ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ନକୁଳ ମାଷ୍ଟ୍ରେଙ୍କ ବିୟୋଗରେ ଶୋକସଭା

0
278

ବ୍ରହ୍ମପୁର,୧୬/୦୯/୨୦୨୧: ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ନକୁଳ ଚନ୍ଦ୍ର ନାୟକଙ୍କ ବିୟୋଗରେ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ନକୁଳ ମାଷ୍ଟ୍ରେ ଥିଲେ ଏକାଧାରରେ ଲୋକ ନାଟକ (ରାମ ନାଟକ), ଗ୍ରାମୀଣ ନାଟକ (ରାମାୟଣ, ମହାଭାରତ, ଚନ୍ଦ୍ରହାସ, ରକ୍ତ ଚାବୁକ ଇତ୍ୟାଦି ପୌରାଣିକ, ଐତିହାସିକ, କାଳ୍ପନିକ) ଓ ମଞ୍ଚ ନାଟକର ଜଣେ ନିଷ୍ଠାପର ଦକ୍ଷ ନିର୍ଦ୍ଦେଶକ ଥିଲେ । ସେ ଗତ କାଲି ମାତ୍ର ୮୫ ବର୍ଷ ବୟଃକ୍ରମରେ ଖଣ୍ଡଦେଉଳି ଗ୍ରାମସ୍ଥ ନିଜସ୍ଵ ବାସ ଭବନରେ ପରଲୋକ ଗମନ କରିଛନ୍ତି । ସେ ଜଣେ ନିଷ୍ଠାପର ଓ ଦକ୍ଷ ନାଟ୍ୟ ନିର୍ଦ୍ଦେଶକ ଭାବରେ ଗଞ୍ଜାମ ବ୍ୟତିରେକେ ଦକ୍ଷିଣ ଓଡ଼ିଶା ତଥା ସମଗ୍ର ଓଡ଼ିଶା ପ୍ରଦେଶ ସ୍ଥରରେ ଜଣେ ସୁନାମଧନ୍ୟ ଗ୍ରାମୀଣ ନାଟ ମଣିଷ ଥିଲେ । ତାହାଙ୍କ ବିୟୋଗରେ ଗ୍ରାମୀଣ ନାଟ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ଏବଂ ଏକ ଅପୂରଣୀୟ କ୍ଷତି ସଂଗଠିତ ହୋଇଛି ବୋଲି ସଂଘ ପ୍ରକାଶ କରିଛି ।ସ୍ଥାନୀୟ ସୁବରାଓ ଛକ ସ୍ଥିତ ସଂଘ କାର୍ଯ୍ୟାଳୟ (ଶ୍ରୀ ଜଗନ୍ନାଥ ଚିତ୍ରାଳୟ) ପରିସରରେ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଶୋକସଭାରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ନାଲ୍ଲା ତିରୁପତି ରାଓ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଦୟାନିଧି ପାତ୍ର, ଗ୍ରାମୀଣ ନାଟ୍ୟ ସଂଗଠକ ସୁଦାମ ସାହୁ, ବରିଷ୍ଠ ନୃତ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ ମାମା, କୋଷାଧ୍ୟକ୍ଷ ବଳଦେବ ସାହୁ ପ୍ରମୁଖ ବହୁ ନାଟ୍ୟମନସ୍କ ବ୍ୟକ୍ତିତ୍ଵ ସ୍ବର୍ଗତ ନକୁଳ ମାଷ୍ଟ୍ରଙ୍କ ସ୍ମୃତି ରୋମନ୍ଥନ ସହ ଉପରୋକ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ସ୍ବର୍ଗତ ନକୁଳ ମାଷ୍ଟ୍ରଙ୍କ ଜୀବନଚର୍ଯ୍ୟା ଓ ଗ୍ରାମୀଣ ନାଟ୍ୟ ସଂସ୍କୃତି କ୍ଷେତ୍ରରେ ତାହାଙ୍କ ଅବଦାନ ସମ୍ପର୍କରେ ସମ୍ୟକ୍ ସିଂହାବଲୋକନ କରିଥିଲେ । ତତ୍ପରେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ତେଜରାଜ ପ୍ରଧାନ, ବଳରାମ ମହାପାତ୍ର, ଯୁଦ୍ଧିସ୍ଥିର ଭଞ୍ଜ ସାମନ୍ତ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବହୁ କଳାକାର ସହଯୋଗ କରିବା ସହିତ ସ୍ବର୍ଗତ ଆତ୍ମା ପ୍ରତି ନିଜ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here