ଶ୍ରୀଧାମ, ପଦ୍ମନାଭପୁର କେଳେଙ୍କାରୀ-୧ ଅନୁମତି ଗୋଟିଏ ସ୍ଥାନରେ କଲେଜ ଛାଲିଛି ଭିନ୍ନ ସ୍ଥାନରେ ଫଳକ ଠାରୁ କଲେଜର ଦୂରତା ୩୫ କି.ମି., କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ

0
184

ଦିଗପହଣ୍ଡିି, ୧୮/୯ :
ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମ ଭୀମପୁର ଛକ ରାସ୍ତା ପାଶ୍ୱର୍ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ଫଳକ ରହିଛି । ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଯୁକ୍ତ ୨ ଜୁନିୟର୍ ସାଇନ୍ସ କଲେଜ ମଧ୍ୟ ରହିଥିବା ଉଲ୍ଲେଖ ରହିଛି । ହେଲେ ଉକ୍ତ ସ୍ଥାନରେ କେବଳ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଏବଂ ଅନ୍ତେବାସୀଙ୍କ ରହିବାର ବ୍ୟବସ୍ଥା ରହିଥିବା ବେଳେ ଯୁକ୍ତ ୨ କଲେଜର କୌଣସି ପ୍ରକାର ବନ୍ଦୋବସ୍ତ ନାହିଁ । କଲେଜ ରହିଥିବା ସୂଚନା ଫଳକକୁ ଦେଖି ଅଭିଭାବକ ମାନେ ପଦ୍ମନାଭପୁର ଶ୍ରୀଧାମକୁ ଯାଉଥିବା ବେଳେ ଭୁଲ ସୂଚନା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେଉଥିବା ଆଭାସ ମିଳିଛି । ଶ୍ରୀଧାମ ପଦ୍ମନାଭପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ କିଛି ବର୍ଷ ହେଲା ଯୁକ୍ତ ୨ ଖୋଲାଯାଇଛି । ସାମ୍ସ କୋର୍ଡ ସୂଚନା ଫଳକରେ ଉଲ୍ଲେଖ କରିବା ପାଇଁ ବାଧ୍ୟତା ମୂଳକ ରହିଥିବା ବେଳେ ତାହା କରାନଯାଇ କେବଳ ଯୁକ୍ତ ୨ ଜୁନିଅର ସାଇନ୍ସ କଲେଜ ଥିବାର ଉଲ୍ଲେଖ କରାଯାଇଛି । ହେଲେ ଯୁକ୍ତ ୨ ଜୁନିଅର କଲେଜଟି ଶ୍ରୀଧାମ ପଦ୍ମନାଭପୁର ଠାରୁ ଅନତୀ ଦୂରତାରେ ବ୍ରହ୍ମପୁର ସଞ୍ଜୀବନୀ ବିହାରରେ ରହିଛି । ପଦ୍ମନାଭପୁର ଶ୍ରୀଧାମ ଠାରେ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ବ୍ରହ୍ମପୁରରେ ଜନବସତି ଠାରୁ ବହୁଦୂରରେ ଅନ୍ତେବାସୀଙ୍କୁ ଏକ ବିରାଟ ଘର ମଧ୍ୟରେ କଏଦ କରି ରଖି ସେଠାରେ ଜୁନିଅର ସାଇନ୍ସ କଲେଜ ଚଳାଯିବାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିକ୍ଷା ବିଭାଗ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଯୁକ୍ତ ୨ ଜୁନମିଅର କଲେଜ ଖୋଲିବାକୁ ସମ୍ପୃକ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷଙ୍କୁ ଅନୁମତି ପ୍ରଦାନ କରିଛନ୍ତି ନା, ଗୋଟିଏ ଅନୁମତି ପତ୍ରକୁ ଭିତ୍ତି କରି ଗଞ୍ଜାମ ଜିଲାର ସବୁ ସ୍ଥାନରେ ଫ୍ରାଞ୍ଚାଇଜ୍ ଯୁକ୍ତ ୨ ଜୁନିଅର ସାଇନ୍ସ କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି ସେନେଇ ବିଭିନ୍ନ ପ୍ରକାର ସମାଲୋଚନା ଜୋର ଧରିଛି । କଲେଜରେ ନାମ ଲେଖିବା ପାଇଁ ଅବିଭାବକ ମାନେ ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଶ୍ରୀଧାମ ପଦ୍ମନାଭପୁରକୁ ଆସୁଥିବା ବେଳେ ନାମ ଲେଖା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ସଞ୍ଜୀବନୀ ବିହାରରେ ଶିକ୍ଷା ଦାନ ଗ୍ରହଣ କରିବା ପାଇଁ କୁହାଯାଉଛି । ଫଳରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ସମ୍ପୃକ୍ତ ଅନୁଷ୍ଠାନରେ ଅନ୍ତେବାସୀ ଭାବେ ରହି ପାଠ ପଢିବାକୁ ବାଧ୍ୟତା ହେଉଥିବା ନେଇ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଏନେଇ କେହି ସ୍ୱର ଉତ୍ତୋଳନ କରିଲେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମୟରେ ଧମକ ଚମକ ଦିଆଯାଉଥିବାର ମଧ୍ୟ ନଜିରକୁ ଆସିଛି । ପ୍ରକାଶ ଯେ, ୨୦୧୭ ମସିହାରୁ ଉକ୍ତ ଅନୁଷ୍ଠାନରେ ଯୁକ୍ତ ୨ ବିଜ୍ଞାନ କଲେଜ ଖୋଲିଆସିଥିବା ବେଳେ କେବଳ ଶ୍ରୀଧାମ ପଦ୍ମନାଭପୁରରେ ତାହାର ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ କରିବା ନେଇ ସ୍ପଷ୍ଟୀକରଣ ରହିଛି ହେଲେ କେଉଁ ଆଇନ ବଦଳରେ ଗୋଟିଏ ସ୍ଥାନରେ ଅନୁଷ୍ଠାନ ଖୋଲିବାର ଅନୁମତି ନେଇ ସ୍ଥାନ ପରିବର୍ତ୍ତନ କରି ଅନୁଷ୍ଠାନ ଖୋଲାଯାଇପାରୁଛି ସେଥିନେଇ ସାଧାରଣରେ ନାନା ସମାଲୋଚନା ହେଉଛି । ଏନେଇ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏଲ.କେ.ତ୍ରିପାଠୀଙ୍କ ସହିତ ଆଲୋଚନା କରିବାରେ ସେ କହିଛନ୍ତି ଯେ, ଉଚ୍ଚ ଶିକ୍ଷା ବିଭାଗ ଭୂବନେଶ୍ୱରରେ ଅଭିଯୋଗ ପତ୍ର ଦାଖଲ କରିଲେ କିମ୍ବା ତାଙ୍କ ନିକଟରେ ଦାବୀ ଉପସ୍ଥାପନା କରିଲେ ସବିଶେଷ ତଦନ୍ତ ହୋଇ ବହୁ ତଥ୍ୟ ଉନ୍ମୋଚନ ହୋଇପାରିବ । ସୂଚନା ଯୋଗ୍ୟ ଯେ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁଡିକରେ ଶିକ୍ଷା ବିଭାଗ, ଜିଲା ପ୍ରଶାସନିକ କର୍ତ୍ତୃପକ୍ଷ, ଶିଶୁ ସୁରକ୍ଷା ବିଭାଗର ପାଦ ପଡୁନଥିବା ବେଳେ ଆୟ ବ୍ୟୟ ସମସ୍ତ ତଥ୍ୟର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉନଥିବାରୁ ବେଧଡକ ଭାବେ ମନମୂଖୀ ଭାବେ କାର୍ଯ୍ୟ ସବୁ ଚାଲି ଆସୁଥିବା ଅଭିଯୋଗ ହୋଇଛି । ନିକଟରେ ଶ୍ରୀଧାମ ପଦ୍ମନାଭପୁର ସମ୍ପୃର୍କରେ ଜିଲାପାଳଙ୍କ ଦ୍ୱାରା ପ୍ରଦତ୍ତ ୱାଟସଅପ୍ ଯୋଗେ ଅଭିଯୋଗ କରିବାରେ ଜିଲା ମଙ୍ଗଳ ଅଧିକାରୀ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ପଠାଇବା ପାଇଁ କୁହାଯାଇଥିବା ଜାଣିବାକୁ ମିଳିଛି । ଅନ୍ୟପକ୍ଷରେ ସଞ୍ଜୀବନୀ ବିହାରରେ ଖୋଲିଆସିଥିବା ଯୁକ୍ତ ୨ ସାଇନ୍ସ କଲେଜର କୌଣସି ପ୍ରକାର ଫଳକ ଲଗାଯାଇନଥିବାରୁ ସନ୍ଦେହ ଉପୁଜିଛି । କାଳେ କେହି ଜାଣିଦେବାର ଭୟରେ କଲେଜକୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେଳେ ଜନବସତି ଠାରୁ ବହୁ ଦୂରରେ ତାହା ସ୍ଥାପନ କରାଯାଇଥିବା ଆଲୋଚନା ହୋଇଛି । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ପ୍ରକୃତ ରହସ୍ୟ କଣ ରହଛି ତାହାର ପର୍ଦ୍ଦାଫାସ ହୋଇପାରିବ ।

LEAVE A REPLY

Please enter your comment!
Please enter your name here