟବସ୍ଥାର କଠୋର ଉତ୍ପୀଡ଼ନକୁ ବିରୋଧ କରି ସେ ୧୯୫୬ମସିହା ଅକ୍ଟୋବର ୧୪ତାରିଖରେ ନାଗପୁରଠାରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ l ଆମ୍ବେଦକରଙ୍କ ମତରେ ମନୁସ୍ମୃତି ହିଁ ଭାରତର ଶୋଷିତ, ନିଷ୍ପେସିତ ଜନତାଙ୍କ ସାମାଜିକ, ଆର୍ଥିକ ସାଂସ୍କୃତିକ ଦାଶତ୍ବର ମୂଳ କାରଣ ଅଟେ, ଏଣୁ ଭାରତୀୟଙ୍କ ବୈଜ୍ଞାନିକ ମନୋଭାବର ବିକାଶ ପାଇଁ ତଥା ବିଜ୍ଞାନର ପ୍ରସାର ପ୍ରଚାର ପାଇଁ ସମ୍ବିଧାନରେ ଧାରା ୫୧(a)h ଉଲ୍ଲେଖ ହୋଇଛି l ଆଜି ଭାରତର ସର୍ବ ସାଧାରଣଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକାଠି ହେବା ଆବଶ୍ୟକତା ରହିଛି l ୧୯୫୬ମସିହା ଡିସେମ୍ବର ୬ତାରିଖର ଆଜି ଦିନରେ ତାଙ୍କର ମହାପରିନିର୍ବାଣ ଘଟିଥିଲା l ତାଙ୍କ ସ୍ମୃତି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କବିରାଜ ସାହୁ, ଉଗ୍ରସେନ ବେହେରା, ମହେନ୍ଦ୍ର ଚୌଧୁରୀ, ମନୋଜ ତରାଇ,ଗୋବିନ୍ଦ,ସୁଶାନ୍ତ ବିଶୋଇ, ବିପ୍ର ନାୟକ, ନରସିଂହ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here