ଜିଲ୍ଲା ସ୍ତରୀୟ ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ

0
10

ଛତ୍ରପୁର, ୧୫/୦୪/୨୦୨୪ : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୧୩୪ ତମ ଜିଲ୍ଲା ସ୍ତରୀୟ ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏବଂ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ଏହି ଉତ୍ସବକୁ ସରକାରୀ ନିୟମ ପ୍ରକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ବାରା ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ତାଙ୍କର ପ୍ରାରମ୍ଭିକ ଭାଷଣରେ କହିଥିଲେଯେ, ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ । ସେଥିପାଇଁ ସେ ରାଜନୈତିକ ସ୍ବାଧୀନତା ଠାରୁ ସାମାଜିକ ସ୍ବାଧୀନତାକୁ ଗୁରୁତ୍ବ ଦେଇଥିଲେ । ତାଙ୍କ ମତରେ ଦେଶରେ ରାଜନୈତିକସ୍ବାଧୀନତା ପ୍ରାପ୍ତ କରିବା ସହଜ, କିନ୍ତୁ ସହସ୍ର ବର୍ଷ ଧରି ଭାରତୀୟ ସମାଜରେ ବ୍ଯାପ୍ତ ଅସ୍ପୃଶ୍ଯତା ଦୂର କରିବା ଅତ୍ୟନ୍ତ କଠୋର କାର୍ଯ୍ୟ । ବରିଷ୍ଠ ସାମ୍ବାଦିକ ତଥା ଅଧ୍ଯାପକ ଭି ରାଜେନ୍ଦ୍ର ରାଜୁ ଅତିଥି ଭାବେ ଯାଗଦେଇ କହିଥିଲେ ଯେ, ଆମ୍ବେଦକର ଅସ୍ପୃଶ୍ୟତା ଦୂର କରିବା ରାଷ୍ଟ୍ର ହିତ ପାଇଁ କେବଳ ଆବଶ୍ୟକ ନୁହେଁ ମାନବ କଲ୍ୟାଣ ପାଇଁ ଗୁରୁତ୍ବପୂର୍ଣ୍ଣ । ଦେଶ ଭକ୍ତିର ସଂକଳ୍ପନା କେବଳ ରାଜନୈତିକ ସ୍ବାଧୀନତା ମଧ୍ୟରେ ସୀମିତ ନୁହେଁ । ସାମାଜିକ ସ୍ବତନ୍ତ୍ରତା ପାଇଁ ମଧ୍ୟ ପ୍ରଚେଷ୍ଟା ହେବା ଆବଶ୍ୟକ । ଡ. ଆମ୍ବେଦକର ନିଜର ସମଗ୍ର ଜୀବନ ଏହି ଯଜ୍ଞରେ ଆହୁତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଅରୁଣ କୁମାର ଶତପଥୀ ଯୋଗ ଦେଇ କହିଥିଲେଯେ, ସମାଜରୁ ଅସ୍ପୃଶ୍ୟତା ଦୂର କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ରାଷ୍ଟ୍ରର ହିତ ଥିଲା ତାଙ୍କର ସର୍ବ ପ୍ରଥମ କର୍ତ୍ତବ୍ୟ । ଆମ୍ବେଦକର ଆମ ଦେଶ ପାଇଁ ସମ୍ବିଧାନ ପ୍ରଣୟନ କରିଥିଲେ ଯାହାକି ଦେଶର ବୃହତ୍ତମ ସମ୍ବିଧାନ । ଦୁସ୍ଥ, ନିଷ୍ପେସିତ ମାନେ ସମାଜର ମୁଖ୍ୟ ସ୍ରୋତରେ ଯେପରି ସାମିଲ ହୋଇ ପାରିବେ ସେଥିପାଇଁ ସେ ନିରନ୍ତର ପ୍ରଚେଷ୍ଟା କରିଥିଲେ । ନିଜର ୬୫ ବର୍ଷ ଜୀବନକାଳ ମଧ୍ୟରେ ସର୍ବାଧିକ ଅବହେଳାର ଶିକାର ହୋଇ ଭାରତର ସମଗ୍ର ସନ୍ତୁଳିତ ବିକାଶ ପାଇଁ ତାଙ୍କର ବହୁମୂଲ୍ୟ ଯୋଗଦାନ ଅତୁଳନୀୟ । ଏହି ଉତ୍ସବରେ ଟ୍ରେଜେରୀ କାର୍ଯ୍ୟାଳୟର ଡି. ଶ୍ରୀନିବାସ ପ୍ରଧାନ, କାର୍ଯ୍ୟଳୟର ସମସ୍ତ କର୍ମଚାରୀ, ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ । ଶେଷରେ ସମାଜସେବୀ ଅରୁଣ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here