*ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରଙ୍କ ନିକଟରେ ଦାବୀ। ପୋଲିସ ଆଇଜି ଡି.ଏସ.କୁଟ୍ଟେ କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀଙ୍କ ଜରିଆରେ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବାର ବେଆଇନ କାର୍ଯ୍ୟ କରୁଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଆଇଜି ଶ୍ରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର।ଉତରାଞ୍ଚଳ ପୋଲିସ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି।ବରିଷ୍ଠ ସରକାରୀ ଅଧିକାରୀମାନେ ମୋବାଇଲରେ ଚୋରା ସିମ୍ ପକାଇ ଜନତାଙ୍କୁ ଧମକ ଦେବା ସହ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରାଉଛନ୍ତି।ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ସୁରକ୍ଷା ପ୍ରତ୍ୟାହାର ପଛରେ ବିରାଟ ଷଡଯନ୍ତ୍ର ରହିଛି। ଜିଲ୍ଲାପାଳ, ଏସ୍‌ପି, ଆଇଆଇସି, ବିଡିଓ, ତହସିଲଦାରମାନେ ଭିନ୍ନ ଭିନ୍ନ ସିମ୍ କାର୍ଡ ଇସ୍ୟୁ କରି କାହାକୁ କାହାକୁ କଲ କରୁଛନ୍ତି, ତାହାର ତଦନ୍ତ କରାଯାଉ

0
23

ଭୁବନେଶ୍ୱର,୧୦/୦୪/୨୦୨୪: ଭାରତୀୟ ନିର୍ବାଚନ ଆୟୋଗଙ୍କ ଛାଟ ପରେ ବାଧ୍ୟ ହୋଇ କିଛି ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ବଦଳି କରାଗଲା । ଦୀର୍ଘ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ପୋଲିସ ଆଇଜି ଡି.ଏସ.କୁଟ୍ଟେ କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀଙ୍କ ଜରିଆରେ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବାର ବେଆଇନ କାର୍ଯ୍ୟ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି । ଅନ୍ୟ ପଟେ ସରକାରୀ କଳ ଓ ବଳର ଅପବ୍ୟବହାର କରି ଭୋଟ ହାତେଇବାର ମନ୍ଦ ଉଦ୍ଦେଶ୍ୟରୁ ନିବୃତ ହେଲା ନାହିଁ ଶାସକ ବିଜେଡି । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ତତ୍କାଳୀନ ପୋଲିସ ଡିଆଇଜି ଆଶିଷ ସିଂହ ପଦନ୍ନୋତି ପାଇବା ପରେ ଅନ୍ୟତ୍ର ପୋଷ୍ଟିଂ ପାଇଥିଲେ । ନିର୍ବାଚନରେ ଶାସକ ବିଜେଡି ସପକ୍ଷରେ ନିର୍ବାଚନ ପରିଚାଳନା କାର୍ଯ୍ୟ କରିଥିବା ଅନେକ ପ୍ରମାଣ ରହିଛି । ନିର୍ବାଚନ ଆୟୋଗଙ୍କ ଛାଟ ପରେ ରାଜ୍ୟ ସରକାର ପୁଣି ଥରେ ଚଂଚକତା କରି ଆଇଜି ର‌୍ୟାଂକକୁ ପଦନ୍ନୋତି ପାଇଥିବା ଶ୍ରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । ସେହିପରି ଉତରାଂଚଳ ପୋଲିସ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ମଧ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ଶାସନ ବ୍ୟବସ୍ଥାରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ଶାସକ ବିଜେଡି ପାଇଁ ପକ୍ଷପାତିତା କରିବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଏହା ଦ୍ୱାରା ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରଭାବିତ ହେବ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।
ଶାସକ ବିଜୁ ଜନତା ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ ଅଫିସରମାନଙ୍କୁ ଦଳୀୟ କର୍ମୀ ଭଳି କାର୍ଯ୍ୟ କରାଉଛନ୍ତି । ବରିଷ୍ଠ ସରକାରୀ ଅଧିକାରୀମାନେ ମୋବାଇଲରେ ଚୋରା ସିମ୍ ପକାଇ ଜନତାଙ୍କୁ ଧମକ ଦେବା ସହ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରାଉଛନ୍ତି । ବିଜେଡି ଏଭଳି ହୀନକାର୍ଯ୍ୟ ପାଇଁ ବିଜେପି ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିର୍ବାଚନକୁ ଜେଣତେଣ ଜିତିବା ଲାଳସାରେ ରାଜ୍ୟ ସରକାର ସବୁ ନିୟମକାନୁନକୁ ଭୁଲି ଯାଉଛନ୍ତି । ଏହା ସଂପୂର୍ଣ୍ଣ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ରାଜ୍ୟର ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ହେଉଛି ଗଞ୍ଜାମ । କିନ୍ତୁ ସେଠାରେ ଭୋଟରଧାରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନିର୍ବାଚନ ଆସିଲେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଂଚଳ ରକ୍ତମୁଖା ହୋଇଯାଏ । ଶାସକ ଦଳ ବିରୋଧରେ ଯିଏ ମୁହଁ ଖୋଲେ ସେ ମୃତ୍ୟୁ ବରଣ କରେ । ଶାସକ ଦଳ ହିଞ୍ଜିଳିରେ ନିଜର ଦବଦବା ଦେଖାଇ ବିରୋଧୀଙ୍କ ମୁହଁକୁ ବନ୍ଦ କରିବା ସହ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ପୋଷା ଗୁଣ୍ଡା ଭଳି କାମ କରାଏ । ଗଞ୍ଜାମ ଜିଲ୍ଲାରେ ହତ୍ୟା ରେକର୍ଡ ଦିନକୁ ଦିନ ବଢ଼ୁଛି । ଗତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ହତ୍ୟା ଘଟିଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୧୩ରୁ ଉର୍ଦ୍ଧ୍ୱ ହତ୍ୟାକାଣ୍ଡ ଘଟିସାରିଛି । ଏଭଳି ସମ୍ବେଦନଶୀଳ ଅଂଚଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ବର୍ତମାନ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଡ.ପ୍ରଦୀପ ପାଣିଗ୍ରାହୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇ ସିକ୍ୟୁରିଟି ହଟାଇ ଦିଆଯାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଗତ ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ, ୨୦୨୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ପୋଲିସ ଉପସ୍ଥିତିରେ ଆକ୍ରମଣ କରାଯିବା ସତ୍ୱେ ସୁରକ୍ଷା ପ୍ରଦାନ କରାନଯିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ଜିଲ୍ଲାପାଳ, ଏସ୍‌ପି, ଆଇଆଇସି, ବିଡିଓ, ତହସିଲଦାର ସିମ୍ କାର୍ଡ ଇସ୍ୟୁ କରି କାହାକୁ କାହାକୁ କଲ କରୁଛନ୍ତି ତାହାର ତଦନ୍ତ କରାଯାଉ । ଏହା ଦ୍ୱାରା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୯ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏପରିକି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମକୁ ଲୁଚି ଅନେକ ବେଆଇନ ଭାବେ କାର୍ଯ୍ୟ କରୁଛି ଶାସକ ବିଜେଡି । ଆମକୁ ସୁସ୍ଥ ଗଣତନ୍ତ୍ର ଏବଂ ସ୍ୱଚ୍ଛ ନିର୍ବାଚନ ଦରକାର । ସବୁ ରାଜନୈତିକ ଦଳ ଉପରେ ଇସିଆଇର ଗାଇଡ୍‌ଲାଇନ ଲାଗୁ ହେଉ ବୋଲି ବୋଲି ଶ୍ରୀ ପାଣିଗ୍ରାହି ଦାବି କରିଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦିକା ଶ୍ରୀମତୀ କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here