ଫାଇଲ ଫେରିଲା: ଏବେ ମିଳିବନି ୬୦% ବକେୟା, ଡିଏ ବୃଦ୍ଧିକୁ ନେଇ ଅନିଶ୍ଚିତତା

0
184

ଭୁବନେଶ୍ୱର, ୩୦/୯ -‘ଫାଇଭ୍-ଟି’ କାର୍ଯ୍ୟକ୍ରମ ଆଳରେ ରାଜ୍ୟ କର୍ମଚାରୀଙ୍କୁ ପ୍ରଦର୍ଶନଭିତ୍ତିକ ଆଗୁଆ ପଦୋନ୍ନତି ଓ ବାଧ୍ୟତାମୂଳକ ଅବସର ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାର ସେମାନଙ୍କର ୬୦% ବକେୟା ଦରମା ପ୍ରଦାନକୁ ନେଇ ନିରବ ରହିଛନ୍ତି। ସପ୍ତମ ବେତନ କମିଶନ ସୁପାରିସ୍ ହାରରେ କର୍ମଚାରୀଙ୍କୁ ସଂଶୋଧିତ ଘରଭଡ଼ା ଦେବା ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀ ଫେରାଇ ଦେଇଥିବାରୁ ପ୍ରତିବର୍ଷ ଦଶହରା ପୂଜା ପୂର୍ବରୁ ରାଜ୍ୟ ସରକାର ଦେଉଥିବା ପୂଜାଭେଟି(ମହଙ୍ଗା ଭତ୍ତା) ଏଥର ମିଳିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ୨୦୧୭ ସେପ୍ଟେମ୍ବର ମାସରୁ ସପ୍ତମ ବେତନ କମିଶନ ସୁପାରିସକୁ ଲାଗୁ କରିବା ସହ ବର୍ଦ୍ଧିତ ହାରରେ ଦରମା ଦେଇଥିଲେ। ତେବେ ସେହି ବର୍ଦ୍ଧିତ ଦରମା ଅନୁସାରେ ଘରଭଡ଼ା(ହାଉସ୍ ରେଣ୍ଟ)କୁ ସଂଶୋଧନ ନକରି ପୁରୁଣା ଦରମା ହାରରେ ଘରଭଡ଼ା ଦେଉଛନ୍ତି। ଏହି ଘରଭଡ଼ାକୁ ପରବର୍ତ୍ତୀ ସମୟରେ ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୨ବର୍ଷ ବିତିଯାଇଥିଲେ ବି କର୍ମଚାରୀମାନେ ସଂଶୋଧିତ ଘରଭଡ଼ା ପାଇବାରେ ସକ୍ଷମ ହୋଇନାହାନ୍ତି। କର୍ମଚାରୀଙ୍କ ଏହି ଘରଭଡ଼ାରେ ସଂଶୋଧନ କରିବା ସଂକ୍ରାନ୍ତ ଫାଇଲ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇ ଯାଇଥିଲା। ଯାହାକି ବିନା ଦସ୍ତଖତରେ ଫେରି ଆସିଥିବା ଜଣାପଡ଼ିଛି। ସରକାର ଏବେ ଘରଭଡ଼ା ସଂଶୋଧନ କରିବା ମୁଡରେ ନଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।

ଏପଟେ ରାଜ୍ୟ କର୍ମଚାରୀମାନେ ଜୁଲାଇ ମାସରୁ ମହଙ୍ଗା ଭତ୍ତା ପାଇବାକୁ ହକଦାର ହେଲେଣି। ଏହି ମହଙ୍ଗା ଭତ୍ତା ସାଧାରଣତଃ ଦଶହରା ପୂଜା ପୂର୍ବରୁ ଘୋଷଣା ହୋଇଥାଏ। କିନ୍ତୁ ରାଜ୍ୟ ସରକାର ଏଥର ମହଙ୍ଗା ଭତ୍ତା ଘୋଷଣା କରିବେ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି। କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା ନିଷ୍ପତ୍ତି ୨-୩ଦିନ ମଧ୍ୟରେ ନେବାର ସମ୍ଭାବନା ଥିବାବେଳେ ରାଜ୍ୟ ସରକାରଙ୍କର ମତିଗତିକୁ ନେଇ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି।

ସେହିପରି ୨୦୧୬ ଜାନୁୟାରୀ ପହିଲାରୁ ରାଜ୍ୟ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିସ୍ ଆଧାରରେ ଦରମା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ସହ ବକେୟା(୨୦୧୬ ଜାନୁୟାରୀରୁ ୨୦୧୭ ଅଗଷ୍ଟମାସ ପର୍ଯ୍ୟନ୍ତ)କୁ ୨ଟି କିସ୍ତିରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ କର୍ମଚାରୀଙ୍କୁ ସେମାନଙ୍କର ବକେୟା ଦରମାର ୪୦% ଅର୍ଥ ପ୍ରଥମ କିସ୍ତିରେ ରାଜ୍ୟ ସରକାର ପ୍ରଦାନ କରିସାରିଛନ୍ତି । ଆଉ ବାକି ଥିବା ୬୦% ବକେୟା ଦରମାକୁ କେବେ ପ୍ରଦାନ କରିବେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ କେହି ମୁହଁ ଖୋଲୁନାହାନ୍ତି। ଏପରିକି ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନର ନେତାମାନେ ବି ଏନେଇ ଚୁପ୍ ହୋଇ ବସିଛନ୍ତି।

ଅର୍ଥ ବିଭାଗର ସୂଚନା ଅନୁସାରେ, ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ଥିବା ନେଇ ଯିଏ ଯେତେ ସଫେଇ ଦେଲେ ମଧ୍ୟ ବାସ୍ତବରେ ନବୀନ ପଟ୍ଟନାୟକ ସରକାରଙ୍କର ଦୁଇ ଡଜନରୁ ଅଧିକ ନିଜସ୍ୱ ଯୋଜନାର ଚାପରେ ରାଜକୋଷ ଚେପା ହୋଇପଡ଼ିଲାଣି। ଦେଉଳକୁ ମୁଖଶାଳା ବଳିବା ଭଳି ରାଜକୋଷ ଉପରେ ଏବେ ମାତ୍ରାଧିକ ଚାପ ରହିଥିବାବେଳେ ଋଣଭାର ବି ବଢ଼ିବାରେ ଲାଗିଛି। ତେଣୁ କର୍ମଚାରୀଙ୍କ ବକେୟା ଦେଲେ ରାଜକୋଷ ପ୍ରଭାବିତ ହେବ। ସେହି ଆଶଙ୍କାରେ ସରକାର ଏବେ କର୍ମଚାରୀଙ୍କ ବକେୟା ଦେବା ସ୍ଥିତିରେ ନାହାନ୍ତି। ଖଣି ନିଲାମ ହେବାପରେ ଆସନ୍ତା ଆର୍ଥିକ ବର୍ଷରେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ଥିବାରୁ ସରକାର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଏହି ବକେୟା ଦେବାର ବ୍ୟବସ୍ଥା କରିପାରନ୍ତି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଏବେ ରାଜ୍ୟ ସରକାରଙ୍କ ଅଧୀନରେ ପ୍ରାୟ ୪ଲକ୍ଷ ନିୟମିତ କର୍ମଚାରୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here