ସଂଗ୍ରାମୀ ଶ୍ରମିକ ୟୁନିୟନର ସାଂଗଠନିକ ସମ୍ମିଳନୀ ସଫଳତାର ସହ ସମ୍ପର୍ଣ୍ଣ

0
273

୧୩/୦୯- ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ତଥା ଠିକା ଓ ଅସ୍ଥାୟୀ ଶ୍ରମିକଙ୍କୁ ନେଇ ଗଠିତ ଶ୍ରମିକ ସଂଘ ଟିୟୁସିଆଇ ସହିତ ଅନୁବନ୍ଧିତ ସଂଗ୍ରାମୀ ଶ୍ରମିକ ୟୁନିୟନ (SSU) ର ଗଂଜାମ ଜିଲ୍ଲା ସାଂଗଠନିକ ସମ୍ମିଳନୀ ୧୩ ସେପ୍ଟେମ୍ବରରେ କୁକୁଡ଼ାଖଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ପି.ଯୋଗେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ ସଭାରେ ଟିୟୁସିଆଇ ରାଜ୍ୟ ସଭାପତି ଶିବରାମ, ଓଡିଶା ନିର୍ମାଣ ଶ୍ରମିକ ୟୁନିୟନର ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ବାଡ଼ତ୍ୟା, ଶ୍ରମିକ ନେତା ପ୍ରମୋଦ ପ୍ରଧାନ, ରାଜ୍ୟ କୃଷକ ନେତା ଶଙ୍କର ସାହୁ ଆଦି ଯୋଗ ଦେଇଥିଲେ। ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସମସ୍ୟା, ସେମାନଙ୍କୁ ଶ୍ରମିକର ଅଧିକାର, ବଂଚିବା ଭଳି ମଜୁରୀ, ସାମାଜିକା ନିରାପତ୍ତା ଯୋଗାଇଦେବା ପାଇଁ ସଂଗ୍ରାମକୁ ଆଗେଇନେବା ସମ୍ପର୍କରେ ଗଭୀର ଆଲୋଚନା ଓ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ସମସ୍ତ ଅଣସଙ୍ଗଠିତ ଶ୍ରମିକଙ୍କୁ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜିକରଣ କରାଇ ଅଣସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ଯୋଗାଇ ଦେବା ଦିଗରେ ୟୁନିୟନ ନିୟମିତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୋର୍ଡ ପକ୍ଷରୁ ମାତ୍ର କିଛି ସହାୟତା ଘୋଷଣା କରାଯାଇଛି। ଏହି ବୋର୍ଡର ପଞ୍ଜିକୃତ ସମସ୍ତ ଶ୍ରମିକଙ୍କୁ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ସହାୟତା ଯୋଗାଇଦେବା ପାଇଁ ୟୁନିୟନ ସଂଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମ୍ମିଳନୀ ଏକ ୯ ଜଣିଆ ସାଂଗଠନିକ କମିଟି ନିର୍ବାଚିତ କରିଛି। ଏହାର ସଭାପତି ଭାବେ ପି.ଯୋଗେନ୍ଦ୍ର, ଉପ ସଭାପତି ଭାବେ ସୁରଥ ସାହୁ, ସମ୍ପାଦକ ଭାବେ ନାରାୟଣ ବରାଡ଼ ଏବଂ କୋଷାଧ୍ୟକ୍ଷ ଭାବେ କୈଳାଶ ବେହେରା ସର୍ବ ସମ୍ମତ କ୍ରମେ ନିର୍ବାଚିତ ହୋଇଛନ୍ତି। ହିଂଜିଲିକାଟୁ ଓ କୁକୁଡାଖଣ୍ଡି ଅଞ୍ଚଳର ସଂଗ୍ରାମୀ ଶ୍ରମିକ ନେତ୍ରୀ ପାର୍ବତୀ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here