ଗ୍ରୀଷ୍ମ ମୁକାବିଲା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

0
28

ବ୍ରହ୍ମପୁର,୧୭/୦୪/୨୦୨୪: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି।

ପ୍ରତ୍ୟେକ ଭ୍ରାମ୍ୟମାଣ ସବ ଷ୍ଟେସନ ଗୁଡିକରେ ବିତରଣ ଟ୍ରାନ୍ସଫର୍ମର ଓ ସୁରକ୍ଷା ଉପକରଣ ରହିଛି। ଭ୍ରାମ୍ୟମାଣ ଟ୍ରୋଲି ଉପରେ ଏହାକୁ ସ୍ଥାନିତ କରାଯିବା ସହ ଆବଶ୍ୟକ ସମୟରେ ତୁରନ୍ତ ଏହାକୁ କର୍ମସ୍ଥଳୀକୁ ନିଆଯାଇପାରିବ। ଯାତ୍ରା ଅବଧିକୁ ବାଦ୍ ଦେଇ ଦେଢ଼ ଘଣ୍ଟା ସମୟ ଭିତରେ ଭ୍ରାମ୍ୟମାଣ ସବଷ୍ଟେସନ କାର୍ଯ୍ୟକ୍ଷମ ହୋଇପାରିବ। ଗ୍ରୀଷ୍ମ କାଳରେ ବିଜୁଳି ଚାହିଦା ବଢୁଥିବା ବେଳେ ଏହି ପଦକ୍ଷେପ ବେଶ୍ ସହାୟକ ହେବ।

ଜରୁରୀକାଳୀନ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରକଳ୍ପ କାର୍ଯ୍ୟ ଆଦି ବିଭିନ୍ନ ପରିସ୍ଥିତିରେ ଭ୍ରାମ୍ୟମାଣ ସବଷ୍ଟେସନ ଆବଶ୍ୟକୀୟ ସେବା ଯୋଗାଇବ। ଡାକ୍ତରଖାନା ଏବଂ ପାନୀୟ ଜଳ ଯୋଗାଣ ଭଳି ଜରୁରୀ ସେବାକୁ ଏହା ବିଦ୍ୟୁତ ଯୋଗାଇବା ସହ ସ୍ଥାୟୀ ସବ ଷ୍ଟେସନର ରକ୍ଷଣାବେକ୍ଷଣା କିମ୍ବା ମରାମତି ସମୟରେ ଅସ୍ଥାୟୀ ବିଦ୍ୟୁତ ସେବା ଯୋଗାଇପାରିବ। ସହଜରେ ନେବା ଆଣିବା ହୋଇପାରୁଥିବା ସହ ବ୍ୟବସ୍ଥିତ ଡିଜାଇନ୍ ଯୋଗୁଁ ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ସବ ଷ୍ଟେସନ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପରିସ୍ଥିତି ମୁକାବିଲା କରିପାରିବ।ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି,” ବର୍ତ୍ତମାନ ସମୟରେ ଆମର ମିଶନ ହେଉଛି ଆମ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବା। ଗ୍ରୀଷ୍ମ କାଳରେ ତ୍ୱରିତ ବିଦ୍ୟୁତ ପୁନଃଯୋଗାଣରେ ଏହି ଭ୍ରାମ୍ୟମାଣ ସବ ଷ୍ଟେସନର ପ୍ରମୁଖ ଭୂମିକା ରହିବା ସହ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଭିନବ ପଦକ୍ଷେପ ନେବା ଦିଗରେ ଟିମ୍ ନିରନ୍ତର ପ୍ରୟାସ କରୁଛନ୍ତି।”

LEAVE A REPLY

Please enter your comment!
Please enter your name here