ଗୋଳନ୍ଥରା, ୧୬/୦୭/୨୦୨୬: ସଡ଼କ ଦୁର୍ଘଟଣାରେ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ ସ୍ତ୍ରୀ । ଚିକିତ୍ସା କରିବାକୁ ନିଜ ସ୍ବାମୀଙ୍କ ହାତ ଧରି ବାଟ କଡାଇ ନେଉଥିଲା ସ୍ତ୍ରୀ । କିନ୍ତୁ କିଏ ଜାଣିଥିଲା ଚିକିତ୍ସା ପରିବର୍ତ୍ତେ ଯାତ୍ରା ଶେଷ ଯାତ୍ରା ହେବ ବୋଲି । ଆଉ ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ । ରଣ୍ଢା ଗାଁର ହରିଶ୍ଚନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ପରୀ ଦାସ ଆଜି ସକାଳ ପ୍ରାୟ ୧୦.୩୦ ମିନିଟ୍ ସମୟରେ ଘରୁ ବାହାରକୁ ବାହାରିଥିଲେ । ହରିଶ୍ଚନ୍ଦ୍ରଙ୍କ ସ୍ବାସ୍ଥ୍ୟ ଭଲ ନଥିବା ଯୋଗୁଁ ତାଙ୍କର ଚିକିତ୍ସା ପାଇଁ ତାଙ୍କ ହାତକୁ ଧରି ପତ୍ନୀ ପରୀ ଦାସ ନେଉଥିଲେ । ହରିଶ୍ଚନ୍ଦ୍ର ଓ ପରୀ ରଣ୍ଢା ଛକରେ ରାସ୍ତା ପାର ହେବା ପାଇଁ ଠିଆ ହୋଇଥିଲେ । ଏହି ସମୟରେ ହଠାତ୍ ଏକ କାରରୁ ପଛପଟୁ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ କାରଟି ହରିଶ୍ଚନ୍ଦ୍ର ଓ ପରୀକୁ ଧକ୍କା ଦେବା ଫଳରେ ଉଭୟ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲେ । ରାସ୍ତାରେ ଉଭୟ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଅନ୍ୟ ଏକ ଟ୍ରକ ଉଭୟଙ୍କୁ ରାସ୍ତା ଉପରେ ଚକୁଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଉଭୟ ହରିଶ୍ଚନ୍ଦ୍ର ଓ ପରୀଙ୍କ ମୃତ୍ୟୁ ହୋଇଥିଲା । ସମ୍ପର୍କିୟ ଲୋକେ ଏନେଇ ଜାଣିବା ପରେ ରଣ୍ଢା ଛକରେ ଟାୟାର ଜାଳି ଦୁଇ ଘଣ୍ଟା ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ସହ ରଣ୍ଢା ଛକରେ ଚାଲିଥିବା ଓଭରବ୍ରିଜ ନିର୍ମାଣକୁ ଜୋରସୋରରେ କରିବା ଦାବିରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ -୧୬କୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଯାହାଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା । ଏ ସମ୍ପର୍କରେ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଟୁନା ସାସମଲ, ସଦର ଏସଡିପି ସୁବ୍ରାଶୁଂ ଶେଖର ପରିଡ଼ା, କନିଷି ତହସିଲଦାର କବିରାଜ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏଁ ୬୦ ହଜାର ଟଙ୍କା କନିଷି ତହସିଲଦାର ପ୍ରଦାନ କରିଥିଲେ । ଏହାସହ ଓଭରବ୍ରିଜ କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା



