ବ୍ରହ୍ମପୁର, ୦୬/୦୫/୨୦୨୭ : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ଏକ କବିତା ଆବୃତ୍ତି ଆସର ଓ ବାର୍ଷିକ ମୁଖପତ୍ର ‘ବିକ୍ରାନ୍ତ’ର ଭବ୍ୟ ଲୋକାର୍ପଣ ଉତ୍ସବ ଆଜି ପୂର୍ବାହ୍ଣରେ ଦଶ ନମ୍ବର୍ ଗ୍ୟାଲେରୀରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡକ୍ଟର୍ ଦେବରାଜ ସ୍ୱାଇଁ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସଂଗେ ସଂଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଉତ୍ସବରେ ବର୍ଷୀୟାନ୍ କବି ଡକ୍ଟର୍ କୈଳାସ ଚନ୍ଦ୍ର ତ୍ରିପାଠୀ ଉଦ୍ଘାଟକ, କବି ଅନୁପ ମିଶ୍ର ଓ କବି ସୁଶାନ୍ତ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଚତୁର୍ଦ୍ଧା ମୂରତିଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସାରସ୍ୱତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l
ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ସମବେତ କଣ୍ଠରେ ‘ବନ୍ଦେ ମାତରମ୍’ ଗାନ ପରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡକ୍ଟର୍ କୁଳମଣି ଓଝା କାର୍ଯ୍ୟକ୍ରମର ସଂଯୋଜନା କରିବା ସଂଗେ ସଂଗେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଆମନ୍ତ୍ରିତ ଅତିଥିମାନଙ୍କ କରକମଳରେ ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ବିକ୍ରାନ୍ତ : ୨0୨୫-୨୬’ ସଂଖ୍ୟାର ଭବ୍ୟ ଲୋକାର୍ପଣ କରାଯାଇଥିଲା l ଉଦ୍ଘାଟକ ଡ. ତ୍ରିପାଠୀ ସ୍ୱରଚିତ ଦୁଇଟି କବିତା ଆବୃତ୍ତି କରିବା ସହ ‘ବିକ୍ରାନ୍ତ’ ପରାକ୍ରମ ଓ ସାହସିକତାର ପ୍ରତୀକ ବୋଲି କହିଥିଲେ l ସମ୍ମାନିତ ଅତିଥି ରୂପେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗ ମୁଖ୍ୟ କବି ସୁଶାନ୍ତ ଦାସ ସାରସ୍ୱତ ସର୍ଜନାର ଭୂମି ଓ ଭୂମିକା ସମ୍ବନ୍ଧରେ ଆଲୋକପାତ କରିବା ସହ ସ୍ୱରଚିତ ତିନିଟି ଏକପଦୀ କବିତା ଆବୃତ୍ତି କରିଥିଲେ l ସୁଖ୍ୟାତ କବି ଅନୁପ କୁମାର ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ କବିତାର ଭାବଭୂମି ଓ ସୂକ୍ଷ୍ମ କଳାପକ୍ଷ ସଂପର୍କରେ ବର୍ଣ୍ଣନା କରିବା ସଂଗେ ସଂଗେ ସ୍ୱରଚିତ ‘ନଞ ତତ୍-ପୁରୁଷ’ କବିତା ସଂକଳନରୁ ଏକ କବିତା ଆବୃତ୍ତି କରିଥିଲେ l
ପତ୍ରିକାର ମୁଖ୍ୟ ସଂପାଦକ ଡ. ଓଝାଙ୍କ ସଂଯୋଜନାରେ ସଂଚାଳିତ କବିତା ଆବୃତ୍ତି ଆସରରେ ପ୍ରାଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ସଂପାଦନା ମଣ୍ଡଳୀ ସଦସ୍ୟ tar ଇଂରାଜୀ ବିଭାଗ ମୁଖ୍ୟ ଡ. ଆନନ୍ଦ ସେଠୀ, ସଂପାଦନା ମଣ୍ଡଳୀ ସଦସ୍ୟ ତଥା ହିନ୍ଦୀ ବିଭାଗାଧ୍ୟକ୍ଷ ଗଙ୍ଗାଧର ବେହେରା, ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡ. ମଧୁସ୍ମିତା ଦାସ, ଡ. ସୁଧାନନ୍ଦ ମହାରଣା, ଡ. ରବୀନ୍ଦ୍ର କୁମାର ପଣ୍ଡା, ଡ. ସୁଶାନ୍ତ କୁମାର ପରିଡ଼ା, ଡ. ସୁଶାନ୍ତ କୁମାର ଵୀରୋଙ୍କ ସମେତ ବହୁ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଉକ୍ତ ଲୋକାର୍ପଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l ଶେଷରେ ସଂପାଦନା ମଣ୍ଡଳୀ ସଦସ୍ୟ ଡକ୍ଟର୍ ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
Home ବ୍ରହ୍ମପୁର ସ୍ପେଶାଳ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ କବିତା ଆସର ଓ ମୁଖପତ୍ର ‘ବିକ୍ରାନ୍ତ’ ଲୋକାର୍ପିତ





