“ବ୍ରହ୍ମପୁର ସବୁଜ ବାହିନୀ” ପକ୍ଷରୁ “ବିଶ୍ଵ ଧରିତ୍ରୀ” ଦିବସ ପାଳିତ

0
19

ବ୍ରହ୍ମପୁର,୨୨/୦୪/୨୦୨୪:ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବ୍ରହ୍ମପୁର ସବୁଜ ବାହିନୀ” ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ଚନ୍ଦନିଆ ପାହାଡ଼ ନିକଟ ଜଙ୍ଗଲ ଏବଂ ସୁକୁଣ୍ଡା ହଜ ଠାରେ “ବିଶ୍ଵ ଧରିତ୍ରୀ” ଦିବସ ପାଳିତ ହୋଇଥିଲା। “ବିଶ୍ୱ ଧରିତ୍ରୀ” ଦିବସ ୧୯୭୦ ଅପ୍ରେଲ ୨୨ ତାରିଖରେ ଆରମ୍ଭ ହେବା ଦିନଠାରୁ ଏକ ବିଶ୍ଵ ସ୍ତରୀୟ ଗଣ ଆନ୍ଦୋଳନରେ ପରିଣତ ହୋଇ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିଆସୁଛି। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ଜୈବ ବିବିଧତା ହ୍ରାସ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଭବିଷ୍ୟତ ପିଢିଙ୍କ ପାଇଁ ଧରିତ୍ରୀ ଗ୍ରହକୁ ସୁରକ୍ଷିତ ରଖିବା ଆମର ସାମୂହିକ ଦାୟିତ୍ୱ ଅଟେ।
ତେଣୁ ଆଜିର ଏହି “ବିଶ୍ୱ ଧରିତ୍ରୀ” ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ଚନ୍ଦନିଆ ପାହାଡ଼ ଜଙ୍ଗଲ ଓ ସୁକୁଣ୍ଡା ହଜରେ ବିଭିନ୍ନ କିସମର ଫଳନ୍ତି ଚାରା ରୋପଣ କରାଯାଇଥିଲା। ଏଠାରେ ପୂର୍ବରୁ ହଜାରରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ ହୋଇଥିବାରୁ ପକ୍ଷୀଙ୍କ ପାଇଁ ଫଳନ୍ତି ବୃକ୍ଷ ଭାବେ ନିକଟରେ ସଙ୍ଗଠନ ଫଳ ଜାତୀୟ ବୃକ୍ଷରୋପଣ କରିଆସୁଛି।
ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀ କହିବା ମୁତାବକ ବର୍ତ୍ତମାନର ଆଧୁନିକ ବିଳାସମୟ ଜୀବନ,ଆଗପଛ ନ ବିଚାରି ଦ୍ରୁତ ସହରୀକରଣ ବୃଦ୍ଧି ହେବା,ରାସ୍ତା ଘାଟ କଂକ୍ରିଟ କରଣ ହେବା, ଯାନବାହନର ବହୁଳ ବ୍ୟବହାର ଦ୍ୱାରା ସହର ମାନଙ୍କରେ ପ୍ରଦୂଷଣ ସହ ତାପମାତ୍ରା ବୃଦ୍ଧି ପାଉଛି। ଯାହାଦ୍ୱାରା ଗ୍ରୀଷ୍ମ ଆରମ୍ଭରୁ ଜଳାଶୟ ଶୁଖିଯିବାର ନଜିର ରହି ଆସୁଛି। ଫଳରେ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ବ୍ରହ୍ମପୁର ସବୁଜ ବାହିନୀ “ଗଛ ବଞ୍ଚାଅ” ହେଉ ଅବା “ଜଳ ବଞ୍ଚାଅ” ଅଭିଯାନ ମାଧ୍ୟମରେ ବିଭିନ୍ନ ସମୟରେ ପ୍ରଶାସନ, ପ୍ରଶାସକ ନିକଟରେ ଦାବି କରିବା ସହ ଗଛ କଟାକୁ ପ୍ରତିବାଦ କରି ଧାରଣା ମଧ୍ୟ ଦେଇ ଆସୁଛି। କାରଣ ପୃଥିବୀ ହେଉଛି ସୌରମଣ୍ଡଳର ଏକମାତ୍ର ଗ୍ରହ ଯେଉଁଠାରେ ଜୀବର ବିଦ୍ୟମାନ ରହିଛି ଏବଂ କୋଟି କୋଟି ବର୍ଷରୁ ଅନେକ ଧ୍ୱଂସାବିମୁଖୀ, ପ୍ରାକୃତିକ ବିପର୍ଯ୍ୟୟ ସର୍ତ୍ତ୍ୱେ ପୃଥିବୀ ଉପରେ ଜୀବ ସତ୍ତା ବଞ୍ଚାଇବାରେ ନିଜକୁ ପ୍ରାଣମୂର୍ଚ୍ଚା ଚେଷ୍ଟା କରିଛି। ତେଣୁ ପୃଥିବୀ ଆଉ ଏକ ବଡ ବିପର୍ଯ୍ୟୟ କିମ୍ବା ଧ୍ୱଂସାବିମୁଖୀରୁ ବର୍ତ୍ତିବାକୁ ହେଲେ ସମସ୍ତ ନାଗରିକ ନିଜ ନିଜର କର୍ତ୍ତବ୍ୟ ଅନୁଯାୟୀ ପରିବେଶ ସୁରକ୍ଷା ଓ ଏହାର ସଂରକ୍ଷଣ କରିବା ନିତାନ୍ତ ଆବଶ୍ୟକ ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ,ଆକାଶ ରାଉତ, ପ୍ରସନ୍ନ ସ୍ଵାଇଁ,କେ ଅନିଲ କୁମାର ଚୌଧୁରୀ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here