ପୋଲସରା ୧୮/୭/୨୬ : ପୋଲସରା ପୌର ପରିଷଦରେ ଅବସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଜୁଲାଇ ୧୫ ତାରିଖ ଦିନ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୌର ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଏବଂ ସମ୍ମାନିତ ଅତିଥିଭାବେ ବିଦାୟୀ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ ଯୋଗ ଦେଇଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କେ. ମମତା କୁମାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅଭିଭାବକମାନେ ସର୍ବସମ୍ମତି କ୍ରମେ ୨୦୨୬-୨୦୨୮ ଶିକ୍ଷାବର୍ଷ, ୩ ବର୍ଷ ପାଇଁ ୨୪ ସଭ୍ୟ ଓ ସଭ୍ୟା ବୃନ୍ଦଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ନୂତନ ସଭାପତି ଭାବେ ରବୀନ୍ଦ୍ର କୁମାର ସାହୁ ଓ ଉପସଭାପତି ଭାବେ ଖୋଜନି ବିଷୋୟୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ, ଜଣେ କାଉନସିଲର, ଜଣେ ଅଙ୍ଗନୱାଡି କର୍ମୀ, ଜଣେ ଆଶାକର୍ମୀ ଓ ଶିକ୍ଷକ ଦିବ୍ୟତ୍ତମ ପ୍ରଧାନ, ଆଲୁମିନି ଶିକ୍ଷାବିତ୍ ସୁରେନ୍ଦ୍ରନାଥ ପାଢ଼ୀଙ୍କ ସମେତ ୧୬ ଜଣ ଅଭିଭାବକମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ନୂତନ ଭାବେ ଗଠିତ ହୋଇଥିବା କମିଟି ଆଗାମୀ ଦିନରେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ତଦାରଖ କରିବାସହ ବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉନ୍ନତିର ଶିଖରରେ ଆଗେଇ ନେବାକୁ ପ୍ରଚେଷ୍ଟା କରିବେ ବୋଲି କହିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





