ମହିଳାଙ୍କ କାନ କମୁଡି ବୃଦ୍ଧା ଗିରଫ

0
298

 

ଦିଗପହଣ୍ଡିି, ୨୪ା୯ :
ଦିଗପହଣ୍ଡି ଥାନା ଭୁଷୁଣ୍ଡା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ଜଣେ ମହିଳା ଅନ୍ୟ ଜଣଙ୍କର ଦୁଇ କାନକୁ କାମୁଡି ଛିଣ୍ଡାଇଦେଇଥିଲେ । ଆକ୍ରମଣରେ ଗୁରୁତର ଆହତ ମହିଳା ଜଣକ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏ ସଂକ୍ରାନ୍ତରେ ଦିଗପହଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ ବୃଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନରେ ଗାଁର କାଳିଆ ପ୍ରଧାନଙ୍କ ପତ୍ନୀ କଲ୍ୟାଣୀ ପ୍ରଧାନ (୪୦) ପୋଖରୀରୁ ଗାଧୋଇ ଘରକୁ ଫେରୁଥିଲେ । ଏହି ସମୟରେ ପାଣି ଆଣିବାକୁ ଯାଇଥିବା ଝୁନୁ ସାସମଲଙ୍କ ସହିତ କୌଣସି କାରଣରୁ ବାକବିତଣ୍ଡା ଘଟିଥିଲା । ପରେ ଝୁନୁ ଉତ୍କ୍ଷିପ୍ତ ହୋଇ କଲ୍ୟାଣୀଙ୍କ ଦୁଇ କାନକୁ କାମୁଡି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କଲ୍ୟାଣୀଙ୍କୁ ପରିବାର ବର୍ଗ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ଥାନାକୁ ଯାଇ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ କେସନଂ ୧୯୧ା୧୯ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତା ଝୁନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି ।

ରିପୋର୍ଟ: ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here