ଭୂବନେଶ୍ୱର ସ୍ଥିତ ଏମ୍ସ ହସପିଟାଲ ରେ ଜଳ ସଂକଟ। ହସପିଟାଲ ଓ କଲେଜ ରେ ଅଚଳାବସ୍ଥା। ରୋଗୀ ହଟହଟା

0
218

ଭୂବନେଶ୍ୱର,୧୭/୯: ରାଜଧାନୀ ଭୂବନେଶ୍ୱର ସ୍ଥିତ ଏମ୍‌ସ କୁ ଦଶ ଦିନ ହେଲା,ଯେତିକି ପାଣି ଦରକାର ତା’ର ଅଧା ବି ଆସୁନି । ହସ୍ପିଟାଲ ଓ କଲେଜ ସବୁ ଆଡେ ଟାଙ୍କି ଶୁଖିଲା । ଫଳରେ ଆଜି ଅଚଳାବସ୍ଥା ସୃଷ୍ଟି ହୋଇଛି । ବାଧାପ୍ରାପ୍ତ ହୋଇଛି ଅସ୍ତ୍ରୋପଚାର । ହଜାର ହଜାର ରୋଗୀ ଆଉ ଆଟେଣ୍ଡାଣ୍ଟ ପାଣି ପାଇଁ ଆଜି ଡହଳ ବିକଳ ହୋଇଛନ୍ତି । ଶୌଚ କରିବା ତ ଦୂରର କଥା ପାଣି ପିଇବାକୁ ମିଳିନି । ଯେଉଁଥିପାଇଁ ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅସ୍ତ୍ରୋପଚାରର ତାରିଖ ଘୁଞ୍ଚାଇଛନ୍ତି । ଏ ସମସ୍ୟାର ସମାଧାନ ଆଗକୁ କରାନଗଲେ, ଆଗକୁ ଭୟଙ୍କର ରୂପ ନେବାର ଆଶଙ୍କା ଦେଖାଯାଇଛି ।

ଘାଟିକିଆରୁ ସିଜୁଆ କୁ ପାଣି ଆସୁଛି । ସେଠାରୁ ଏମ୍‌ସକୁ ବର୍ଷ ବର୍ଷ ହେଲା ପାଣି ଆସୁଥିଲା । ସବୁଦିନ ଏମ୍‌ସକୁ ହସ୍ପିଟାଲ ଆଉ ମେଡିକାଲ କଲେଜ ପାଇଁ ୧୭ ଲକ୍ଷ ଲିଟର ପାଣି ଦରକାର । ହେଲେ ସପ୍ତାହେ ହେବ ୧୦ ଲକ୍ଷ ଲିଟର ପାଣି ଆସୁଛି । ଅର୍ଥାତ ଆବଶ୍ୟକର ଅଧା । ଆଜି ପାଣି ଯୋଗାଣ କମି ୮ ଲକ୍ଷ ଲିଟର ହୋଇ ଯାଇଛି । ଯେଉଁଥିପାଇଁ ଆଜି ଏମ୍‌ସରେ ପାଣି ପାଇଁ ବିକଳ ଅବସ୍ଥା ସୃଷ୍ଟି ହୋଇଥିଲା ।

ଏମ୍‌ସରେ ପାଣି ରଖିବାକୁ ଥିବା ସମ୍ପ ଅଧା ହୋଇଯାଇଥିଲା ଆଜି । ଏମିତି ଅବସ୍ଥା ହେଲା ଯେ ହସ୍ପିଟାଲ କର୍ତ୍ତୃପକ୍ଷ କେବଳ ହସ୍ପିଟାଲର ଜରୁରୀ ୱାର୍ଡ ଆଉ ମେଡିକାଲ କଲେଜ ହଷ୍ଟେଲକୁ ବାଦ୍‌ ଦେଇ ଅନ୍ୟ ବିଭାଗକୁ ପାଣି ସପ୍ଲାଇ କମାଇ ଦେଲେ । ପାଣି ନ ଆସିବାରୁ ସବୁଠୁ ବେଶି ହାଇରାଣ ହୋଇଛନ୍ତି ଅସ୍ତ୍ରୋପଚାର ପାଇଁ ଲାଇନ୍‌ରେ ଥିବା ରୋଗୀ । ପାଣି ଅଭାବ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଆଜି ଅସ୍ତ୍ରୋପଚାର ଗୃହ (ଓଟି)କୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ । ଯେଉଁଥିପାଇଁ ଆଜି ୩୦ ରୋଗୀ ହଇରାଣ ହୋଇଛନ୍ତି । ସେମାନଙ୍କୁ ପୁଣି କାଲି କୁ ଅସ୍ତ୍ରୋପଚାର କରିବାକୁ ସମୟ ଦିଆଯାଇଛି । ୩୦ ରୋଗୀଙ୍କ ମଧ୍ୟରେ ଗୁରୁତର ରୋଗୀ ମଧ୍ୟ ରହିଛନ୍ତି । ଯାହାଙ୍କ ଜୀବନ ସହ ଖେଳ ଖେଳାଯାଇଛି ।

ଏ ତ ଗଲା ଓଟି ର କଥା। କ୍ୟାମ୍ପସରେ ଥିବା ରୋଗୀ ସମ୍ପର୍କୀୟ ଆଶ୍ରୟସ୍ଥଳୀ ସହ ଅନ୍ୟାନ୍ୟ ବିଭାଗକୁ ମଧ୍ୟ ପାଣି ନ ଯିବାରୁ ରୋଗୀ ସମ୍ପର୍କୀୟ ମଧ୍ୟ ଶୌଚ ପାଇଁ ହଇରାଣ ହୋଇଛନ୍ତି । ଆଜି ସନ୍ଧ୍ୟା ପରେ ରୋଗୀ ସମ୍ପର୍କୀୟ ଆଉ ରୋଗୀ ପାଣି ପାଇଁ ହାହାକାର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here